Odiapua.com

ମାସିକ ୧୦ ହଜାରରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ପାଇଁ ଦାବି ଜଣାଇଲା ଗାଁସାଥୀ ସଂଘ, ଭଦ୍ରକ ଡି.ଆର୍‌.ଡି.ଏ. ଆଗରେ ଗଣଧାରଣା

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଜୁଲାଇ ୨୦ ତାରିଖ ପୂର୍ବାହ୍ଣ ୧୦ ଘଟିକାରେ ସୀତାରାମ କଲ୍ୟାଣ ମଣ୍ଡପଠାରେ ଏକ ଜିଲ୍ଲାସ୍ତରୀୟ ସଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ଗାଁସାଥୀ (ମେଟ୍‌) ଉପସ୍ଥିତ ଥିଲେ । ପରେ ଅପରାହ୍ଣ ୩ଘଟିକାରେ ଜିଲ୍ଲା ପରିଷଦ, ଭଦ୍ରକଙ୍କ କାର୍ଯ୍ୟାଳୟ ଆଗରେ ସଂଘ ପକ୍ଷରୁ ଗଣଧାରଣା ଦିଆ ଯାଇଥିଲା । ଅପରାହ୍ଣ ୪ ଘଟିକାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗାଁସାଥୀ (ମେଟ୍‌)ମାନଙ୍କର ଜିଲ୍ଲା ସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଉଦ୍ୟମ କରିଥିଲା । ଜିଲ୍ଳା ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ପ୍ରଶାସନିକ ବୈଠକରେ ଜିଲ୍ଲାର ଏମ୍‌ସି, ଏପିଡ଼ି, ସମସ୍ତ ବ୍ଲକର ବି.ଡ଼ି.ଓ., ଏ.ପି.ଓ., ଆସିଷ୍ଟାଂଟ ଇଂଜିନିୟର, ମନରେଗା ସହାୟକ ଓ ମନରେଗାର ଲାଇନ୍ ଡିପାର୍ଟମେଂଟର ଅଧିକାରୀଗଣ ଓ ଗାଁସାଥୀ(ମେଟ୍‌) ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପ୍ରଥମେ ଜିଲ୍ଳା ଉନ୍ନୟନ ଅଧିକାରୀଙ୍କ ଜରିଆରେ ସାରା ରାଜ୍ୟରେ କାର୍ଯ୍ୟରତ ନ୍ୟାୟ ଆଶାୟୀ ଗାଁସାଥୀ(ମେଟ୍‌)ଙ୍କୁ ଉଚିତ କାର୍ଯ୍ୟ ପ୍ରଦାନ ସହିତ ମାସିକ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ପ୍ରଦାନର ଦାବିପତ୍ର ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିଲା । ଏଥି ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୂର୍ବ ପ୍ରତିଶୃତି ଅନୁଯାୟୀ ଗାଁସାଥୀ(ମେଟ୍‌)ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ, ତାପରେ ଜିଲ୍ଲା ଓ ବକ୍ଲ ସ୍ତରୀୟ ଦାବି ଯଥା ଗାଁସାଥୀ(ମେଟ୍‌)ଙ୍କ ବକେୟା ପ୍ରାପ୍ୟ ପ୍ରଦାନ, ପ୍ରଶିକ୍ଷଣ, ବେନିୟମ ମେଟ୍ ଚୟନ ରଦ୍ଦ, ବେନିୟମ ଏନ୍‌.ଏମ୍‌.ଏମ୍‌.ଏସ୍‌. ବନ୍ଦ ଇତ୍ୟାଦି ପ୍ରସଙ୍ଗରେ ଉନ୍ନୟନ ଅଧିକାରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଶକ୍ତ ପଦକ୍ଷେପ ନେଇଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ । ଆଗାମୀ ଦିନରେ ଗାଁସାଥୀ(ମେଟ୍‌)ଙ୍କୁ ଅଣଦେଖା କଲେ ଆନ୍ଦୋଳନକୁ ଜୋର୍‌ଦାର୍ କରାଯିବ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ଜରିଆରେ ଆଉଥରେ ପ୍ରଶାସନକୁ ସ୍ପଷ୍ଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ପାଢ଼ୀ, ହରେଶ ଖୁଂଟିଆ, ମନୋରଞ୍ଜନ ବଳ, ଲୀଳାବତୀ ମଲ୍ଲିକ, ପ୍ରତାପ ଦଳେଇ. ଅନାମ ରାଉତ, ଅକ୍ଷୟ ଜେନା, ବିଭୁତି ଖଣ୍ଡାଇ, କଳ୍ପନା ପଣ୍ଡା, ମୀନା ଦାସ, ବିକାଶ ସାହୁ, ଚିତରଞ୍ଜନ ଶଙ୍ଖୁଆ, ଲାବଣ୍ୟମୟୀ ପଣ୍ଡା, ଅର୍ଜୁନ ବେରା, କୁଲୁ ନାୟକ, ରବୀନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।