Odiapua.com

ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇଲେ ଭଦ୍ରକ ବିଧାୟକ, ସାଂସଦ ଓ ଜିଲ୍ଲା ବିଜେଡି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭଦ୍ରକ ଜିଲ୍ଲା ପୁଣି ଏକ ମାଇଲଷ୍ଟୋନ : ବିଧାୟକ

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ । ଭଦ୍ରକ ଜିଲ୍ଲାରେ ନିର୍ମାଣଧୀନ ନୂତନ ୩ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ ଓ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ମାତୃଶିଶୁ ଚିକିତ୍ସାଳୟ(ଏମସିଏଚ୍‌) ନିକଟରେ ପ୍ରାୟ ଅଢେଇ ଏକର ଜମିରେ ନିର୍ମିତ ହେବାକୁ ଯାଉଛି ୧ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ । ଆଜି ଏହି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ, ସାଂସଦ ମଞ୍ଜୁଲତା ମଣ୍ଡଳ । ଏଥିସହ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲ୍ଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ଟାଉନ ବିଜେଡି ସଭାପତି ତାହେର ମହମ୍ମଦ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଣୟ ଦାସ, କାଉନସିଲର-ଆଶୀଷ ଅମିତାଭ ମହାପାତ୍ର, ସେଖ ଗରିବୁଲ୍ଲା, ପ୍ରାକ୍ତନ କାଉନସିଲର ସେଖ ସମଦାନୀ ଓ ଗୋଲାମ ମଇଉଦ୍ଦିନ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଦେବୀଦତ୍ତା ମହାନ୍ତି, ମହିଳା ନେତ୍ରୀ ମମତା ନାୟକ, ଦଳିତ ନେତା ରାଜେନ୍ଦ୍ର ଜେନା ପ୍ରମୁଖ ଶତାଧିକ ବିଜେଡି କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।

ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା “ଆଇ ଲଭ୍ ଭଦ୍ରକ’ଷ୍ଟାଣ୍ଡପୋଷ୍ଟ ଠାରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ସମସ୍ତେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ପ୍ରତିକ୍ରୀୟାରେ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରିବା ସହ ଭଦ୍ରକରେ ପିପିପି ମୋଡରେ କେୟାର, ଆମ୍ରି ଓ କଳିଙ୍ଗ ହସ୍ପିଟାଲ ଭଳି ୧୦୦ଶଯ୍ୟାର ଏକ ଅତ୍ୟାଧୁନିକ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭଦ୍ରକରେ ନିର୍ମିତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ୱାକ୍ଷରିତ ହେବା ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟସେବାରେ ଆଉ ଏକ ମାଇଲଷ୍ଟୋନ ବୋଲି କହିଥିଲେ । ଭଦ୍ରକ ଜିଲ୍ଲା ଗେଲପୁର ଠାରେ ନୂତନ ଜିଲ୍ଲା ହସ୍ପିଟାଲ ନିକଟକରେ ଏହି ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି । କାରଣ, ଗୁରୁତର ରୋଗୀଙ୍କୁ ତୁରନ୍ତ ଉକ୍ତ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ କୁ ନେଇ ଚିକିତ୍ସା କରାଯାଇ ପାରିବ ବୋଲି ବିଧାୟକ ଶ୍ରୀ ମଲ୍ଳିକ କହିଥିଲେ । ଏହି ହସ୍ପିଟାଲରେ-ଟ୍ରମାକେୟାର, କ୍ରିଟିକାଲ କେୟାର ସହିତ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା ରହିବ ଓ ପ୍ରାୟ ୭୫ କୋଟି ଟଙ୍କାର ଅଟ୍ଟକଳ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଣିକି ଗୁରୁତର ରୋଗୀଙ୍କୁ ଆଉ କଟକ, ଭୁବନେଶ୍ୱରକୁ ଅଧିକ ସମୟ ଓ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ବିଏସ୍‌କେୱାଇଁ କାର୍ଡ ସୁବିଧା ଉପଲବ୍ଧ ହେବା ସହ ସାଧାରଣ ରୋଗୀଙ୍କୁ ମଧ୍ୟ କମ୍ ଖର୍ଚ୍ଚରେ ଚିକିତ୍ସାସେବା ମିଳିବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।