Odiapua.com

ମିଳିତ ଜନ ଶୁଣାଣିରେ ୧୭ଟି ଅଭିଯୋଗ

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଭଦ୍ରକଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିରରେ ଆଜି ଉପସ୍ଥିତ ୧୭ଜଣ ଆବେଦନକାରୀ ମାନଙ୍କର ଅଭିଯୋଗ ଶୁଣାଣି କରାଯାଇଥିଲା। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ଚରଣ ସିଂ ମୀନା ଏହି ଶିବିରରେ ଯୋଗ ଦେଇ ଶୁଣାଣି କରିଥିଲେ। ୧୭ଟି ଅଭିଯୋଗ ମଧ୍ୟରେ ୩ଟି ବ୍ୟକ୍ତିଗତ ଓ ୧୪ଟି ସାମୂହିକ ସମସ୍ୟାଭିତ୍ତିକ ଅଭିଯୋଗ ଥିଲା। ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସନ୍ତୋଷ କୁମାର ପାତ୍ର ମଧ୍ୟ ଏହି ଶିବିରରେ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଅଭିଯୋଗ ମଧ୍ୟରେ ୨ଟି ରେଡ଼୍‌କ୍ରସ୍ ସମ୍ବନ୍ଧୀୟ ଥିଲା। ଜଣେ ଦୃଷ୍ଟି ବାଧିତ ଆବେଦନକାରୀଙ୍କୁ ପାଠ ପଢ଼ିବାପାଇଁ ୧୦, ୦୦୦ ଟଙ୍କା, ଜଣେ ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ଔଷଧ କ୍ରୟ ପାଇଁ ୫୦୦୦ ଟଙ୍କାର ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ମଂଜୁର କରିଥିଲେ। ଗୋଟିଏ ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଥିଲା। ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନାରେ ସହଯୋଗ କରିଥିଲେ।