Odiapua.com

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ତାଳଚେର, ୭/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ବୁଧବାର ନିଶାର୍ଦ୍ଧରେ ଚିହ୍ନଟ କରାଯାଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟର ପାଚେରୀ ନିକଟସ୍ଥ ତଥା ଗଜରାଜ ଷ୍ଟାଡିୟମ୍ ର ପଶ୍ଚାତ୍ ଭାଗରେ ଥିବା ପଡିଆରେ ମା’ ଅଗ୍ନିରୂପା ଆର୍ବିଭାବ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରୀରେ ଦେହୁରୀ ମା’ଙ୍କୁ ଶାବରୀ ମନ୍ତ୍ରରେ ଆରାଧନା କରି ବଶୀଭୂତ କରିଥିଲେ ଏବଂ କୋଇଲା ସଂଯୋଗ କରି ମା’ଙ୍କ ଉଭାସ୍ଥଳୀ ଚିହ୍ନଟ କରିଥିଲେ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ମା ଅଗ୍ନିରୂପା ସିଙ୍ଗଡା ନଦୀର ତଟଦେଶରେ ଆବିର୍ଭାବ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅପାର ଆନନ୍ଦ ଖେଳିଯାଇଛି। ସୂଚନାଯୋଗ୍ୟ, ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୧୮ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।