Odiapua.com

ମୁଆଁ ଗାଁର ଶୌଚ ହେବାକୁ ଯାଇ ବୈତରଣୀରେ ଭାସିଗଲେ ବୃଦ୍ଧ, ବୃଦ୍ଧଙ୍କୁ ଖୋଜିବାକୁ ଯାଇ ନଦୀସ୍ରୋତରେ ଭାସିଗଲା ଅଗ୍ନିଶମ ବୋଟ୍‌, ଅଳ୍ପକେ ବର୍ତ୍ତିଲେ ୮ ଜଣ

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆରଡି ଫାଣ୍ଡି ଅଧୀନସ୍ଥ ମୁଆଁ ଗାଁର ଘନଶ୍ୟାମ ଦାସ (୫୨) ନିକଟସ୍ଥ ନଈଯୋରକୁ ଶୌଚ ହେବାକୁ ଯାଇ ବୈତରଣୀ ନଦୀର ପ୍ରଖର ବନ୍ୟାସ୍ରୋତରେ ଭାସିଯାଇଥିଲେ। ନିକଟରେ ଥିବା ଲୋକ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେମଧ୍ୟ ନିମିଷକ ମଧ୍ୟରେ ସେ ନଦୀ ମଧ୍ୟକୁ ଚାଲିଯାଇଥିଲେ। ଏପରିକି ଗାଁ ଲୋକ ଡଙ୍ଗା ଓ ଜାଲ ଦ୍ୱାରା ଖୋଜାଖୋଜି କରିଥିଲେ ମଧ୍ୟ ନପାଇବାରୁ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚି ବୋଟ୍ ଦ୍ୱାରା ନଦୀ ମଧ୍ୟକୁ ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ଅଚଳ ହୋଇଯାଇଥିଲା। ଫଳରେ ନଦୀସ୍ରୋତରେ ଭାସିଯାଇଥିଲେ ବୋଟ୍‌ରେ ଥିବା ୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ୮ ଜଣ ଲୋକେ। ଏପରିକି ବୋଟ୍‌ଟି ଦୀର୍ଘ ୨ କିମି ଭାସିଯିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପ୍ରଚେଷ୍ଟାରେ ତାହା କାର୍ଯ୍ୟକ୍ଷମ ହୋଇ ସୁରକ୍ଷିତ ଅବସ୍ଥାରେ ୮ ଜଣଙ୍କ ସହ କୂଳକୁ ଫେରିଥିଲା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।