Odiapua.com

ମା’ ମାଗୁଛି ପୁତ୍ରର ଜୀବନ ଭିକ୍ଷା

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚଣ୍ଡିଗାଁ ପଞ୍ଚାୟତ ପଗଡ ଗ୍ରାମର ଶୁଭ୍ରଜିତ ଦାସ ମହାପାତ୍ର। ବୟସ ୨୨। ଶରତ ଦାସ ମହାପାତ୍ର କନିଷ୍ଠ ପୁତ୍ର ପ୍ରାୟ ଏକବର୍ଷ ହେଲା ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଗତବର୍ଷ ମାର୍ଚ୍ଚ ମାସ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କ ମା’ ମଂଜୁଲତା ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ରୋଗ ଜାଣି ନପାରି ପରେ ତାଙ୍କୁ ଡାକ୍ତରମାନେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ପରିବାର ଲୋକେ ଶୁଭ୍ରଜିତ୍‌କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ୧୫ଦିନ ଧରି ଆଇସିୟୁରେ ରହି ଚିକିତ୍ସା ସମୟରେ ଜଣାପଡିଥିଲା ସେ ରକ୍ତ କର୍କଟରେ ଆକ୍ରାନ୍ତ। କିଛିଦିନ ଚିକିତ୍ସାଧୀନ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ କିଛିଦିନ ହେବ ପୁଣି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଚିକିତ୍ସାରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ବୋନ ମାରୋ ଟ୍ୟାକ୍ସପ୍ଲାଣ୍ଟ ପାଇଁ ଆହୁରି ୨୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। କିନ୍ତୁ ଏତେ ପରିମାଣର ଅର୍ଥ ଯୋଗାଡ କରିପାରୁନାହାଁନ୍ତି ଶୁଭ୍ରଜିତର ବାପା ଓ ମା’। ତେଣୁ ପୁତ୍ରର ଜୀବନ ରକ୍ଷା ପାଇଁ ମା’ ମଂଜୁଲତା ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହଯୋଗ କାମନା କରିଛନ୍ତି।