Odiapua.com

ମିଳୁନି ଶବଦାହ ଟଙ୍କା କି ବିଧବା ଭତ୍ତା ଓ ଆବାସ ଯୋଜନା ଗୃହ

ଖଇରା ୭/୧୦ (ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) ହରିଶ୍ଚନ୍ଦ୍ର ଯୋଜନାରେ ଶଵଦାହ ପାଇଁ ୨ ହଜାର ଟଙ୍କା ତୁରନ୍ତ ପ୍ରଦାନ ପାଇଁ ସରକାରଙ୍କର ନିର୍ଦ୍ଦେଶ ରହିଛି। ମୃତ ବ୍ୟକ୍ତିର ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମଵେଦନା ଜଣାଇ ତୁରନ୍ତ ଶବଦାହ ପାଇଁ ୨ ହଜାର ଦେବାପାଇଁ ଓଡିଶା ସରକାର ଙ୍କ ନିର୍ଦ୍ଦେଶ ରହିଥିଲା ବେଳେ, ହେଲେ ବର୍ଷ ବର୍ଷ ଯାଉଥିଲେ ମଧ୍ୟ ଏହି ଶବଦାହ ଟଙ୍କା ମୃତକଙ୍କ ପରିବାର ବର୍ଗଙ୍କୁ ମିଳିପାରୁ ନାହିଁ। ତାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ମୌଜୁମପୁର ଗ୍ରାମରେ। ପରିବାର ଲୋକଙ୍କ ଠାରୁ ଯାହା ଜଣାପଡିଛି ଗତ ୨୦୧୬ ମସିହାରେ ମହିନ୍ଦ୍ର ଦାସଙ୍କର ମୃତ୍ୟୁ ହୋଇଥିଲା। ସ୍ବର୍ଗତ ଦାସଙ୍କର ବିଧବା ପତ୍ନୀ ଲକ୍ଷ୍ମୀ ଦାସ ସହିତ ଗୋଟିଏ ଭିନ୍ନକ୍ଷମ ପୁଅ ମଧ୍ୟ ଅଛି। ସ୍ଵାମୀଙ୍କ ମୃତ୍ୟୁପର ଠାରୁ ଆଜି ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନାରେ ମିଳିବାକୁ ଥିବା ୨ ହଜାର ଟଙ୍କା ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡାଦୌଡି ଥକି ଗଲେଣି ଅଥଚ ଆଜି ପର୍ଯ୍ୟନ୍ତ ପାଇପାରିଲେ ନାହିଁ ଶଵଦାହ ଟଙ୍କା। ବିଧବା ଭତ୍ତା ପାଇଁ ସରପଞ୍ଚ ଠାରୁ ବ୍ଲକ ପର୍ଯ୍ଯନ୍ତ ଦୌଡ଼ି ଦୌଡ ନୟାନ୍ତ ହେବା ପରେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବା ବଡ ଲଜ୍ୟାର ବିଷୟ ପାଲଟିଛି ଖଇରା ବ୍ଲକ ପାଇଁ। ବାରମ୍ବାର ଭତ୍ତା ଫର୍ମଦେଉଥିଲେ ମଧ୍ୟ ପାଉ ନାହାନ୍ତି ,ସରପଞ୍ଚଙ୍କୁ ଭତ୍ତା ବିଷୟରେ କହିଲେ ସେ କହୁଛନ୍ତି ଯେହେତୁ ତୁ ଆମ ବିଜେଡି ଦଳକୁ ଭୋଟ ଦେଇ ନାହୁଁ ତେଣୁ ତୋତେ ବିଧବା ଭତ୍ତା, ଶବଦାହ ଟଙ୍କା,ଆବାସ ଯୋଜନା ଗୃହ କିମ୍ବା ଫନିରେ ହୋଇଥିବା କ୍ଷତିର ପରିମାଣ କିଛି ଦିଆଯିବ ନାହିଁ ବୋଲି ସ୍ବର୍ଗତ ମହିନ୍ଦ୍ର ଦାସଙ୍କ ବିଧଵା ପତ୍ନୀ ଲକ୍ଷ୍ମୀ ଦାସ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି। ଏବାବଦରେ ଭିଏଲ ଡବ୍ଲ୍ଯୁ ଆଶିଷ ଜେନା ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଅଭିଯୋଗକାରୀଙ୍କୁ ଆଜି ପର୍ଯ୍ଯନ୍ତ କୌଣସି ନ୍ୟାୟ ମିଳିନାହିଁ। ୧୦ ବର୍ଷରୁ ଉର୍ଦ୍ଧ ହେବ ଲକ୍ଷ୍ମୀଙ୍କର ପୁଅ ପ୍ରଦୀପ ଦାସ ଭିନ୍ନକ୍ଷମ(ପାଗଳ) ହୋଇଥିଲେ ମଧ୍ୟ ସରକାରଙ୍କ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ପାଇପାରି ନାହାନ୍ତି। ଏସଵୁଥିରେ ବାଧକ ସାଜୁଛନ୍ତି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ଯ ବୋଲି ନିଜେ ଲକ୍ଷ୍ମୀ ଦାସ ପ୍ରକାଶ କରିଛନ୍ତି। ଲକ୍ଷ୍ମୀ ଦାସଙ୍କ ଦିଅର ବନମାଳୀ (ବାବୁ) ମଧ୍ୟ ତାଙ୍କ ଭାଉଜଙ୍କର ଶବଦାହ ଟଙ୍କା ଓ ବିଧବା ଭତ୍ତା ପାଇଁ ସରପଞ୍ଚଠାରୁ ବ୍ଲକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ଆପତ୍ତି କରିଥିଲେ ମଧ୍ୟ ସମସ୍ତଙ୍କ ଠାରୁ ଗୋଟିଏ ଉତ୍ତର ପାଇଛନ୍ତି ତୁମ ପରିବାର ଆମ ବିଜେଡି ଦଳକୁ ଭୋଟ ଦେଇ ନାହାନ୍ତି, ତେଣୁ ତୁମ ପରିବାରକୁ କିଛି ସରକାରୀ ସହାୟତା ମିଳିବ ନାହିଁ, ଶେଷରେ ଆଉ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମୁହଁ ଖୋଲିଛନ୍ତି ପରିବାର ଲୋକେ। ଉକ୍ତ ପଞ୍ଚାୟତର ପୂର୍ବତନ ସମିତି ସଭ୍ଯ ପ୍ରଫୁଲ୍ଲ କୁମାର ଦାସ ଗରିବ ହରିଜନ ପରିବାରକୁ ଅବହେଳା କରାଯାଉଥିବା କଥାକୁ ମଧ୍ୟ ସ୍ଵୀକାର କରିଛନ୍ତି। ବର୍ତ୍ତମାନ ଓଡିଶା ସରକାରଙ୍କ ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନିର୍ବାଚନ ମଣ୍ଡଳୀର ହରିଜନ ପରିବାରକୁ ଏପରି ଦଳୀୟ ମନୋଭାବ ରଖି ସରକାରୀ ସହାୟତାରୁ ବଞ୍ଚିତ କରିବା ବିଷୟ ସମଗ୍ର ରାଜ୍ୟ ତଥା ବିଜେଡି ଦଳ ପାଇଁ ପ୍ରଶ୍ନ ସୃଷ୍ଟି କରିଛି। ଗରିବ ହରିଜନ ପରିବାର କେଵେ ନ୍ୟାୟ ପାଉଛି ଦେଖିବାକୁ ବାକି ରହିଲା।