Odiapua.com

ମାଳିସାହିରେ ଭଂଜ ଜୟନ୍ତୀ ସମାରୋହ

ନୟାଗଡ଼, ୧୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ନୟାଗଡ଼ ନିକଟସ୍ଥ ମାଳିସାହିଠାରେ ଭଂଜ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସମାରୋହରେ ମୁଖ୍ୟଅତିଥିଭାବେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଭଞ୍ଜ ସାହିତ୍ୟ ବିଶାରଦ ମେଜର ଚିନ୍ତାମଣୀ ଭାରତୀ ଓ ସମ୍ମାନୀତ ଅତିଥିଭାବେ ବିଜେପି କଲେଜର ଭାଷା ସାହିତ୍ୟର ମୁଖ୍ୟ ତଥା ବିଳାସୀ ପ୍ରେମାନନ୍ଦ ମହାପାତ୍ର, ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ସୁରେନ୍ଦ୍ର ନାଥ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ଭାରତୀ ଭଞ୍ଜଙ୍କ ରସପୂର୍ଣ୍ଣ କାବ୍ୟ ସମ୍ଭାର ଉପରେ ବିକ୍ଷିପ୍ତ ଭାବରେ ବର୍ଣ୍ଣନା କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବାବେଳେ ଭଞ୍ଜବିଳାସୀ ସାହିତ୍ୟିକ ଶ୍ରୀ ମହାପାତ୍ର ଭଞ୍ଜଙ୍କ ସାରସ୍ୱତ ଜୀବନୀ, ଭଞ୍ଜଙ୍କ ବଂଶାବଳୀ, କବିତ୍ୱ ଲାଭ ଓ ସାଧନା ଏବଂ ସିଦ୍ଧିର ବିଭିନ୍ନ ଦିଗ, କେତେକ ପ୍ରସିଦ୍ଧ କାବ୍ୟର ରୂପରେଖ, ଭଞ୍ଜ ସାହିତ୍ୟର ବିଶିଷ୍ଟ ଦିଗ ଓ ଦିଗନ୍ତ ବିଷେଶକରି ଭଞ୍ଜ ସାହିତ୍ୟର ପ୍ରାସଙ୍ଗିତତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଭଞ୍ଜଙ୍କ ପାଣ୍ଡିତ୍ୟ ଉପରେ ବର୍ଣ୍ଣନା କରିଥିଲେ। ଏପରିକି ଭଞ୍ଜଙ୍କ ସାରସ୍ୱତ ପୀଠ ଉପରେ ସରକାରଙ୍କ ନଜରକୁ ଆଣି ଏହି ସଂସ୍କୃତି ପୀଠର ଗାରିମାକୁ ଲୋକ ଲୋଚନକୁ ଆଣିବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଶେଷରେ ବିଶ୍ୱନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମାଜସେବୀ ବିଚ୍ଛେଦ ମହାପାତ୍ରଙ୍କ ସହଯୋଗରେ ସମାରୋହ ଆୟୋଜିତ ହୋଇଥିଲା।