ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଶ୍ରୀ ମା’ ସାତଭଉଣୀ ଠାକୁରାଣୀଙ୍କ ଟ୍ରଷ୍ଟବୋର୍ଡର ତୃତୀୟ ବୈଠକ ଆଜି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଡିଓ ରଶ୍ମିରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ଶାରଦୀୟ ଦୁର୍ଗାପୂଜା ପାଇଁ ପୂର୍ବବର୍ଷ ଭଳି ଚଳିତବର୍ଷ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା। ଅନ୍ୟପକ୍ଷରେ ଆସନ୍ତା ୧୩ ରେ ନିଲାମ ହେବାକୁ ଥିବା ମା’ ଠାକୁରାଣୀଙ୍କ ପୁଷ୍କରିଣୀ ପାଇଁ ନୋଟିସ୍ କରାଯାଇଥିଲା। ଗତ ବାତ୍ୟା ବନ୍ୟା ରିଲିଫ୍ କାର୍ଯ୍ୟ ଯୋଗୁଁ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ତଥା ବିଡିଓ ବ୍ୟସ୍ତ ଥିବାରୁ ପରବର୍ତୀ ନିଲାମ ପାଇଁ ଅନ୍ୟ ଏକ ତାରିଖ ଧାର୍ଯ୍ୟ କରାଯିବା ପାଇଁ ନିଷ୍ପତି ହୋଇଛି। ଟ୍ରଷ୍ଟବୋର୍ଡ ଗଠନକୁ ନେଇ ମାନ୍ୟବର ଉଚ୍ଚନ୍ୟାୟାଳୟରେ ହୋଇଥିବା ରିଟ୍ ପିଟିସନ୍କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏ ସଂପର୍କରେ ମା’ ଠାକୁରାଣୀଙ୍କ ସମସ୍ତ କାଗଜପତ୍ର ହାଇକୋର୍ଟର ସରକାରୀ ଓକିଲଙ୍କୁ ଯୋଗାଇଦେବା ପାଇଁ ନିଷ୍ପତି ହୋଇଥିଲା। ସେହିପରି ଠାକୁରାଣୀଙ୍କ ପୂଜା ପାର୍ବଣରେ ଆବଶ୍ୟକ ପଡୁଥିବା ନିର୍ମାଣାଧୀନ ପୂଜକ ରହିବା ଘର, ଷ୍ଟୋର ରୁମ୍ ଓ ଯାତ୍ରୀ ବିଶ୍ରାମଘରକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହେବା ପରେ ହାଇକୋର୍ଟ ବିଡିଓଙ୍କୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଷ୍ଠିତ ବୈଠକରେ ଟ୍ରଷ୍ଟିର ସଦସ୍ୟ ମଳୟ ଜେନା, କମଳାକାନ୍ତ ମହାକୁଡ, ସୁନୀଲ କୁମାର ବାରିକ, ନରେଶ ଚନ୍ଦ୍ର ବାରିକ, ମାନସ କୁମାର ନାୟକ, ସୁବ୍ରତ କୁମାର ରାଉତ, ଖଗେଶ୍ୱର ପଲାଇ, ପରେଶ ଚନ୍ଦ୍ର ରାଉତ, ଆଶୁତୋଷ ପରିଡା ଓ ମନୋରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।