Odiapua.com

ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରାକ୍‌-ପ୍ରସ୍ତୁତି ବୈଠକ

ତାଳଚେର,୬/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରାକ୍‌-ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ରଜନୀକାନ୍ତ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ମା’ ଙ୍କ ଏହି ଅନନ୍ୟ ଯାତ୍ରା ଅପ୍ରେଲ ମାସ୨୫ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡିଛି । କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ମା’ଙ୍କ ପୂଜା ଓ ଯାତ୍ରା ପାରମ୍ପରିକ ନୀତିନିୟମ ଅନୁଯାୟୀ ସଂପନ୍ନ କରିବାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରସ୍ତାବ ଦେଇଥିଲେ ଏବଂ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହାସହିତ କୋଭିଡ୍ ବିସ୍ତାରକୁ ଆଖି ଆଗରେ ରଖି ମା ଅଗ୍ନିରୂପାଙ୍କ ଯାତ୍ରାର ସିଧାସଳଖ ପ୍ରସାରଣ ଯଦି କରାଯାଆନ୍ତା,ତେବେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରନ୍ତେ ବୋଲି ବିଧାୟକ ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରକାଶ କରିଥିଲେ। ମା’ଙ୍କ ଯାତ୍ରା ଓ ଲୋକ ମହୋତ୍ସବ ପାଳନ ପାଇଁ ଯଦି ସରକାର ନିଦ୍ଦିଷ୍ଟ ବିଜ୍ଞପ୍ତି ମାଧ୍ୟମରେ ଅନୁମତି ପ୍ରଦାନ କରନ୍ତି ତେବେ ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମା ହିଙ୍ଗୁଳାଙ୍କ ଯାତ୍ରା ଓ ଲୋକ ମହୋତ୍ସବ ଅନୁଷ୍ଠିତ ହେବ କି ନାହିଁ ସେକଥା ବର୍ତମାନ ପରିସ୍ଥିତିରେ କୁହାଯାଇ ପାରିବନାହିଁ। କିନ୍ତୁ ଆମ୍ଭେମାନେ ପୂର୍ବରୁ ଯଦି ପ୍ରସ୍ତୁତି କରିବା ତେବେ ଶେଷ ମୁହୂର୍ତରେ ହଇରାଣ ହେବା ନାହିଁ ବୋଲି ଉପସ୍ଥିତ ସଦସ୍ୟମାନେ ମତପ୍ରକାଶ କରିଥିଲେ।
ପୂର୍ବ ବର୍ଷମାନଙ୍କରେ ଏମ୍‌ସିଏଲ୍ ତଥା ଅନ୍ୟାନ୍ୟ ସରକାରୀ ବିଭାଗ ଯେଉଁ ସମସ୍ତ କାର୍ଯ୍ୟ ସମ୍ପାଦନା କରିଥାନ୍ତି,ସେହି ସବୁ କାର୍ଯ୍ୟ ଚଳିତ ବର୍ଷ ମଧ୍ୟ କରିବା ପାଇଁ ଆଜିଠାରୁ ପ୍ରସ୍ତୁତ ହେବା ସହିତ ଟେଣ୍ଡର ଆହ୍ୱାନ କରିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରା ଯାଇଥିଲା । ଛୋଟ ଶିଶୁମାନଙ୍କର ମୁଣ୍ଡନ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଚଳିତ ବର୍ଷ ମା’ଙ୍କ ମନ୍ଦିରର ତିନି ପାଶ୍ୱର୍ରେ ଯଥା-ମା କରଡେଇ,ଗୋଚ୍ଛାୟତ ସାହି ଓ ସିଙ୍ଗଡା ନଦୀ ନିକଟସ୍ଥ ପମ୍ପ ହାଉସ ପାଖରେ ଗୋଟିଏ ଲେଖାଏଁ ସିମେଣ୍ଟ ମଣ୍ଡପ ନିର୍ମାଣ ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ମନ୍ଦିରର ଜଳ ଯୋଗାଣ,ବିଦ୍ୟୁତ୍ ଓ ସଫେଇ କାର୍ଯ୍ୟକୁ ଚଳିତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପନ୍ନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ଶାଳବଣି ଛକ ଠାରୁ ସିଙ୍ଗଡା ପୋଲ ପର୍ଯ୍ୟନ୍ତ ହୋଇଥିବା ଚାରି ଲେନ୍ ବିଶିଷ୍ଟ ରାସ୍ତାର ଉଭୟ ପାଶ୍ୱର୍ର ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରଷ୍ଟ ସଦସ୍ୟମାନଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଉକ୍ତ ରାସ୍ତା ଏମ୍‌ସିଏଲ୍ ପକ୍ଷରୁ ଅଧିଗ୍ରହଣ କରାଯାଇ ଥିବାରୁ ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ପାଇଁ ତାଳଚେର ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି ସ୍ଥିର କରାଯାଇଥିଲା। ତାଳଚେରରେ କାର୍ଯ୍ୟରତ ୪ଟି ଶ୍ରମିକ ସଙ୍ଗଠନ ଯଥା-ଆଇଏନ୍‌ଟିୟୁସି, ବିଏମ୍‌ଏସ୍‌, ଏଚ୍‌ଏମ୍‌ଏସ୍ ଓ ଏଆଇଟିୟୁସିର ସାଧାରଣ ସମ୍ପାଦକ,ତାଳଚେରସ୍ଥିତ ଏମ୍‌ସିଏଲ୍ ର ସମସ୍ତ ମହାପ୍ରବନ୍ଧକଙ୍କ ସମେତ ଏନ୍‌ଟିପିସି,ଟିଟିପିଏସ୍ ଓ ନାଲ୍‌କୋର ମହାପ୍ରବନ୍ଧକମାନଙ୍କୁ ପରବର୍ତୀ ଟ୍ରଷ୍ଟବୋର୍ଡରେ ସଦସ୍ୟ ଭାବରେ ସାମିଲ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ମା ହିଙ୍ଗୁଳାଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଆଗକୁ ନେବା ପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଗୋଟିଏ ଦିନର ଦରମା ଦେବାକୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାସହିତ ମା ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣାର୍ଥେ ପ୍ରତ୍ୟେକ ସେକ୍ଟରର ଟ୍ରକମାଲିକମାନଙ୍କୁ ଟ୍ରିପ ପିଚ୍ଛା ୫୦ଟଙ୍କା ସହଯୋଗ କରିବା ପାଇଁ ଅନୁରୋଧ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ଓ ଏହି ନିଷ୍ପତିକୁ ଟ୍ରକ ମାଲିକ ସଂଘ, ତାଳଚେରଙ୍କୁ ଅବଗତ କରାଯିବାକୁ ପ୍ରସ୍ତାବ କରାଗଲା। ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ଗ୍ରାମ୍ୟ ବ୍ୟାଙ୍କରେ ପୂର୍ବରୁ ଜମା ଥିବା ଅର୍ଥରାଶି ମଧ୍ୟରୁ ୧୦ ଲକ୍ଷ ଟଙ୍କା ଗଚ୍ଛିତ ରଖି ବଳକା ଅର୍ଥକୁ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିନିଯୋଗ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ଶେଷରେ ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ଜଗନ ମୋହନ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ବୈଠକରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ସୁନୀଲ ପ୍ରଧାନ,ହିଙ୍ଗୁଳା ମହାପ୍ରବନ୍ଧକ ପି.ବି.ରେଡ୍ଡୀ,ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ,ମୂରଲୀଧର ସାହୁ, ସୌଭାଗ୍ୟ ପ୍ରଧାନ,ସଞ୍ଜୟ ସାହୁ,ରାଜେନ୍ଦ୍ର କୁମାର ସିଂହ,ଅରୁଣ ପ୍ରଧାନ,ରତ୍ନାକର ସାହୁ, ସନ୍ତୋଷ କୁମାର ପ୍ରଧାନ,ଗଗନ ବିହାରୀ ସାହୁ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ଖଣି ଅଧିକାରୀ,ଏନଟିପିସିର ଅଧିକାରୀ ଓ ଉପଖଣ୍ଡସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।