Odiapua.com

ମା ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ବୈଠକ

ତାଳଚେର,୨/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ତାଳଚେର ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା’ଙ୍କ ପରିକଳ୍ପିତ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟମାନଙ୍କ ସହ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସର୍ବପ୍ରଥମେ ଟ୍ରଷ୍ଟବୋର୍ଡର ସଦସ୍ୟମାନେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କୁ ଉତରୀୟ ଓ ମା ହିଙ୍ଗୁଳାଙ୍କ ଉପଢୌକନ ଦେଇ ଟ୍ରଷ୍ଟର ଟ୍ରଷ୍ଟି ଭାବରେ ସ୍ୱାଗତ କରିଥିଲେ । ମା ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପ୍ରସ୍ତାବିତ ୧୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଶ୍ୱସ୍ତରୀୟ ମେଗା ହିଙ୍ଗୁଳା କମ୍ପେ୍ଲ୍ଲସ କାର୍ଯ୍ୟକୁ ସଠିକ୍ ଭାବରେ ବଣ୍ଟନ କରା ନଗଲେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ପ୍ରକାଶ କରିଥିଲେ । ମେଗା ହିଙ୍ଗୁଳା କମ୍ପେ୍ଲ୍ଲସର ବ୍ଲୁପ୍ରିଣ୍ଟ ସହ କୋଲ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ସହ କୋଲକତାରେ ଦୁଇ ଥର ଆଲୋଚନା କରିଛନ୍ତି କିନ୍ତୁ ଏ ସମ୍ବନ୍ଧୀୟ କୌଣସି ସକାରାତ୍ମକ ପତ୍ର କୋଲ୍ ଇଣ୍ଡିଆ ପକ୍ଷରୁ ଅଦ୍ୟାବଧି ମିଳିନାହିଁ ବୋଲି ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ ତଥା ଟ୍ରଷ୍ଟି ଶ୍ରୀ ସ୍ୱାଇଁ ଏସମ୍ବନ୍ଧରେ ପତ୍ର ମାଧ୍ୟମରେ ଏମ୍‌.ସି.ଏଲ୍ କର୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ତାଲାବନ୍ଦ ସମାପ୍ତ ହେବା ପରେ ଏକ ସୁସଜ୍ଜିତ ଯାନରେ ମା ହିଙ୍ଗୁଳାଙ୍କ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରାଯିବା ସହ ଏକ ହୁଣ୍ଡି ସ୍ଥାପନ କରାଯିବ ଏବଂ ଉକ୍ତ ଯାନଟି ତାଳଚେର ତଥା ଆଖପାଖ ଅଂଚଳର ସମସ୍ତ ଗ୍ରାମଗୁଡିକୁ ପରିଭ୍ରମଣ କରି ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରିବ ବୋଲି ସ୍ଥିର କରାଯାଇଥିଲା । ଟ୍ରଷ୍ଟ ସଦସ୍ୟ ମୂରଲୀଧର ସାହୁ ମନ୍ଦିର ଚତୁଃପାଶ୍ୱର୍ରେ ସୁଦୀର୍ଘ ପ୍ରାଚୀର ନିର୍ମାଣ କରାଗଲେ ମନ୍ଦିର ପରିସରରେ କାର୍ଯ୍ୟଗୁଡିକ ସୁରୁଖୁରୁ ସମ୍ପନ୍ନ ହୋଇପାରନ୍ତା ବୋଲି ଏକ ପ୍ରସ୍ତାବ ଆଗତ କରିଥିଲେ । ମା’ଙ୍କ ଦୈନିକ ରୀତିନୀତି ସମ୍ପନ୍ନ କରିବା ପାଇଁ ସଦସ୍ୟତା ଦେୟ ଆକାରରେ ପ୍ରାୟ ୨ଶହ ଜଣ ଶ୍ରଦ୍ଧାଳୁଙ୍କ ପାଖରୁ ୫ହଜାର ଟଙ୍କା ବା ତଦୁର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରାଯାଇ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ଏହି ସୁଧ ଟଙ୍କାରେ ପରବର୍ତି ସମୟରେ ମା ଙ୍କ ରୀତିନୀତି କାର୍ଯ୍ୟ କରାଯିବ । ଏଭଳି ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ୧ ହଜାରରେ ପଂହଚାଇବା ପାଇଁ ପ୍ରତି ଟ୍ରଷ୍ଟ ସଦସ୍ୟ ଉଦ୍ୟମ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ମା’ଙ୍କ ମନ୍ଦିର ସମ୍ମୁଖରେ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟରେ କିଛି ସମସ୍ୟା ଉପୁଜିଥିବାରୁ ଏହାକୁ ଶୀଘ୍ର ସମାଧାନ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଟ୍ରଷ୍ଟ ସଦସ୍ୟମାନେ ଅନୁରୋଧ କରିଥିଲେ । ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ବର୍ତମାନ ସୁଦ୍ଧା ୫ କୋଟି ୧୦ ଲକ୍ଷ ଟଙ୍କା ଦାନସୂତ୍ରରୁ ଆସିଥିବା ବେଳେ ଅଦ୍ୟାବଧି ୩ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଟ୍ରଷ୍ଟ ସଦସ୍ୟ ଗଗନ ବିହାରୀ ସାହୁ ସୂଚନା ଦେଇଥିଲେ । ଏହି ଅବସରରେ ସାଂସଦଙ୍କ ପ୍ରତିନିଧି ସୁନୀଲ କୁମାର ସାହୁ ୫୦୦୨ଟଙ୍କା ପ୍ରଦାନ କରି ଟ୍ରଷ୍ଟର ସଦସ୍ୟତା ଗ୍ରହଣ କରିଥିଲେ । ଏହି ବୈଠକ ପୂର୍ବରୁ ଏନ୍‌.ଟି.ପି.ସି ଓ ଜେ.ଆଇ.ଟି.ପି.ଏଲ୍ କର୍ତୃପକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମା’ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏମ୍‌.ସି.ଏଲ୍ କର୍ମଚାରୀମାନଙ୍କ ପରି ଉକ୍ତ ଦୁଇ ଶିଳ୍ପାନୁଷ୍ଠାନର କର୍ମଚାରୀମାନେ ଗୋଟିଏ ଦିନର ଦରମା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା । ମା’ଙ୍କ ମନ୍ଦିର ପରିସରରେ ହେବାକୁ ଥିବା ମେଗା ହିଙ୍ଗୁଳା କମ୍ପେ୍ଲ୍ଲସର କେଉଁ ଅଂଶକୁ ଶିଳ୍ପାନୁଷ୍ଠାନ ଗୁଡିକ ନିର୍ମାଣ କରିବେ ତାହା ଆସନ୍ତା ୭ ଦିନ ମଧ୍ୟରେ ଜଣାଇବା ପାଇଁ ଅବଗତ କରାଯାଇଥିଲା । ନାଲକୋ,ଟି.ଟି.ପି.ଏସ୍‌,ଜେ.ଏସ୍‌.ପି.ଏଲ୍ କର୍ତୃପକ୍ଷ ଏହି ବୈଠକରେ ଅନୁପସ୍ଥିତ ଥିବାରୁ ଉଭୟ ସାଂସଦ ଓ ବିଧାୟକ ବିରକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି.ରେଡ୍ଡୀ,ପୈାର ନିର୍ବାହୀ ଅଧିକାରୀ ଅତସୀ ପରିଡା,ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ନାୟକ,ଟ୍ରଷ୍ଟ ସଦସ୍ୟ ଜଗନ ମୋହନ ଗଡନାୟକ,ସଞ୍ଜୟ ସାହୁ,ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ଅରୁଣ ପ୍ରଧାନ,ସନ୍ତୋଷ ପ୍ରଧାନ,ମୂରଲୀଧର ସାହୁ,ଗଗନ ବିହାରୀ ସାହୁ,ରାଜେନ୍ଦ୍ର ସିଂହ,ରତ୍ନାକର ସାହୁ,ସିଦ୍ଧେଶ୍ୱର ପ୍ରଧାନଙ୍କ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିନିଧି ଉପସ୍ଥିତ ଥିଲେ ।