Odiapua.com

ମାଳିସାହି ଟେଲିଫୋନ ଏକ୍ସଚେଞ୍ଜକୁ ଉଠାଇଦେବାକୁ ମସୂଧା

ନୟାଗଡ଼, ୩୦ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ବିଏସଏନଏଲ ଟେଲିଫୋନ ଏକ୍ସଚେଞ୍ଜକୁ ଉଠାଇ ଦେବାକୁ ବିଭାଗୀୟ କତ୍ତ୍ୱର୍ପକ୍ଷ ମସୂଧା ଚଳାଇ ଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷର ଦାନା ବାନ୍ଧିଛି। ୧୯୯୬ ମସିହାରେ ସ୍ଥାପନା କରାଯାଇଥିବା ଏହି ମାଳିସାହି ଟେଲିଫୋନ ଏକ୍ସଚେଞ୍ଜ। ଏକ୍ସଚେଞ୍ଜରୁ ପ୍ରଥମେ ପ୍ରଥମେ ଗ୍ରାହକମାନେ ଉତ୍ତମ ସେବା ପାଉଥିବାରୁ ଏହି ଏକ୍ସଚେଞ୍ଜ ପ୍ରତି ଲୋକମାନଙ୍କର ଆଗ୍ରହ ବଢିବା ସହ ଗ୍ରାହକ ସଂଖ୍ୟା କ୍ରମେ କ୍ରମେ ବୃଦ୍ଧି ପାଇବାକୁ ଲାଗିଥିଲା। ଏପରିକି ଗ୍ରାହକଙ୍କ ସଂଖ୍ୟା ବଢି ବଢି ପ୍ରାୟ ୨ଶହ ଉପଭୋକ୍ତା ନିଜ ନିଜ ଘରମାନଙ୍କୁ ଲ୍ୟାଣ୍ଡଲାଇନ ଫୋନ ନେଇଥିଲେ। ହେଲେ କିଛି ବର୍ଷ ସୁରୁଖୁରୁରେ ଏହି ଟେଲିଫୋନ ଏକ୍ସଚେଞ୍ଜ ଚାଲିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ, ଟେଲିଫୋନ ଏକ୍ସଚେଞ୍ଜ ପ୍ରତି ଅନାଗ୍ରହ ଯୋଗୁ ଗ୍ରାହକମାନେ ଲ୍ୟାଣ୍ଡଲାଇନ ସେବା ସୁବିଧାରେ ପାଇ ପାରିନଥିଲେ। ଦିନକୁ ଦିନ ଟେଲିଫୋନ ଏକ୍ସଚେଞ୍ଜ ବ୍ୟାଟେରୀ ଡାଉନ ଅବସ୍ଥାକୁ ଆସିଥିଲା। ଯାହାକି ଟେଲିଫୋନ ଓ ବ୍ରଡବ୍ୟାଣ୍ଡ ସୁବିଧା ଗ୍ରାହକମାନେ ପାଇପାରିନଥିଲେ। ଯେତେ ଯାହା ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ଏଥିପ୍ରତି କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୁଏ। ବ୍ୟାଟେରୀ ଡାଇନ ସହ ଷ୍ଟାଫ ନଥିବା ଯୋଗୁଁ ଏହି ଟେଲିଫୋନ ଏକ୍ସଚେଞ୍ଜ ଚଳାଇ ନପାରିବା ବିଭାଗୀୟ କତ୍ତ୍ୱର୍ପକ୍ଷ ସଫେଇ ଦେଉଥିବା ଗ୍ରାହକମାନେ ଅଭିଯୋଗ କରନ୍ତି। ଟେଲିଫୋନ ଏକ୍ସଚେଞ୍ଜ ଅଧିନରେ ୨୦ରୁ କମ ଗ୍ରାହକ ଥିଲେ ଏକ୍ସଚେଞ୍ଜ ବନ୍ଦ କରିଦେବା ସରକାରୀ ନିୟମ କୁଆଡ଼େ ଥିବାବେଳେ ଏହାକୁ ସେହି ଆଳରେ ବନ୍ଦ କରିଦେବା ଶୁଣାଯାଉଛି। ଏହି ଏକ୍ସଚେଞ୍ଜ ଅଧିନରେ ପ୍ରାୟ ୨ଶହ ଗ୍ରାହକ ଥିଲାବେଳେ ସେବା ନଦେବାରୁ ତାହା କମି କମି ଆସି ୭୫ରେ ପହଚିଂଥିଲା। ପରେ ବ୍ୟାଟେରୀ ଡାଇନ ଯୋଗୁଁ ଲ୍ୟାଣ୍ଡ ଲାଇନ ଓ ବ୍ରଡବ୍ୟାଣ୍ଡ ଅଚଳ ହୋଇ ପଡ଼ିଥିଲା। ଯାହାକି ଗ୍ରାହକମାନେ ସେବା ଠିକ୍ରେ ନପାଇ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସେବା ଯୋଗାଇ ଦେବାପାଇଁ ବାରମ୍ବାର ଦାବି କରି ଆସିଥିଲେ। ହେଲେ ସେବା ଯୋଗାଇ ଦେବା ପରିବର୍ତ୍ତେ ଗ୍ରାହକ ନଥିବା ଦର୍ଶାଇ ବିଭାଗ ଏକ୍ସଚେଞ୍ଜକୁ ବନ୍ଦ କରିଦେବା ଜଣାପଡ଼ିବା ପରେ ଏହି ଏକ୍ସଚେଞ୍ଜ ଅଧୀନରେ ଥିବା ଅଂଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଗ୍ରାହକଙ୍କ ଲ୍ୟାଣ୍ଡଲାଇନ ପ୍ରତି ଆଗ୍ରହ ଥିବା ସତ୍ୱେ ଏହାର ପ୍ରତିକାର ନକରି, ଗ୍ରାହକଙ୍କୁ ସୁବିଧାରେ ସେବା ନଯୋଗାଇ ଏଠାରୁ ଟେଲିଫୋନ ଏକ୍ସଚେଞ୍ଜ ଯଦି ହଟାଇ ଦିଆଯାଏ ତେେବେ ଏ ଅଚଂଳବାସୀ ଏକ ବଡ଼ ଧରଣର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।