Odiapua.com

ମିଛ କଥା କହି ଏବଂ ମିଛ ତଥ୍ୟ ଉପସ୍ଥାପନ କରି ନ୍ୟାୟିକ ପ୍ରକ୍ରିୟାକୁ ବାଟବଣା କରାଯିବା ଅତ୍ୟନ୍ତ ଲଜ୍ଜାଜନକ : ଡ.ସମ୍ବିତ ପାତ୍ର

ରାତିଅଧିଆ ଶ୍ରୀମନ୍ଦିର ପରିକ୍ରମା ସର୍ଭେ ପ୍ରସଙ୍ଗରେ

ନୂଆ ଦିଲ୍ଲୀ / ଭୁବନେଶ୍ୱର, ୨୨/୦୫ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ଗୋଟିଏ ମିଛ ଲୁଚାଇବାକୁ ଯାଇ ରାଜ୍ୟ ସରକାର ଏବଂ ଶାସକ ବିଜେଡି ନେତୃବୃନ୍ଦ ବର୍ତମାନ ହଜାରେ ମିଛ କହୁଛନ୍ତି। ଏଏସଆଇର ଯୁଗ୍ମ ସତ୍ୟପାଠ ହାଇକୋର୍ଟରେ ଦାଖଲ ହେବା ପରେ ରାଜ୍ୟ ସରକାରଙ୍କ ଅସଲ ଚେହେରା ପର୍ଦ୍ଦାଫାଶ ହୋଇଛି। ରାତିଅଧିଆ ଏବଂ ତରଭରିଆ ଭାବେ ଗତ ୨ ଦିନ ହେଲାଣି କାହିଁକି ଜିପିଆରଏସ ସର୍ଭେ କରାଯାଉଛି ? ମାନ୍ୟବର ପୁରୀ ସାଂସଦ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପିନାକି ମିଶ୍ର ପ୍ରଥମେ ପବିତ୍ର ସଂସଦ ଏବଂ ପରେ ସାମ୍ବାଦିକ ସମ୍ମିଳନୀରେ ମିଛ କଥା କହି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଥିଲେ। ଜିପିଆଏସ ସର୍ଭେ ପରେ ପରିକ୍ରମା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହୁଥିବା ପୁରୀ ସାଂସଦ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ମିଶ୍ର ଆଜି ପୁଣି ମିଛୁଆ ସାବ୍ୟସ୍ତ ହୋଇଛନ୍ତି।। ସତ କେବେହେଲେ ଲୁଚି ରହେ ନାହିଁ, ଯାହାର ପ୍ରମାଣ ଆଜି ଓଡ଼ିଶାବାସୀ ପାଇଛନ୍ତି। ମିଛ କଥା କହି ଏବଂ ମିଛ ତଥ୍ୟ ଉପସ୍ଥାପନ କରି ନ୍ୟାୟିକ ପ୍ରକ୍ରିୟାକୁ ବାଟବଣା କରାଯିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମମ୍ବିତ ପାତ୍ର କହିଛନ୍ତି।

ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, କୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସର୍ଭେ କାର୍ଯ୍ୟ କରାଯାଇଥାଏ। ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ସର୍ଭେ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏହା ସଂପୂର୍ଣ୍ଣ ଭାବେ ଅବୈଜ୍ଞାନିକ ପଦ୍ଧତି। ବାସ୍ତବରେ ଯଦି ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସର୍ଭେ କାର୍ଯ୍ୟ କରାଯାଇଥିଲା ଏବଂ ମାନ୍ୟବର ପୁରୀ ସାଂସଦଙ୍କ ବକ୍ତବ୍ୟ ସତ୍ୟ ହୋଇଥାଏ, ତାହେଲେ ବର୍ତମାନ କାହିଁକି ରାତିଅଧିଆ ସର୍ଭେ କାର୍ଯ୍ୟ କରାଯାଉଛି ? ଲୁଚାଛପାରେ ଜିପିଆରଏସ କାର୍ଯ୍ୟ ହେଉଥିବାର ଫଟୋ ବର୍ତମାନ ସାର୍ବଜନୀନ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇ ଏହି ସର୍ଭେ କାର୍ଯ୍ୟ କରାଯାଉଛି କି ? ଏହି ସର୍ଭେକୁ ନେଇ ଏଏସଆଇ ଅବଗତ ଅଛି ତ? ଏଏସଆଇ ଅଧିକାରୀଙ୍କ ଉପସ୍ଥିତିରେ ସର୍ଭେ କାର୍ଯ୍ୟ ନହେଲେ, ଏହା କେତେ ଦୁର ଗ୍ରହଣୀୟ ବୋଲି ଡ.ପାତ୍ର ପ୍ରଶ୍ନ କରିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ନିର୍ମାଣ ପାଇଁ ଠିକା ପାଇଥିବା ସଂସ୍ଥା ଓବିସିସି ଦ୍ୱାରା ଏକ ଘରୋଇ ସଂସ୍ଥା ସର୍ଭେ କାର୍ଯ୍ୟ କରୁଛି। ଆସନ୍ତା ୪ ଦିନ ଭିତରେ ସର୍ଭେ କାର୍ଯ୍ୟ ଶେଷ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଅଛି। ଏଥି ମଧ୍ୟରୁ ୨ ଦିନର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହି ସ୍ୱଳ୍ପ ସମୟ ମଧ୍ୟରେ ସମସ୍ତ ସର୍ଭେ କାର୍ଯ୍ୟ ସଠିକ ଭାବେ ସଂପାଦନା ହୋଇପାରିବ ତ ? ଏଏସଆଇ ଉପସ୍ଥିତିରେ କାହିଁକି ସର୍ଭେ କାର୍ଯ୍ୟ ହେଇନାହିଁ ? ଆଉ ମିଛ ନକହି ଏ ସମସ୍ତ ପ୍ରଶ୍ନର ଜବାବ୍ ପୁରୀ ସାଂସଦ ଶ୍ରୀ ମିଶ୍ର ନିହାତି ଦେବା ଉଚିତ୍ ବୋଲି ଡ.ପାତ୍ର କହିଛନ୍ତି।