Odiapua.com

ମିଥୁନ ଭବିଷ୍ୟତ ସହ ଭାଗ୍ୟ ଖେଳିଛି ଖେଳ, ଜୀବନଜ୍ୟୋତି ସଂଗଠନ ସହାୟତାରେ ଅକ୍ଷମରୁ ସକ୍ଷମ ହେବା ଆଶାରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ପିତା

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର କରଞ୍ଜମାଳ ଅଂଚଳର ମିଥୁନ ବେହେରା । ଦଶମ ଶ୍ରେଣୀରେ ପଢିବା ଭିତରେ ସ୍ଥାନୀୟ ଏକ ଦୋକାନରେ କାମ କରି ନିଜ ବୃଦ୍ଧ ପିତା-ମାତାଙ୍କ ଭରଣପୋଷଣ ଦାୟିତ୍ୱ ତୁଲାଉଥିଲା । ମାତ୍ର ବିଧିର ବିଧାନ ମିଥୁନର ଭବିଷ୍ୟତକୁ ଓଲଟପାଲଟ କରିଦେଇଛି । ଦଶମ ଶ୍ରେଣୀ ପରୀକ୍ଷା ଦେବା ପରେ ହଠାତ୍ ଶୌଚ ହେବାକୁ ଯାଇ ଫେରିବାବେଳେ ତଳେ ପଡି ବାମ ଗୋଡ ଅକ୍ଷମ ହେବା ପରେ ଡାହାଣ ଗୋଡ ସଂପୂର୍ଣ୍ଣ ଅଚଳ ହୋଇପଡିଲା । ନା ସେ ବସିପାରିଲା ନା ଠିକ୍‌ରେ ଛିଡା ହୋଇପାରିଲା । ଫଳରେ ସେ ଦେଖିଥିବା ନିଜ ସୁନେଲି ଭବିଷ୍ୟତକୁ ତ ଜଳାଞ୍ଜଳି ଦେଲା, କିନ୍ତୁ ବୃଦ୍ଧ ପିତା-ମାତାଙ୍କ ମୁହଁରେ ଦାନା ଟିକେ ନଦେଇପାରିବାରୁ ଏବେ ବିଛଣାରେ ପଡି ସରକାରଙ୍କ ସହାୟତାକୁ ଅପେକ୍ଷା କରିଛି । ଇତିମଧ୍ୟରେ ମିଥୁନ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି । କିନ୍ତୁ ଏକ ମେଧାବୀ ଛାତ୍ରର ଏଭଳି ଅବସ୍ଥା ସଂପର୍କରେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲା କେବଳ ଭଦ୍ରକ ଜିଲା ତିହିଡି ଅଂଚଳର ନୁହେଁ ସମଗ୍ର ରାଜ୍ୟର ବହୁ ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରିଥିବା ଜୀବନଜ୍ୟୋତି ସ୍ୱେଚ୍ଛାସେବୀ ସଂଗଠନ । ଆଜି ଏହି ସଂଗଠନର ସହାୟତାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆମ୍ବୁଲାନ୍ସରେ ଆସିଥିବା ମିଥୁନର କରୁଣଭରା ସ୍ୱର ସମସ୍ତଙ୍କ ହୃଦୟକୁ ଦ୍ରବୀଭୂତ କରିଥିଲା । ‘ହେ ଭଗବାନ, ସତରେ କ’ଣ ମୁଁ ଆଗଭଳି ଚାଲିପାରିବି । ପାଠପଢି ଉଚ୍ଚ ଶିକ୍ଷିତ ହୋଇ ବୃଦ୍ଧ ପିତା-ମାତାଙ୍କ ମୁହଁରେ ହସ ଫୁଟାଇବି’ ବୋଲି କହିଚାଲିଥିଲା ମିଥୁନ । ଜିଲାପାଳଙ୍କ ସୁପାରିଶରେ ସରକାରଙ୍କ ଦ୍ୱାରା ସହାୟତା ମିଳିଲେ ସେ ନିଶ୍ଚିତ ଭଲ ହୋଇପାରିବ ବୋଲି ତାର ଯେଉଁ ଦୃଢ ବିଶ୍ୱାସ, ତାହାକୁ ଦେଖି ସମସ୍ତଙ୍କ ଆଖିରେ ଲୋତକ ଆସିଯାଇଥିଲା ।

