ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଭଦ୍ରକାଳୀ ମନ୍ଦିର ପୋଖରୀ ହୁଡା ପାଚେରୀ ଧସିବା ଘଟଣାରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ସୁଶ୍ରୀ ସୁରମା ବର୍ଦ୍ଧନଙ୍କୁ ନିଲମ୍ବନ କରିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୭୦୫ ମୂଳେ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ସେ ଜିଲା ପରିଷଦ ଉନ୍ନୟନ ଅଧିକାରୀଙ୍କ ବିନା ଅନୁମତିରେ ଜିଲା ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । କାର୍ଯ୍ୟରେ ଅବହେଳା ଓ ଉନ୍ନୟନ କାର୍ଯ୍ୟର ତଦାରଖ କରିନଥିବା କାରଣରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜିଲାପାଳଙ୍କ ଚିଠିରେ ଦର୍ଶାଯାଇଛି । ସୂଚନା ଥାଉକି ଗତ ଜୁନ୍ ୨୫ ରେ ଭଦ୍ରକାଳୀ ମନ୍ଦିର ପୋଖରୀ ହୁଡା ପାଚେରୀ ଧସି ଯାଇଥିଲା । ସାମାଜିକ ଗଣମାଧ୍ୟମରେ ପ୍ରଶାସନକୁ ବେଶ୍ ସମାଲୋଚନା କରାଯାଇଥିଲା । କେଉଁ ପରିସ୍ଥିତିରେ ପାଚେରୀ ଧସିଲା ତାହାର ତଦନ୍ତ କରିଥିଲା ପ୍ରଶାସନ । ୧୦ଦିନ ପରେ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି ।