Odiapua.com

ମା ଶାରଳା ଠାକୁରାଣୀଙ୍କ ପୀଠ ଲାଗୁଛି ଖାଁ ଖାଁ: ଅନିଶ୍ଚିତତା ଭିତରେ ମା’ଙ୍କ ଚନ୍ଦନ ଯାତ୍ରା

ତିର୍ତ୍ତୋଲ୨୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – କରୋନା ମହାମାରୀ ଯୋଗୁଁ ସାରାଦେଶ ଓ ରାଜ୍ୟରେ ଲକଡ଼ାଉନ ଘୋଷଣା କରାଯାଇଛି। ଏହା ସହିତ କୌଣସି ଦେବାଦେବୀ ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ନଯିବାପାଇଁ ମଧ୍ୟ ରୋକ୍ ଲଗାଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଲକଡ଼ାଉନ ଯୋଗୁଁ ଏବେ ଖାଁ ଖାଁ ଲାଗୁଛି। ପ୍ରତ୍ୟେକ ଦିନ ଏହି ପୀଠରେ ସାରା ରାଜ୍ୟରୁ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିଥାଏ। ଏବେ ଏହି ପୀଠରେ କେତେ ସେବାୟତଙ୍କୁ ଛାଡ଼ି ଦେଲେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସୁନାହାନ୍ତି। କେବଳ ମା ଶାରଳା ଠାକୁରାଣୀଙ୍କ ଦୈନନ୍ଦିନ ନିତି କ୍ରାନ୍ତି କରାଯାଉଅଛି। ଏହା ବ୍ୟତୀତ ଲକଡ଼ାଉନ ଯୋଗୁଁ ମାଙ୍କର ଅନ୍ୟ କୌଣସି ଯାନି ଯାତ୍ରା କରାଯାଉନଥିବା ଦେଖିବାକୁ ମିଳିଛି। ନିକଟରେ ମହା ବିଷୁବ ପଣା ସଂକ୍ରାନ୍ତି ଓ ଝାମୁ ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼କୁ ଆଖିଆଗରେ ରଖି ଏହି ପୀଠକୁ ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରୀ କରାଯାଇଥିଲା। ଯାହାଫଳରେ ମହାବିଷୁବ ପଣା ସଂକ୍ରାନ୍ତିରେ ଭକ୍ତମାନେ ମା’ଙ୍କ ନିକଟକୁ ନଆସି ନିଜ ଘରେ ଘରେ ବସି ମା’ ଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ନିତୀ କ୍ରାନ୍ତି ଅନୁଯାୟୀ ମହା ବିଷୁବ ପଣାସଂକ୍ରାନ୍ତି କେବଳ ପଣ୍ଡା ସେବକ ମାନଙ୍କଦ୍ୱାରା କରାଯାଇଥିଲା। କିନ୍ତୁ ଯୁଗ ଯୁଗ ଧରି ହୋଇଆସୁଥିବା ଝାମୁ ଯାତ୍ରା ସମ୍ପୁଣ୍ଣ ଭାବରେ ବନ୍ଦ କରାଯାଇଥିଲା। ସେହିପରି ମା ଶାରଳା ଠାକୁରାଣୀଙ୍କର ଆସନ୍ତା ୨୬ ତାରିଖ ପବିତ୍ର ଅଖିତୃତୀୟା ଦିନ ଚନ୍ଦନ ଯାତ୍ରା ହେବାର ସମ୍ଭାବନା ରହିଅଛି। ଯେହେତୁ ରାଜ୍ୟ ସରକାର ଏପ୍ରିଲ ୩୦ ଓ କେନ୍ଦ୍ର ସରକାର ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି। ଏହି ଚନ୍ଦନ ଯାତ୍ରା ପବିତ୍ର ଅଖିତୃତୀୟା ଦିନ ଠାରୁ ଆରମ୍ଭ କରାଯାଇ ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯାଇଥାଏ। ମା’ଙ୍କର ଚଳନ୍ତି ପ୍ରତିମାକୁ ଏକ ବର୍ଣ୍ଣାଢ଼୍ୟ ପଟୁଆରରେ ଆଲଟ ଚାମର, ଭେରୀତୂରୀ, ଘଣ୍ଟ, ଘଣ୍ଟା ମାଧ୍ୟମରେ ମନ୍ଦିର ପରିସରରୁ ପଣ୍ଡା ସେବାୟତ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ଚନ୍ଦନ ପୁଷ୍କରିଣୀ ନିକଟରେ ପହଞ୍ଚି ନୌବିହାରରେ ଯାତ୍ରା କରିଥାଆନ୍ତି। ପ୍ରଥମ ଦିନ ଏକ ଘେରା, ଦ୍ୱିତୀୟଦିନ ଦୁଇ ଘେରେ ଏମିତି ୨୧ ଦିନ ପର୍ଯ୍ୟନ୍ତ ୨୧ ଘେରା ଚନ୍ଦନ ପୁଷ୍କରିଣୀରେ ମା ଚାପ ଖେଳିଥାଆନ୍ତି। ଯେହେତୁ ଲକଡ଼ାଉନ ଯୋଗୁଁ ମା ଶାରଳାଙ୍କ ପାରମ୍ପାରିକ ଝାମୁ ଯାତ୍ରାକୁ ବନ୍ଦ କରିଦିଆଯାଥିଲା। ଆସନ୍ତ ୨୬ ପବିତ୍ର ଅଖିତୃତୀୟା ଦିନ ମା ଶାରଳାଙ୍କ ଚନ୍ଦନ ଯାତ୍ରା ପଡ଼ୁଛି। ଏହି ଚନ୍ଦନ ଯାତ୍ରାକୁ ସାମାଜିକ ଦୂରତା ଅବଲମ୍ବନ କରାଯାଇ କରାଯିବ ନା ଜିଲ୍ଲାପ୍ରଶାସନ ଏହି ଯାତ୍ରାକୁ ରୋକ୍ ଲଗାଇବ ଏହା ଅନିଶ୍ଚିତତା ଭିତରେ ଥିବା ଜଣାପଡ଼ିଥିବାବେଳେ ଚନ୍ଦନ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ତରଫରୁ କିଛି ମାତ୍ରାରେ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିବା ଶୁଣିବାକୁ ମିଳୁଛି। ମା ଶାରଳା ଠାକୁରାଣୀଙ୍କ ପୀଠର ମୁଖ୍ୟଦ୍ୱାରା ଏବେ ବନ୍ଦ ହୋଇଥିବା ଯୋଗୁଁ ଯେଉଁ କାଁ ଭାଁ ଭକ୍ତ ଆସୁଛନ୍ତି ମନ୍ଦିର ମୁଖ୍ୟ ଫାଟକରେ ମୁଣ୍ଡିଆ ମାରି ପାଦୁକ ଚନ୍ଦନ ପାଇ ଚାଲିଯାଉଛନ୍ତି। ଏହି ପୀଠରେ ଜନଶୂନ୍ୟ ହେବା ଦିନରୁ ମନ୍ଦିର ପରିସରରେ ଥିବା ଭୋଗ ଦୋକାଳ, ଦ୍ୱୀପ ଦୋକାନ, ମାଳି ଦୋକାନ ଓ ମନ୍ଦିର ବାହାରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ କ୍ଷତି ସହିଥିବା ଜଣାପଡ଼ିଛି।