Odiapua.com

ମା’ ସାତଭଉଣୀ ପୀଠ, ୧୩ ଜଣ ସଦସ୍ୟଙ୍କୁ ନେଇ ଟ୍ରଷ୍ଟିବୋର୍ଡ ଗଠନ

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୪୨ ବର୍ଷ ପରେ ଶକ୍ତି ଉପାସନା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଅଭୁତ ବୈଶିଷ୍ଟ୍ୟ ରହିଥିବା ଭଦ୍ରକର ମା’ ସାତଭଉଣୀ ଦେବୀ ପୀଠର ଟ୍ରଷ୍ଟିବୋର୍ଡ ଗଠନ ହେଲା। ୧୯୮୪ ମସିହା ନଭେମ୍ବର ୨ ତାରିଖରେ ଏହି ଦେବୀପୀଠକୁ ଦେବୋତର ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଉଦ୍ୟମରେ ଏହି ଟ୍ରଷ୍ଟି ବୋର୍ଡ ଗଠନ ହୋଇଛି। ମା’ଙ୍କର ସ୍ଥାବର ଅସ୍ଥାବର ସମ୍ପତି ଏବେ ଏହି ସରକାରୀ କମିଟି ଟ୍ରଷ୍ଟି ବୋର୍ଡ ଅଧୀନରେ ରହିବ। ଏହି ଦେବୀପୀଠରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଦୁର୍ଗାପୂଜା ଠାରୁ ଆରମ୍ଭ କରି ମକର ମେଳା, ପାଟୁଆ ନାଚ, କୁମ୍ଭ ମେଳା, ଗଣେଶ ପୂଜା, ଶିବରାତ୍ରୀ ଓ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଦେବାଦେବୀଙ୍କର ପ୍ରମୁଖ ପୂଜା ଗୁଡିକ ଏଠାରେ ପାଳିତ ହୁଏ। ଏହି ଟ୍ରଷ୍ଟି ବୋର୍ଡ ଗଠନ ପାଇଁ ଗତ ୮ ତାରିଖରେ ମା’ ସାତଭଉଣୀ ମନ୍ଦିର ପରିସରରେ ପୂର୍ବତନ ଜିଲା ପରିଷଦ ସଭାପତି ତଥା ପୂର୍ବତନ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ଓ ମନ୍ଦିର ପରିଚାଳନା କମିଟିର ପ୍ରମୁଖ ମଳୟ ଜେନାଙ୍କ ସଭାପତିତ୍ୱରେ ଏକ ବୈଠକ ବସିଥିଲା। ୧୩ ଜଣିଆ ସଦସ୍ୟଙ୍କୁ ନେଇ ଟ୍ରଷ୍ଟ ବୋର୍ଡ ଗଠନ କରାଗଲା। ସର୍ବସମ୍ମତି କ୍ରମେ ମ୍ୟାନେଜିଂ ଟ୍ରଷ୍ଟି ପକ୍ଷରୁ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା। ଏହି ବୈଠକରେ ଭଦ୍ରକ ଗ୍ରାମାଂଚଳ ଥାନାଧିକାରୀ ଟ୍ରଷ୍ଟିବୋର୍ଡର ଅନ୍ୟତମ ସଦସ୍ୟ ଥିବାବେଳେ କମଳାକାନ୍ତ ମହାକୁଡ, ସୁଶାନ୍ତ ରାଉତ, ସୁନୀଲ ବାରିକ, ଲକ୍ଷ୍ମୀଧର ଦାସ, ମନୋରଞ୍ଜନ ପରିଡା, ମାନସ କୁମାର ନାୟକ, ଆଶୁତୋଷ ପରିଡା, ନରେଶ ଚନ୍ଦ୍ର ବାରିକ, ଖଗେଶ୍ୱର ପଲେଇ, ପଂଚାନନ ବେହେରା ପ୍ରମୁଖ ସଦସ୍ୟ ରହିଛନ୍ତି। ମନ୍ଦିର ପରିବେଶକୁ ସ୍ୱଚ୍ଛ ରଖିବା ସହ ଭିତିଭୂମିର ବିକାଶକୁ ଗୁରୁତ୍ୱ ଦିଆଯିବ ବୋଲି ଟ୍ରଷ୍ଟିବୋର୍ଡର ମୁଖ୍ୟ ବିଡିଓ ଶ୍ରୀ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ମନ୍ଦିରର ସ୍ଥାବର ଅସ୍ଥାବର ସମ୍ପତିକୁ ଅଡିଟ୍ କରାଯାଇ ଆକଳନ କରାଯିବା ସହ ଏକ ନୂତନ ଆକାଉଂଟ ଖୋଲି ତାହାକୁ ପରିଚାଳନା କରାଯିବ। ଜୁନ୍ ଶେଷ ସପ୍ତାହରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇ ମନ୍ଦିରର ବିକାଶ ସଂପର୍କରେ ନିଷ୍ପତି ନିଆଯିବ ବୋଲି କହିଥିଲେ। ଟ୍ରଷ୍ଟବୋର୍ଡ ଗଠନ ସଂପର୍କରେ ଏକ ପତ୍ର ଦେବୋତର ବିଭାଗକୁ ପଠାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଭଦ୍ରକ ସହର ପରିକ୍ରମା କରିଥିବା ୧୬ନଂ ଜାତୀୟ ରାଜପଥ ଠାରୁ ମାତ୍ର ୩ କିମି ଭଦ୍ରକ-ଆରଡି ରାସ୍ତାରେ ଗଲେ ଭଦ୍ରକ ବ୍ଲକ୍ ଅଧୀନ କୋରକୋରା ଗ୍ରାମପଂଚାୟତର ମା’ ସାତଭଉଣୀ ମନ୍ଦିର ବାମପାଶ୍ୱର୍ରେ ପଡେ। ସାଧାରଣତଃ ସମସ୍ତ ଶକ୍ତିପୀଠରେ ଶାରଦୀୟ ଦୁର୍ଗାପୂଜା, ବାସନ୍ତୀ ଦୁର୍ଗାପୂଜା ସମାସମାରୋହରେ ପାଳନ କରାଯାଉଥିବାବେଳେ ମା’ ସାତଭଉଣୀଙ୍କ ମୁଖ୍ୟ ପର୍ବ ମକର ସଂକ୍ରାନ୍ତି ପାଳନ କରାଯାଏ। ମା’ ସାତଭଉଣୀ ବ୍ରାହ୍ମଣ୍ୟ ବୈଷ୍ଣବୀ ଆଦି ଗୋଷ୍ଠୀର ସୀମା ଭିତରେ ନରହି ସର୍ବତ୍ର ପୂଜିତ। ମା’ ସାତଭଉଣୀଙ୍କ ବିଜେସ୍ଥଳୀ କୌଣସି ଏକ ଗ୍ରାମ ବା ଜନବସତି ମଧ୍ୟରେ ସୀମାବଦ୍ଧ ନୁହେଁ। ମା’ଙ୍କ ମନ୍ଦିର ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ। ଏହାର ବାମପାଶ୍ୱର୍ରେ ବିଶାଳକାୟ ବଟବୃକ୍ଷ ଓ ଦୁଇଟି ପୁଷ୍କରିଣୀ, ସମ୍ମୁଖ ଭାଗରେ ଐତିହାସିକ ବଡଦାଣ୍ଡ ରାସ୍ତାର ଉଭୟ ପାଶ୍ୱର୍ରେ ଆମ୍ରକାନନର ନୈସର୍ଗିକ ଶୋଭା, ଉତର ଦିଗରେ ପଶ୍ଚିମା ବଟବୃକ୍ଷ ଠାରୁ ପାଖରେ କାଠଚମ୍ପା ଗଛର ଶୋଭା ଜନ ମାନସକୁ ଆକର୍ଷିତ କରିଥାଏ। ଏହି ମକର ଯାତ୍ରା ପାଇଁ ପରମ୍ପରା ଅନୁସାରେ ଏଠାରେ ସ୍ଥାନୀୟ ବାସିନ୍ଦାକୁ ନେଇ ଏକ କମିଟି ଗଠନ କରାଯାଇଥାଏ। ଭୌଗୋଳିକ ଓ ପାରିପାଶ୍ୱର୍ିକ ଦୃଷ୍ଟିରୁ ଏହା କେବଳ ଏହି ଅଂଚଳର ଦେବୀ ନୁହଁନ୍ତି, ଭଦ୍ରକ ଜିଲାର ଧାର୍ମିକ ତଥା ତୀର୍ଥଯାତ୍ରୀଙ୍କ ପାଇଁ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀ ରୂପେ ବିରାଜମାନ ହୋଇଛି।