Odiapua.com

ମା ହିଙ୍ଗୁଳାଙ୍କ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ତାଳଚେର,୧୫/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଉପରେ ଚିତ୍ରିତ ଏକ ସ୍ୱତନ୍ତ୍ର ଡାକ ଲଫାପା ସାଉଥ ବଲଣ୍ଡା ସବ୍ ପୋଷ୍ଟ ଅଫିସ ପରିସରରେ ଉନ୍ମୋଚିତ ହୋଇଯାଇଛି । ଢେଙ୍କାନାଳ ଡାକବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସ୍ଥାନୀୟ ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ସଭାପତି ରଜନୀକାନ୍ତ ସ୍ୱାଇଁ,ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି.ରେଡ୍ଡୀ,ଡାକ ବିଭାଗର ବରିଷ୍ଠ ଅଧିକାରୀ ଭାଗ୍ୟଧର ଦାସ,ଡଃ.ଜଗବନ୍ଧୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ଅଗ୍ନିରୂପୀ ମା ହିଙ୍ଗୁଳାଙ୍କ ମହିମା ବର୍ଣ୍ଣନା କରିବା ସହ ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ଯେତିକି ପ୍ରାଚୀନ ସେତିକି ବୈଚିତ୍ରମୟ ବୋଲି ମତବ୍ୟକ୍ତ କରିଥିଲେ । ଏହାସହିତ ମା ହିଙ୍ଗୁଳା ଭକ୍ତର ଡାକକୁ ଶୁଣି ପ୍ରତ୍ୟକ୍ଷ ଭାବରେ କରୁଣାର ବାରି ଢାଳି ଦେଉଥିବାରୁ ତାଙ୍କୁ କରୁଣାମୟୀ ବୋଲି ଶ୍ରଦ୍ଧାଳୁମାନେ ଭକ୍ତି ସହକାରେ ଡାକିଥାନ୍ତି । ଭାରତୀୟ ଡାକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଏହି ଡାକ ଲଫାପା ପ୍ରସ୍ତୁତ କରାଯାଇଥିବାରୁ ମା ହିଙ୍ଗୁଳାଙ୍କ ମହିମାକୁ ସମଗ୍ର ବିଶ୍ୱରେ ପ୍ରଚାର, ପ୍ରସାର କରିବାରେ ଏହା ସହାୟକ ହେବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଟ୍ରଷ୍ଟବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ,ମୂରଲୀଧର ସାହୁ,ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଏହି ଡାକ ଲଫାପାରେ ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ନିର୍ମାଣାଧୀନ ଭବ୍ୟ ମନ୍ଦିରର ପ୍ରତିଛବି ସ୍ଥାନ ପାଇଥିବା ବେଳେ ଏହା ଶ୍ରଦ୍ଧାଳୁମାନଙ୍କ ମନରେ ଅପୂର୍ବ ଆନନ୍ଦ ଆଣିଦେଇଛି ।