ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇରମ ଶ୍ରୀରାମ କୃପା ପରିଷଦ ପକ୍ଷରୁ ମୁକ୍ତାକାଶ ରଙ୍ଗମଂଚରେ ରାମ ସୀତାଙ୍କ ବିବାହ ଉତ୍ସବ ପାଳିତ ହୋଇଛି। ନଅଦିନ ପାଇଁ ରକ୍ତତୀର୍ଥ ଇରମର ଗୋପାଳସାହି ରାଜା ଦଶରଥଙ୍କ ଅଯୋଧ୍ୟା ପାଲଟିଥିବା ବେଳେ ମହାନ୍ତି ସାହି ରାଜଶ୍ରୀ ଜନକଙ୍କ ଆଶ୍ରମ ପାଲଟିଛି। ପୂର୍ବତନ ସରପଂଚ କମଳଲୋଚନ ବାରିକ ରାଜା ଦଶରଥ ଭୂମିକାରେ ଅଭିନୟ କରୁଛନ୍ତି। ଆଉ ଜତିନ୍ଦ୍ର ମହାନ୍ତି ଜନକ ଋଷି ଭୂମିକା ତୁଲାଉଛନ୍ତି। ବୈଶାଖର ପ୍ରଭୃଙ୍କ ବିବାହ ଉତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଧାର୍ମିକ ବାତାବରଣ ସୃଷ୍ଟି ହୋଇଛି। ରାମ ଚରିତ ମାସନ ପାରାୟଣର ତୃତୀୟ ଦିନରେ ରାମ ସୀତାଙ୍କ ବିବାହ ଉତ୍ସବ ଆଡମ୍ବରପୂର୍ଣ୍ଣ ପାଳନ କରାଯାଇଛି। ମିଥିଳା ଜନକ ଆଶ୍ରମରୁ କୁଶ ଧ୍ୱଜ ଭୂମିକାରେ ଅବତୀର୍ଣ୍ଣ ରଞ୍ଜନ କୁମାର ନାୟକ ଅଯୋଧ୍ୟାର ରାଜା ଦଶରଥଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ। ରାଜା ଦଶରଥ ବାଜା ବାଣସହ ନିଜର ପାରିଷଦଙ୍କୁ ଧରି ଜନକ ଋଷିଙ୍କ ଆଶ୍ରମକୁ ଆସିଥିଲେ। ଆଶ୍ରମବାସିନୀ ରାଜା ଦଶରଥଙ୍କୁ ବନ୍ଦାପନାକରି ସମ୍ମାନରସହ ପାଛୋଟି ନେଇଥିଲେ। ସେଠାରେ ଅଯୋଧ୍ୟାବାସୀଙ୍କୁ ଆଶ୍ରମ ପକ୍ଷରୁ ଅପ୍ୟାୟିତ କରାଯାଇଥିଲା। ରାଜା ଦଶରଥ, ରାଜଶ୍ରୀ ଜନକଙ୍କ ସମେତ ଅଯୋଧ୍ୟା ଓ ଜନକପୁର ବାସିନୀ ବିବାହ ମଣ୍ଡପ ଅଭିମୁଖେ ଯାତ୍ରା କରିଥିଲେ। ମଣ୍ଡପରେ ପହଂଚିବା ପରେ ପରିଷଦ ପକ୍ଷରୁ ବନ୍ଦାପନା କରାଯାଇ ମଂଚରେ ବସାଇଥିଲେ। ପୌରରାଣିକ ରୀତି ନୀତି ଅନୁଯାଇ ପ୍ରଭୃ ରାମ ଚନ୍ଦ୍ର, ମାତା ସୀତାଙ୍କ ବିବାହ କାର୍ଯ୍ୟକୁ ରାଜା ଦଶରଥ ଓ ରାଜଶ୍ରୀ ଜନକ ସମାପନ କରିବାକୁ ଆଗକୁ ବଢିଥିଲେ। ଏହି ପରିପ୍ରେକ୍ଷୀରେ ସହୀଦ ମଣ୍ଡପରେ ରାମସୀତାଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ପ୍ରଭୃଙ୍କର ଏହି ଉତ୍ସବକୁ ନେଇ ଇରମ ଅଂଚଳରେ ଧାର୍ମିକ ପରିବେଶ ସୃଷ୍ଟି ହୋଇଛି। ଲୋକଙ୍କ ଭିତରେ ପୌରାଣିକ ଚେତନା ସୃଷ୍ଟି କରିବାକୁ ରାମକୃପା ପରିଷଦ ଏଭଳି ଉଦ୍ୟମ କରିଥିବା ସୂଚନା ଦେଇଛି। ତେବେ ମୁକ୍ତାକାଶ ରଙ୍ଗମଂଚରେ ରାମ ସୀତାଙ୍କ ବିବାହ ଉତ୍ସବ ଦେଖିବାକୁ ଭକ୍ତଙ୍କର ଗହଳି ଲାଗିଛି।