Odiapua.com

ମାସ୍କ ନ ପିନ୍ଧିଲେ ଓ ସାମାଜିକ ଦୂରତ୍ୱ ନ ରଖିଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ : ସ୍ପେଶାଲ ସ୍କ୍ୱାର୍ଡ ଗଠନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରୁ ପଦାକୁ ବାହାରୁ ଥିବା ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ଏବଂ ସାମାଜିକ ଦ୍ୱରତ୍ୱ ରକ୍ଷା କରିବା ବାଧ୍ୟତା ମୂଳକ । ଦୋକାନରେ ଦୋକାନୀ, ଦୋକାନ କର୍ମଚାରୀ, ଗ୍ରାହକ ସମସ୍ତେ ପିନ୍ଧିବେ ମାସ୍କ ଓ ଦୋକାନ ଭିତରେ ମଧ୍ୟ ରକ୍ଷା କରାଯିବ ସାମାଜିକ ଦୂରତ୍ୱ । ଏହାକୁ ଧରିବା ପାଇଁ ଜିଲ୍ଳା ଓ ବ୍ଲକ ସ୍ତରରେ ଗଠନ ହେବ ସ୍ୱତନ୍ତ୍ର ସ୍କ୍ୱାର୍ଡ । ଉଲଂଘନକାରୀଙ୍କ ଠାରୁ ଆଦାୟ ହେବ ଜୋରିମାନା ବୋଲି ଆଜି ଜିଲ୍ଲାପାଳ ଚେତାବନୀ ଶୁଣାଇଛନ୍ତି । ଜିଲ୍ଳା ସଂସ୍କୃତି ଭବନ ପରିସରରେ ଆଜି ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ପ୍ରଶାସନିକ ଅଧିକାରୀଙ୍କୁ ନେଇ କୋବିଡ ୧୯ର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ମାସ୍କ ଓ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରି ବକ୍ତବ୍ୟ ରଖିଥିଲେ । ଯେଉଁ ଦୋକାନୀ ଉଭୟ ସ୍ଥାୟୀ ଓ ଉଠା ଦୋକାନୀ ମାସ୍କ ପିନ୍ଧି ନ ଥିବେ ସେମାନଙ୍କ ଦୋକାନକୁ ସିଜ କରାଯିବ । ଏହାକୁ ଧରପଗଡ କରିବା ଲାଗି ଜିଲ୍ଲା ଓ ବ୍ଲକ ସ୍ତରରେ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯିବ ଏବଂ ଉଲଂଘନ କାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏହା ବ୍ୟତୀତ ଜିଲ୍ଲାବ୍ୟାପୀ ଜନ ସଚେତନତା ସୃଷ୍ଟି ନିମନ୍ତେ ବ୍ୟାନର, ହୋର୍ଡିଂ, ଲିଫଲେଟ ଆଦିର ବ୍ୟବସ୍ଥା କରିବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହା ଯାଇଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସା) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଭଦ୍ରକ ପୌରନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।