Odiapua.com

ମାସ୍କ ଚେକିଂ ସମୟରେ ପୁଲିସ୍‌ର ମାଡ ଅଭିଯୋଗ, ଶତାଧିକ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପୁରୁଣାବଜାର ଥାନା ପୁଲିସ୍ ପକ୍ଷରୁ ଆଜି ସନ୍ଧ୍ୟାରେ ମାସ୍କ ଚେକିଂ ସମୟରେ ଗଣ୍ଡଗୋଳ ଘଟି ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଚେକିଂ ସମୟରେ ସାଧାରଣ ଲୋକଙ୍କ ପ୍ରତିବାଦକୁ ନେଇ ପୁଲିସ୍ କେତେକ ଲୋକଙ୍କୁ ଗୋଡାଇ ଗୋଡାଇ ପିଟିବା ଘଟଣାରେ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ଘଟଣାସ୍ଥଳ ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦିଡିହ ବାଇପାସ୍ ନିକଟରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ଏହି ରିପୋର୍ଟ ଲେଖାଯିବା ବେଳକୁ ଏହି ପ୍ରତିବାଦ ଜାରି ରହିଥିଲା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପୁଲିସ୍ ପକ୍ଷରୁ ମାସ୍କ ଚେକିଂ ଚାଲିଥିବାବେଳେ ପୁଲିସର ମାଡ ଅଭିଯୋଗ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା । ଫଳରେ ଉଭୟ ଦିଗରୁ ଆସୁଥିବା ଗାଡି ଚଳାଚଳ ବ୍ୟାହତ ହେବା ସହ ଶୀତଦିନରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।