Odiapua.com

ମା’ ଭଦ୍ରକାଳୀ ବେଦମାତା ଓ ମହାକାଳୀ ବେଶରେ ପୂଜା ପାଇଛନ୍ତି, ଆଜି ମା’ଙ୍କର ରାଜରାଜେଶ୍ୱରୀ ବେଶ

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣ ପ୍ରସିଦ୍ଧ ଶକ୍ତି ପୀଠ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଗୁରୁବାର ବେଦମାତା ବେଶରେ ପୂଜା ପାଇଥିବା ବେଳେ ଆଜି ମା ମହାକାଳୀ ବେଶରେ ପୂଜା ପାଇଛନ୍ତି । ମାଙ୍କୁ ଦର୍ଶନ କରିବା ପାଇଁ ସକାଳୁ ଭକ୍ତ ମାନେ ଧାଡି ବାନ୍ଧି ଧୂପ, ଦୀପ,ନୈବେଦ୍ୟ ପ୍ରଦାନ କରି ଆଶିଷ ଭିକ୍ଷା କରିଛନ୍ତି। ବେଦମାତା ବେଶରେ ମା ହଳଦିଆ ପାଟ ବସ୍ତ୍ର ପରିଧାନ କରିଥିଲେ। ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ରେ ଭୁଷିତ ହୋଇ ବାମ ହସ୍ତ ଯୁଗଳରେ ବେଦ ଓ କମଣ୍ଡୁଳ ଧାରଣ କରିବା ସହିତ ଦକ୍ଷିଣ ହସ୍ତ ଯୁଗଳ ରେ ଜପାମଳି ଓ ପଦ୍ମ ଧାରଣ କରିଛନ୍ତି।ମା ଙ୍କର ମୁଖ ମଣ୍ଡଳ ହଳଦି ବର୍ଣ୍ଣ ଥିବା ବେଳେ ମା ହଂସ ବାହନ ରେ ବିରାଜମାନ କରିଛନ୍ତି। ଶାସ୍ତ୍ର ମତ ଅନୁସାରେ ସୃଷ୍ଟି କର୍ତା ବ୍ରହ୍ମା, ପାଳନ କର୍ତା ବିଷ୍ଣୁ ଓ ସଂହାର କର୍ତା ମହେଶ୍ୱର ଙ୍କର ଆରାଧ୍ୟ ହେଉଛନ୍ତି ବେଦମାତା ସେଥିପାଇଁ ତାଙ୍କୁ ଦେବମାତା ବୋଲି କୁହାଯାଏ। ସେ ସମସ୍ତ ଦେବତାଙ୍କୁ ସ୍ନେହ ମମତା ବଂଟନ କରିଥାନ୍ତି। ବେଦ ଜ୍ଞାନ ର ଭଣ୍ଡାର ଅଟେ।ସମସ୍ତ ବେଦ ର ସରତତ୍ୱ ମା ବେଦ ମାତା ଙ୍କୁ ଜ୍ଞାନ ଗଙ୍ଗା ବୋଲି କୁହା ଯାଇଛି।ଯେପରି ପବିତ୍ର ଗଙ୍ଗା ନଦୀ ରେ ସ୍ନାନ କଲେ ଭକ୍ତ ର ଶରୀର ରୁ ପାପ ଧୋଇ ହୋଇଯାଏ ଠିକ୍ ସେହପରି ବେଦ ମାତା ଙ୍କୁ ଦର୍ଶନ କଲେ ଭକ୍ତ ର ଆତ୍ମା ଶୁଦ୍ଧି ଓ ପବିତ୍ର ହୋଇଥାଏ। ଅଥର୍ବ ବେଦ ଅନୁସାରେ ବେଦମାତା ଙ୍କୁ ଦର୍ଶନ କଲେ ଭକ୍ତର ଆୟୁ, ପ୍ରାଣ, ଯଶ, କିର୍ତି ଲାଭ କରିବା ସହିତ ଭକ୍ତ ଉତମ ଗୁଣର ଅଧିକାରୀ ହୋଇଥାଏ। ପୀଠରେ ସୂର୍ଯ୍ୟ ପୂଜା, ଗୁରୁପୂଜା, ପଂଚଦେବତା ପୂଜା ପରେ ମଙ୍ଗଳା ଆଳତୀ ସମ୍ପନ୍ନ କରାଯାଇ ମାନସିକ କାଳସ ଶୋଭାଯାତ୍ରା ବାହାରିଥିଲା। ମାନସିକଧାରି ଭକ୍ତ ମାନେ ମୁଣ୍ଡ ରେ ଘଟ ଧରି ପାରମ୍ପାରିକ ବାଦ୍ୟ ସହ ବେଦପାଠ ନାମ ସଙ୍କୀର୍ତନ ଶୋଭାଯାତ୍ରାରେ ଯାଇ ପବିତ୍ର ସାଳନ୍ଦୀ ନଦୀ ର ଆହାରପଦ। ଘାଟ ରୁ ଜଳ ଆଣିଥିଲେ। କଳସ ମଣ୍ଡପ ରେ ଘଟ ସ୍ଥାପନ କରାଯିବା ପରେ ଶାସ୍ତ୍ରୀୟ ବେଦବିତ ବ୍ରାହ୍ମଣ ମାନଙ୍କ ଦ୍ୱାରା ମହାଯଜ୍ଞ ର ଶୁଭାରମ୍ଭ ହୋଇଥିଲା। ସନ୍ଧ୍ୟା ବେଳେ ମାଙ୍କର ସାନ୍ଧ୍ୟ ଦିବ୍ୟ ଆଳତୀ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ଭିଡ ଲାଗିଥିଲା। ଶୁକ୍ରବାର ମା ମହାକାଳୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ବାସ୍ତବିକ୍ ମା ପୀଠରେ ବର୍ଷସାରା ଶାନ୍ତ ସୌମ୍ୟ ରୂପରେ ପୂଜା ପାଇ ଥାନ୍ତି। ଭଦ୍ର ଶବ୍ଦ ର ଅର୍ଥ ମଙ୍ଗଳ । ମା ମଙ୍ଗଳ ମୟୀ, କଲ୍ୟାଣକାରୀ ଅଟନ୍ତି। କୋଳରେ ବଲଗୋପାଳ ବିଗ୍ରହ ଙ୍କୁ ଧାରଣ କରି ଥିବାରୁ ସେ ଜଗତର ପାଳନ କର୍ତୀ ଓ ସ୍ନେହମୟୀ ଅଟନ୍ତି। ସପ୍ତମାତୃକା ବେଶ ର ଦିତୀୟଦିବସରେ ସେ ମୁକ୍ତ କେଶା, ରକ୍ତଜିହ୍ୱା, ମୁଣ୍ଡମଲିନି, ଖଡଗଧାରିନି ଉଗ୍ର ଓ ରୁଦ୍ର ରୂପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଶାସ୍ତ୍ର ମତାନୁସାରେ ଆଦ୍ୟା ଶକ୍ତି ମାତା ପାର୍ବତୀ ବ୍ରହ୍ମା ଙ୍କ ବର ରେ ବଳୀୟାନ ହୋଇ ତ୍ରିପୁର ରେ ହା ହା କାର ଓ ପ୍ରଳୟ ସୃଷ୍ଟି କରିଥିବା ଦାନବ ରକ୍ତବିର୍ଯ କୁ ବିନାଶ କରିବା ପାଇଁ ଏହି ରୁଦ୍ର ରୂପ କୁ ଧାରଣ କରିଥିଲେ। ମହାକାଳୀ ବେଶ ରେ ଦର୍ଶନ କଲେ ଭକ୍ତ ର ଗର୍ବ, ଅହଙ୍କାର ଖଣ୍ଡନ ହୋଇଥାଏ, ଭକ୍ତ ଆସୁରିକ ପ୍ରବୃତିରୁ ମୁକ୍ତି ପାଇ ସତ୍ୟ, ଧର୍ମ ପଥ ଅନୁସରଣ କରିଥାଏ। ମହାଯଜ୍ଞ ର ଦ୍ୱିତୀୟ ଦିବସ ରେ ଗୀତା ପାଠ,ପ୍ରବଚନ, ନାମ ସଂକୀର୍ତନ, ବେଦପାଠୋ, ଶତଚଣ୍ଡିପାଠ ସହ ହୋମ ଯଜ୍ଞ ଚାଲୁରହିଛି। ତୃତୀୟ ଦିବସ ରେ ମା ଙ୍କର ରାଜରାଜେଶ୍ୱରୀ ବେଶ ନିମନ୍ତେ ମନ୍ଦିର ସେବାୟତ ତଥା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାନ୍ଧ୍ୟ ସମୟରେ ମାଙ୍କର ସନ୍ଧ୍ୟା ଦିବ୍ୟ ଆଳତୀ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କର ସମାଗମ ହେଉଛି।