Odiapua.com

ମିଳୁନି ଜଂଗଲ ଜମି ପଟ୍ଟା, ଆବାସ ଯୋଜନାରୁ ବଞ୍ଚିତ ହାଟଡିହି ବ୍ଲକର ତିନୋଟି ଗ୍ରାମ

ହାଟଡ଼ିହି, ୪ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲି ପସି, ସରମୁଣ୍ଡି ଓ ବାଲିପାଳ ଗ୍ରାମର ଗ୍ରାମବାସୀ ମାନେ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏହି ଗ୍ରାମ ତିନୋଟିରେ ୫୦୦ରୁ ଉର୍ଦ୍ଧ ପରିବାର ବାସ କରୁଥିବାବେଳେ ଏମାନେ ୧୯୬୮ ମସିହାରେ ହଦଗଡ ସାଳନ୍ଦୀ ନଦୀବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ଆଜକୁ ୫୩ବର୍ଷ ହେଲା ରହି ଆସୁଛନ୍ତି । ବିସ୍ଥାପନ ସମୟରେ ଏହି ଲୋକମାନଙ୍କୁ ରାଜ୍ୟ ସରକାର ଅନ୍ୟତ୍ର ଜମି ଯୋଗାଇ ଦେଇଥିଲେବି ସେଠାରେ ସେମାନଙ୍କ ରହିବାପାଇଁ ସୁବିଧା ସୁଯୋଗ ନଥିବାରୁ ସେମାନେ ମଲ୍ଲିପସି ଓ ସରମୁଣ୍ଡି ଗ୍ରାମ ଦୁଇଟିରେ ୫୩ବର୍ଷ ହେଲା ଲୋକମାନେ ବସବାସ କରି ଆସୁଛନ୍ତି । ଏହି ଗାଁ ଦୁଇଟି କଅଁଳେଇ ବାଲିପାଳ ପଞ୍ଚାୟତ ଅଧିନରେ ଥିବାବେଳେ ଏହାର ଦୁରତା ବ୍ଲକ ଠାରୁ ୯୦କିଲୋମିଟରରୁ ଅଧିକ । ଯାହାଦ୍ୱାରା ଏମାନେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏହି ଗ୍ରାମର ଲୋକମାନେ ଆଜି ପର୍ଯ୍ୟନ୍ତ ଭଙ୍ଗା ଚାଳଘରେ ବସବାସ କରି ଆସୁଛନ୍ତି । ସରକାର ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଖଣିକ୍ଷତିଗ୍ରସ୍ଥ ବିଜୁପକ୍କାଘର ଯୋଜନାରେ ହାଟଡିହି ବ୍ଲକକୁ ୨୦ହଜାରରୁ ଉର୍ଦ୍ଧ ଘର ଯୋଗାଇ ଦେଇଥିଲେବି ଏହି ଗ୍ରାମର ଗୋଟିଏବି ପରିବାର ଏହି ଯୋଜନାରୁ ଘର ଖଣ୍ଡିଏବି ପାଇପାରି ନାହାନ୍ତି । ପଞ୍ଚାୟତର ଅନ୍ୟ ସମସ୍ତ ଗ୍ରାମର ଲୋକମାନେ ଘର ପାଉଥିବାବେଳେ ଏମାନଙ୍କର ଜମିପଟ୍ଟା ନଥିବାରୁ ଏମାନେ ବାସଗଡଅ ଯୋଜନାରୁ ବଞ୍ଚିତ ହୋଇ ରହିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସରକାର ୩/୪ବର୍ଷ ହେଲା ଜଂଗଲରେ ବସବାସ କରୁଥିବା ଆଦିବାସୀ ଲୋକମାନଙ୍କ ପାଇଁ ଜଂଗଲ ଜମି ପଟ୍ଟା ଯୋଗାଇ ଦେଇଥିବାବେଳେ ହଦଗଡ ସେଞ୍ଚୁରୀ ଏରିଆ ଓ ବୁଡି ଅଞ୍ଚଳରେ ବସବାସ କରୁଥିବା କହି ଏମାନଙ୍କୁ ବାସଗୃହ ଯୋଗାଇ ଦିଆଯାଉ ନଥିବା ଗ୍ରାମର ବିରଞ୍ଚି ବିନିସିଆ, ୱାର୍ଡସଭ୍ୟ ସୀତାମଣି ବିନିସିଆ, କନକ ସେଠୀ, ମକରା ସଲଙ୍ଗୀ ପ୍ରମୁଖ ଅଭିଯୋଗ କରିଛନ୍ତି । ହଦଗଡ ପଞ୍ଚାୟତର ଦଲକି, ପିତାନାଉ ପ୍ରଭୃତି ଗ୍ରାମର ଲୋକମାନେ ହଦଗଡ ସେଞ୍ଚରୀ ଏରିଆ ଭିତରେ ବସବାସ କରୁଥିବାବେଳେ ସେମାନଙ୍କୁ ଜଂଗଲଜମି ପଟ୍ଟା ଦିଆଯାଇ ଥିବାବେଳେ ଆମ ଗାଁ ଲୋକଙ୍କୁ କାହିଁକି ବାରଣ କରାଯାଉଛି ବୋଲି ସଦାଶିବ ନାଏକ, ବିରଞ୍ଚି ବିନିସିଆ, ନରେନ୍ଦ୍ର ବିନିସିଆ, ରମେଶ ବିନିସିଆ, କୁନାଲ କସିମାଳ, ମଙ୍ଗଳ ସୋରେନ, ବାବୁଲି ନାଏକ, ବୁଦ୍ଧିରାମ ହୋ, କାଳନ୍ଦୀ କଲପାଳିଆ, ରାମ ବିନିସିଆ, ଭାଗିରଥି ବିନିସିଆ ପ୍ରମୁଖ ଅଭିଯୋଗ କରିଛନ୍ତି । ସରକାରଙ୍କ ଏହି ଯୋଜନା ଏଠାରେ କାର୍ଯ୍ୟକାରୀ ହେଉ ନଥିବାରୁ ଦୁଇଟି ଯାକ ଗ୍ରାମର ଗ୍ରାମବାସୀମାନେ ପକ୍କାଘର କରି ନପାରି ଭଙ୍ଗା ଦଦରା ଚାଳଛପର ଘରେ ବସବାସ କରୁଥିବା କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।