Odiapua.com

ମିଛୁଆ ରାଧୁଆ ଦାମ

ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ/ପ୍ରିୟ ରଂଜନ ସାହୁ) ସମତାକ୍ରାନ୍ତି ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ସମତା କ୍ରାନ୍ତି ଦଳର ନାମ ପରିବର୍ତ୍ତନ କରାଯାଇ ବିଜୁ ସମତା କ୍ରାନ୍ତି ଦଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବପରି ପ୍ରଶାନ୍ତ ମିଶ୍ର ଏହାର ସଭାପତି ରହିବେ। ବ୍ରଜକିଶୋର ତ୍ରୀପାଠୀ ଦଳର ଆବାହକ ଓ ବିଜେଡ଼ିରୁ ବହିଷୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପ୍ରଚାର କମିଟିର ଅଧ୍ୟକ୍ଷ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶିଘ୍ର ଏହା ନିର୍ବାଚନ କମିଶନରଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି ଦଳ ତରଫରୁ ଘୋଷଣା କରାଯାଇଥିଲା।

ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ କରି ନୂତନ ଦଳର ଚିନ୍ତାଧାରା ଏବଂ ଆଗାମୀ ଆଭିମୁଖ୍ୟ ତା’ ଉପରେ କୌଣସି ଟିପ୍ପଣୀ ଦେଇନଥିଲେ। କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କ ବିରୁଦ୍ଧରେ ବିଷେଦଗାର କରିବା ଆରମ୍ଭ କରିଦେଇଥିଲେ। ମନ୍ତ୍ରୀମଣ୍ଡଳରୁ ବହିଷୃତ ହେବା ପରେ ନବୀନ ସରକାରଙ୍କ ବିରୁଦ୍ଧରେ ଯେଉଁ ଯେଉଁ ତଥ୍ୟକୁ ଆଧାର କରି ବିଷ ଓଗାଳୁଥିଲେ ଆଜି ମଧ୍ୟ ତା’ର ପୁନରାବୃତ୍ତି ଘଟାଇଥିଲେ। ନୂତନ ରାଜନୈତିକ ଦଳ ଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ହେବ ସେ ତଥ୍ୟକୁ ପ୍ରଦାନ କରିବା ବଦଳରେ ନବୀନ ସରକାରର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଅନର୍ଗଳ ବକ୍ତବ୍ୟ ପ୍ରଦାନ କରିଚାଲିଲେ। ଦଳର ଆବାହକ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରୀପାଠୀ ମଧ୍ୟ ସେହି ସମାନ ତଥ୍ୟକୁ ଦୋହରାଇଥିଲେ। ପରିଶେଷରେ ଅନ୍ୟ କେଉଁ ବରିଷ୍ଠ ନେତା ବ୍ୟକ୍ତି ବିଶେଷ ଆପଣଙ୍କ ଦଳରେ ଯୋଗ ଦେଉଛନ୍ତି ବୋଲି ସାମ୍ବାଦିକ ମାନେ ଦାମ ରାଉତଙ୍କୁ ପ୍ରଶ୍ନ ପଚାରିଥିଲେ। ବୈଜୟନ୍ତ ପଣ୍ଡାଙ୍କ ବାବଦରେ ପ୍ରଶ୍ନ ପଚାରିବାରୁ ସେ ଉତ୍ତର ରଖିଥିଲେ ଆମେ ପ୍ରତି ଦିନ କଥାବାର୍ତ୍ତା ହେଉଛୁ ଏବଂ ସେ ଖୁବ୍ ଶୀଘ୍ର ଆମ ସହିତ ଯୋଗ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏମାନଙ୍କ ବ୍ୟତୀତ ଅନେକ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ନାମ ମଧ୍ୟ ଦାମ ରାଉତ ବିଜୁ ସମତା କ୍ରାନ୍ତି ଦଳରେ ଯୋଗ ଦେବେ ବୋଲି ଘୋଷଣା କରିଥିଲେ। ତା’ ମଧ୍ୟରୁ ପୂର୍ବତନ ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର ଏବଂ ତାଙ୍କ ଭାଇ ଅବସର ପ୍ରାପ୍ତ ପ୍ରଶାସକ ପ୍ରସନ୍ନ ମିଶ୍ର ଦଳରେ ଯୋଗ ଦେଉଛନ୍ତି ବୋଲି ଦାମ ବାବୁ ଘୋଷଣା କଲେ। ଏହାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ସେହି ସ୍ଥାନରୁ କିଛି ସାମ୍ବାଦିକ ପ୍ରକାଶ ମିଶ୍ରଙ୍କୁ ତୁରନ୍ତ ଯୋଗାଯୋଗ କରିଥିଲେ। ପ୍ରକାଶ ମିଶ୍ର କହିଥିଲେ ମୁଁ ଏବଂ ମୋର ବଡ଼ଭାଇ କେବେବି ବିଜୁ ସମତା କ୍ରାନ୍ତି ଦଳରେ ଯୋଗ ଦେବାକୁ ପ୍ରତିଶୃତି ଦେଇନାହୁଁ। ଏହା ସମ୍ପୂର୍ଣ୍ଣ ମିଥ୍ୟା। କିନ୍ତୁ ରାଜନୀତିରେ ପୂର୍ବରୁ ଦାମ ରାଉତଙ୍କର ଏଭଳି ଅନେକ ତଥ୍ୟ ମିଥ୍ୟା ପ୍ରମାଣିତ ହୋଇସାରିଛି। ନୂତନ ଦଳକୁ ଲୋକ ଲୋଚନରେ ଗୁରୁତ୍ତ୍ୱ ବଢ଼ାଇବା ପାଇଁ ପ୍ରକାଶ ମିଶ୍ରଙ୍କ ପରି ଜଣେ ବ୍ୟକ୍ତି ବିଶେଷଙ୍କର ନାଁକୁ ନେଇ ଦାମ ରାଉତ ଯେଉଁ ମିଛ ରାଜନୈତିକ ଖେଳ ଖେଳିଲେ ତାହାକୁ ଉପସ୍ଥିତ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଘୋର ନାପସନ୍ଦ କରିଥିଲେ।