Odiapua.com

“ମୁଁ ଚାହେଁ ଓଡ଼ିଶାରୁ ମଦ ବନ୍ଦ ହେଉ” ଆମରଣ ଅନଶନର ୧୨ ଦିନରେ ରାଜସ୍ୱ ପାଇଁ ଭିକ୍ଷା ମାଗି ସଂଗୃହୀତ ୮୯୪ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଅର୍ଥ ବିଭାଗକୁ ପଠାଗଲା

ଭୁବନେଶ୍ୱର, ତା ୨୬ା୮ (ଓଡ଼ିଆ ପୁଅ) : ‘ପିପୁଲ ଫର ସେବା’ ତରଫରୁ ଅନଶନରେ ବସିଥିବା ଆଦିତ୍ୟ ଦାଶଙ୍କ ନେତୃତ୍ୱରେ ରାଜସ୍ୱ ପାଇଁ ଭିକ୍ଷା ମାଗି ସଂଗୃହୀତ ୮୯୪ ଟଙ୍କାର ଡ୍ରାପ୍ଟ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗକୁ ପଠାଗଲା। ସରକାର ମଦ ପାଇଁ ଯେଉଁ ରାଜସ୍ୱ ମିଳୁଛି ସେହି ଆଳ ଦେଖାଇ ମଦ ବନ୍ଦ କରିହେବ ନାହିଁ ବୋଲି ଯାହା ଯୁକ୍ତି ବାଢୁଛନ୍ତି, ତା’ର ପ୍ରତିବାଦରେ ଯୁବକମାନେ ମଦ ବନ୍ଦ କରିବା ପାଇଁ ଭିକ୍ଷା ପଛେ ମାଗିବୁ କହି ଭିକ୍ଷାମାଗି ସରକାରଙ୍କ ରାଜସ୍ୱକୁ ଏହି ଡ୍ରାଫ୍ଟ ପଠାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସରକାର ଯୁବକ, ଛାତ୍ର ଓ ମହିଳାମାନଙ୍କ ଆବେଗକୁ ଦୃଷ୍ଟିରେ ରଖି ଯଦି ପରୀକ୍ଷାମୂଳକ ଭାବେ ମଦକୁ ପ୍ରଥମେ ୧ ବର୍ଷ ପାଇଁ ବନ୍ଦ କରି ଓଡ଼ିଶାର ଜନମାନସକୁ ଅନୁଧ୍ୟାନ କରିବାକୁ ମଧ୍ୟ ପିଫୁଲ୍ ଫର ସେବା ତରଫରୁ ପ୍ରସ୍ତାବ ଦିଆଯାଇଛି। ଆଜି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଅନେକ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ଆନ୍ଦୋଳନକୁ ସମର୍ଥନ କରିବା ସଂଗେସଂଗେ ସରକାରଙ୍କ ନିବରତାକୁ ମଧ୍ୟ ସମାଲୋଚନା କରିଥିଲେ। ଅନଶନର ୧୧ଦିନ ଅତିବାହିତ ହୋଇଥିଲେ ମଧ୍ୟ ସରକାର ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱ ନଦେଇ ଯେଉଁ ଅଣଦେଖା କରିଆସୁଛନ୍ତି ଏହାକୁ ସମସ୍ତ ଗଣସଂଗଠନମାନେ ଘୋର ନିନ୍ଦା କରିଛନ୍ତି।