Odiapua.com

ମା’ ଦକ୍ଷିଣଶ୍ୱେର କାଳୀ ମନ୍ଦିରର ଷୋଡଶ ବାର୍ଷିକ ଜନ୍ମୋତ୍ସବ ଉଦ୍‌ଯାପିତ

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ମଧ୍ୟଭାଗରେ ଅବସ୍ଥିତ ଓମ୍ ଶ୍ରୀ ଶ୍ରୀ ମା’ ଆଦ୍ୟାଶକ୍ତି ଦକ୍ଷିଣେଶ୍ୱର କାଳୀ ମନ୍ଦିରର ଷୋଡଶ ବାର୍ଷିକ ଜନ୍ମୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏ ନେଇ ସହର ପରିବେଶ ଉତ୍ସବ ମୁଖର ହୋଇପଡିଥିଲା । ସହରବାସୀ ତଥା ଶକ୍ତି ଉପାସନା ଶ୍ରଦ୍ଧାଳୁ ମହଲରେ ଅପୂର୍ବ ଉନ୍ମାଦନା ଆଣିଦେଇଥିଲା । ରଙ୍ଗୀନ ଆଲୋକମାଳାରେ ମନ୍ଦିର ପରିସର ବେଶ୍ ଆକର୍ଷଣୀୟ ହୋଇଉଠିଥିଲା । ଏହି ଜନ୍ମୋତ୍ସବ ତିନିଦିନ ବ୍ୟାପୀ ପାଳିତ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦବିସରେ କଳସ ଶୋଭାଯାତ୍ରା ସକାଳ ୯.୩୦ ରେ ଅନୁଷ୍ଠିତ ହୋଇ ସୂର୍ଯ୍ୟାଗ୍ନି ଆହୋରଣ ଓ ଅଧିବାସ କର୍ମ, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିବସରେ ଭାଗବତ ଗୀତା ପାଠ, ଯଜ୍ଞକର୍ମ, ନାମ ସଂକୀର୍ତ୍ତନ, ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜନୋତ୍ସବରେ ଶେଷ ଦିବସରେ ସପ୍ତସତୀ ଚଣ୍ଡିପାଠ, ଯଜ୍ଞକର୍ମ, ଦିନ ୧ଟାରେ ପ୍ରସାଦ ସେବନ ପରେ ଅପରାହ୍ନରେ ୫.୪୩ ରେ ଯଜ୍ଞ ପୂର୍ଣ୍ଣାହୁତି ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ବୋଲି ମା’ ଦକ୍ଷିଣକାଳୀ ମନ୍ଦିରର ସେବକ ସତ୍ୟନାରାୟଣ ଦାସ ସୂଚନା ଦେଇଛନ୍ତି । ତିନିଦିନ ବ୍ୟାପୀ ଯଜ୍ଞ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମକୁ ଭୈରବ କୁଣ୍ଡ ବାବା ଦେବ ପଣ୍ଡା ଓ ବସନ୍ତ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସଂପନ୍ନ ହୋଇଥିଲା । ଭଦ୍ରକର ଆରାଧ୍ୟା ଦେବୀ ମା’ ଭଦ୍ରକାଳୀଙ୍କ ମହାତ୍ମ୍ୟ ସମଗ୍ର ଦେଶରେ ତଥା ପ୍ରାଚୀନ ସଂସ୍କୃତ ପୁରାଣ ଗ୍ରନ୍ଥରେ ଯୁଗ ଯୁଗରୁ ବର୍ଣ୍ଣିତ ହୋଇରହିଛି । ସହରର ଏହି ଦକ୍ଷିଣକାଳୀ ମନ୍ଦିର ଜିଲାର ସାଂସ୍କୃତିକ ପରମ୍ପରାର ଧାରାକୁ ଅବ୍ୟାହିତ ରଖିଛି ।