ତେବେ ମିଥୁନ ସଂପର୍କରେ ତା ସହ ଆସିଥିବା ବୃଦ୍ଧ ପିତା ଓ ଜୀବନଜ୍ୟୋତି ସଂଗଠନର କର୍ମକର୍ତ୍ତାଙ୍କ ନିକଟରୁ ଯେଉଁ ଦୁଃଖଦ ତଥ୍ୟ ମିଳିଛି, ତାହା ଏହିଭଳି । ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ କରଞ୍ଜମାଳ ଅଂଚଳର ବିଜୟ ବେହେରା ଜଣେ ଦିନ ମଜୁରିଆ । ନିଜର ଏକମାତ୍ର ପୁତ୍ର ମିଥୁନକୁ ପଢାଇବା ମଧ୍ୟରେ ଆଜକୁ ୩ ବର୍ଷ ତଳେ ଦଶମ ଶ୍ରେଣୀରେ ପଢୁଥିବାବେଳେ ତାର ଏଭଳି ଅବସ୍ଥା ହୋଇଥିଲା । ଫଳରେ ଭୂମିହୀନ ବିଜୟ ନିଜର ସଂଚିତ ସମସ୍ତ ଅର୍ଥ ଓ ଅନ୍ୟମାନଙ୍କ ଠାରୁ ଧାରକରଜ କରି ନିଜ ପୁତ୍ରର ଚିକିତ୍ସା କରାଇଥିଲେ ମଧ୍ୟ ଅଧିକ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସା ପାଇନପାରି କୌଣସି ସୁଫଳ ପାଇନଥିଲା । ମିଥୁନ ବୃଦ୍ଧ ପିତା-ମାତାଙ୍କ ଦରିଦ୍ର ଅବସ୍ଥା ପାଇଁ ସ୍ଥାନୀୟ ଏକ ଦୋକାନରେ ମାତ୍ର ୩ ମାସ କାମ କରି ପାଠ ପଢିବା ମଧ୍ୟରେ ଏଭଳି ଦୂରାରୋଗରେ ପୀଡିତ ହେଲା । ଏବେ କପର୍ଦକଶୂନ୍ୟ ବୃଦ୍ଧ ପିତା କେବଳ ଭଗବାନଙ୍କୁ ଭରସା କରି ଏକ ଜରି ଟଣା ଭଙ୍ଗା ଚାଳଘରେ ମିଥୁନକୁ ନେଇ ରହିବା ମଧ୍ୟରେ ଜୀବନଜ୍ୟୋତି ସଂଗଠନ ଖବର ପାଇଁ ସେଠାରେ ପହଞ୍ôଚଥିଲା । ସେଠାରେ ଏକ ଝାଉଁ ବଣ ମଧ୍ୟରେ ପଲିଥିନ ତଳେ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ପିତା-ମାତା ଓ ପୁତ୍ରର ଏଭଳି ଅବସ୍ଥା ଦେଖି ଜିଲାପାଳଙ୍କ ଜରିଆରେ ସମସ୍ତ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ତେବେ ଆଜି ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବାସୁଦେବପୁର ବ୍ଲକ୍‌ରେ ଅନୁଷ୍ଠିତ ଉନ୍ନୟନ କମିଟି ବୈଠକରେ ଯୋଗ ଦେବାକୁ ଯାଇଥିବାରୁ ମିଥୁନଙ୍କୁ ଭେଟି ପାରିନଥିଲେ ମଧ୍ୟ ନିଜ ପିଏସ୍‌ଓଙ୍କ ଜରିଆରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ରଙ୍କ ନିକଟକୁ ପଠାଇଛନ୍ତି । ସେଠାରେ ତାଙ୍କର ଚିକିତ୍ସାର ସମସ୍ତ ବ୍ୟବସ୍ଥା କରାଯିବା ବିଷୟ ଜଣାପଡିଛି ।