Odiapua.com

ମିଶନଶକ୍ତି ଋଣ ମେଳାରେ ମହିଳାଗୋଷ୍ଠୀଙ୍କୁ ୬.୨୭କୋଟି ଋଣ ମଞ୍ଜୁର

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା ସ୍ଥାନୀୟ କଲ୍ୟାଣମଣ୍ଡପରେ ଆଜି ଅନୁଷ୍ଠିତ ହୋଇ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୬.୨୭ କୋଟି ଟଙ୍କା ଋଣ ମଞ୍ଜୁର ହୋଇଛି। ମିଶନଶକ୍ତି ବ୍ଲକ ଯୋଜନା ପରିଚାଳକ ସୁବ୍ରତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ବିଡିଓ ଦେବଦତ୍ତ ଦାଶ, ଲିଡବ୍ୟାଙ୍କ ପରିଚାଳକ ନାଗେଶ୍ୱର ରାଓ, ମିଶନଶକ୍ତି ଜିଲ୍ଲା ସଂଯୋଜକ ସୀତାଂଶୁ ଶେଖର ସାହୁ, ଓଡିଶା ଜୀବିକା ମିଶନ ଜିଲ୍ଲା ପରିଚାଳକ ସଞ୍ଜୟ କୁମାର ବାରିକ, ଶିଳ୍ପ ବିକାଶ ଅଧିକାରୀ ଇଂ ଶଶିଶେଖର ବେହେରା ଓ ଦକ୍ଷିଣବାଡ ସରପଂଚ ବର୍ଷାରାଣୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଲକ୍ଷ୍ୟ ହାସଲ ପାଇଁ ଆର୍ଥୀକ ସ୍ୱାବଲମ୍ବୀଶୀଳତା ହାସଲ ଏକ ବଳିଷ୍ଠ ମାଧ୍ୟମ ବୋଲି ମତପ୍ରକାଶ କରିବା ସହ ମହିଳା ସ୍ୱୟଂସହାୟିକାମାନଙ୍କୁ ଋଣ ଯୋଗାଣ ଲକ୍ଷ୍ୟ ସମ୍ପୁର୍ଣ୍ଣ କରାଯିବା ଉପରେ ଗୁରୁୁତ୍ୱାରୋପ କରିଥିଲେ।

ଏହି ମେଳାରେ ବ୍ଲକ ଅଂଚଳର ପ୍ରାୟ ୪୫୦ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଯୋଗଦେଇଥିବା ବେଳେ ଭଣ୍ଡାରିପୋଖରୀ ସମବାୟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଭଣ୍ଡାରିପୋଖରୀ, ବାରିକପୁର ଓ ମଞ୍ଜୁରୀରୋଡ ଓଡିଶା ଗ୍ରାମ୍ୟବ୍ୟାଙ୍କ, ସରସଦା ଏସ.ବି.ଆଇ., ମଞ୍ଜୁରୀରୋଡ ଇଣ୍ଡିଆନ ବ୍ୟାଙ୍କ ଓ ଆଖୁଆପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକମାନେ ଯୋଗଦେଇଥିଲେ।ଏହି ମେଳାରେ ୨୯ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ନୂତନ ଭାବେ ଓ ୧୬୨ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ନବୀକରଣ ଭାବେ ମୋଟ ୬କୋଟି ୨୬ ଲକ୍ଷ ୭୭ ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ଜୀବିକା ମିଶନ ବ୍ଲକ ସଂଯୋଜିକା ବନିତା ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ। ବିଏଲସି ସୀମାରାଣୀ ପଣ୍ଡା, କାଂଚନବାଳା ମଲ୍ଲିକ, ପଂଚାୟତସ୍ତରୀୟ ତଥ୍ୟ ନଥିପତ୍ର ପରିଚାଳିକା, ସମସ୍ତ ବ୍ୟାଙ୍କ ମିତ୍ର, ଦକ୍ଷିଣବାଡ ଓ ବୟାବନାପୁର ସିଆରପିମାନେ ଏହି କେଳାରେ ଅଂଶଗ୍ରହଣ କରିଥିଲେ।