ତେବେ ଏହି ବହୁ ଚର୍ଚ୍ଚିତ ମା’ ଦକ୍ଷିଣ କାଳୀ ମନ୍ଦିରର ନିଅଁଖୋଳା ପର୍ବ ଗତ ୨୦୦୨ ମସିହା ମାର୍ଗଶିର ୯ ଦିନ ଅନୁଷ୍ଠିତ ହୋଇଥିଲା । ଏହି ନିଅଁ ଖୋଳା ସମୟରେ ଦେବୀଙ୍କ ବିଜେସ୍ଥଳୀ ନିରୂପଣ ପାଇଁ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ଠିକ୍ ଏହି ଯନ୍ତାତ୍ମକ ପରିସ୍ଥିତିରେ ସ୍ୱୟଂ ସଦାଶିବ ବୃଷଭ ରୂପରେ ଆସି ଶିଙ୍ଗରେ ମାଟି ତାଡି ଦେବୀଙ୍କ ବିଗ୍ରହ ସ୍ଥାପନା ସ୍ଥାନ ଚିହ୍ନଟ କରାଇଦେବା ଘଟଣା ସହରବାସୀଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା ବୋଲି ମନ୍ଦିରର ପ୍ରମୁଖ କାର୍ଯ୍ୟନିର୍ବାହୀ ପୂଜକ ବସନ୍ତ ଆଚାର୍ଯ୍ୟଙ୍କ ଠାରୁ ପ୍ରକାଶ । ଏହି ମନ୍ଦିର ନିର୍ମାଣ ପଛରେ ଶକ୍ତି ସାଧକ ସତ୍ୟନାରାୟଣ ଦାସଙ୍କ ନିରବଚ୍ଛିନ୍ନ ଏକକ ପ୍ରଚେଷ୍ଟା ସହରବାସୀଙ୍କ ସ୍ମୃତିରେ ରହିଛି । ଶକ୍ତି ସାଧକ ଶ୍ରୀ ଦାସ ପୂର୍ବରୁ ଏହି ସହରରେ ଜଣେ ସାଧାରଣ ଅଟୋ ମୋବାଇଲ୍ ମେକାନିକ୍ ଭାବେ ବେଶ୍ ଜଣାଶୁଣା ଥିଲେ । ସ୍ୱପ୍ନାଦେଶରେ ଅଟୋ ମୋବାଇଲ୍ ମେକାନିକ୍ ଶ୍ରୀ ଦାସ ନିଜର ବ୍ୟବସାୟିକ ଧନ୍ଦା ଛାଡି ମା’ କାଳୀଙ୍କ ମନ୍ଦିର ପ୍ରତିଷ୍ଠା ସକାଶେ ଦୀର୍ଘ ୬ ବର୍ଷ ଧରି ଭୋକ ଶୋଷ ଭୁଲି ଭିକ୍ଷା ଥାଳି ଧରି ବୁଲିଥିଲେ । ଏହି ସମୟ ମଧ୍ୟରେ ଶକ୍ତି ଉପାସକ ଶ୍ରୀ ଦାସ ବହୁ ବଦାନ୍ୟ ବ୍ୟକ୍ତିଙ୍କୁ ଭେଟି ସାହାଯ୍ୟ ଲୋଡି ଆଦାୟ ଅର୍ଥରେ ଏଭଳି ଏକ ବଡ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇପାରିଥିଲେ । ଅଟୋ ମେକାନିକ୍ ତଥା ଶକ୍ତି ଉପାସକ ଶ୍ରୀ ଦାସଙ୍କ ନିରବଚ୍ଛିନ୍ନ ଏକକ ପ୍ରଚେଷ୍ଟା ଆଜି ତାଙ୍କ ସ୍ୱପ୍ନକୁ ସତ୍ୟରେ ପରିଣତି କରିଛି । ଶ୍ରୀ ଦାସଙ୍କ ଏଭଳି ଅଦ୍ଭୁତପୂର୍ବ ସାଫଲ୍ୟ ଏବେବି ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ପୁରପଲ୍ଲୀ ଯାଏ ଚର୍ଚ୍ଚା ଚାଲିଛି ।