ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜଳସେଚନ ବିଭାଗ ଅଧିନରେ ଥିବା ବୈତରଣୀ ନଦୀର ଆରଡି ନିକଟସ୍ଥ ବୋଡକ ଠାରୁ ମୁଆଁ ତିନିତର ନଦୀଘାଟ ପର୍ଯ୍ଯନ୍ତ ସୁରକ୍ଷାବନ୍ଧର ମୁଆଁ ଗାଁ ନିକଟରେ ପ୍ରାୟ ୨ଶହ ଫୁଟ ସୁରକ୍ଷାବନ୍ଧ ନଦୀଗର୍ଭରେ ଲିନ୍ନ ହୋଇଯିବାରୁ ଗାଁ ଲୋକଙ୍କ ସହ ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି। ଆଗକୁ ଅମାବାସ୍ୟା ତିଥି ଥବାରୁ ଧାମରା ସମୁଦ୍ରମୁହାଣରୁ ଆସୁଥିବା ଜୁଆରପାଣିରେ ବୈତରଣୀ ଉଛୁଳିବା ସହିତ କୂଳ ଲଂଘିବାରେ ଳାଗିଛି। ଫଳରେ ଗତ ଗୁରୁବାର ଓ ଶୁକ୍ରବାର ମୁଆଁ ନିକଟରେ ଥିବା ବୈତରଣୀନଦୀର ସୁରକ୍ଷା ମାଟିବନ୍ଧ ୨ଶହ ଫୁଟ ଲମ୍ବର ନଦୀକୁ ଧସିଯାଇଥିବା ବେଳେ ଯାତାୟତ ରାସ୍ତା ମଧ୍ୟ ନଦୀ ମଧ୍ୟକୁ ଚାଲିଯାଇଛି। ଫଳରେ ପୂର୍ବରୁ ଥିବା ୨୦ଦ୨୪ଫୁଟ ଓସାର ରାସ୍ତା ଏବେ ୪ଦ୫ଫୁଟରେ ରହିଛି। ଯାହାକୁ ନେଇ ଏବେ ଆତଙ୍କିତ ହୋଇପଡିଛନ୍ତି ମୁଆଁ ଗାଁର ଲୋକଙ୍କ ସହ ଶହଶହ ଚାଷୀ। ବଳକା ନଦୀବନ୍ଧ ରାସ୍ତା ଯଦି ନଦୀରେ ଧୋଇଯାଏ ତାହାଲେ ଶହଶହ ଏକର ଚାଷଜମିରେ ନଦୀପାଣି ମାଡିଯିବା ସହ ୨୦ଖଣ୍ଡ ଗାଁର ଶହଶହ ଚାଷୀ ପ୍ରଭାବିତ ହେବେ ବୋଲି ଚାଷୀମାନେ କହିଛନ୍ତି। ଅନ୍ଯପଟେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ମରାମତି କାର୍ଯ୍ଯ ଅତି ନିମ୍ନ ମାନରେ ହେଉଥିବାରୁ ଏପରି ବାରମ୍ବାର ନଦୀର ସୁରକ୍ଷାବନ୍ଧ ନଦୀକୁ ଧସିଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତୁରନ୍ତ ନଦୀବନ୍ଧର ମରାମତି ସହ ପଥର ପ୍ୟାକିଂ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।