Odiapua.com

ମାଳଦା ଜଗନ୍ନାଥ ବଜାରର ଚାରି ଦୋକାନରୁ ଚୋରି

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଗତକାଲି ରାତିରେ ମାଳଦା ଜଗନ୍ନାଥ ବଜାର ଓମ୍ ପରିଧାନ ଡ୍ରେସ୍ ଦୋକାନ, ବାବା ଗୋପିନାଥ ଜୋତା ଦୋକାନ, ନାୟକ ମୋବାଇଲ ଦେକାନ, ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଓମ୍ ପରିଧାନ ଡ୍ରେସ୍ ଦୋକାନ, ବାବା ଗୋପିନାଥ ଜୋତା ଦୋକାନ, ନାୟକ ମୋବାଇଲ ଦେକାନ ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶି ଚୋରି ହୋଇଛି । ଓମ୍ ପରିଧାନରୁ ସିସିଟିଭି କ୍ୟାମେରା, ହାଡଡିସ୍କ, ପ୍ରାୟ ଷାଠିଏ ହଜାର ଟଙ୍କା ମୂଲ୍ୟର ଡ୍ରେସ, ନଗଦ ୯୦ହଜାର ଟଙ୍କା ଚୋରି ହୋଇଛି । ଜୋତା ଦୋକାନରୁ ନଗତ ପନ୍ଦର ହଜାର ଟଙ୍କା ଓ ନାୟକ ମୋବାଇଲ ଦୋକାନରୁ ନଗଦ ୩୩ ହଜାର ଟଙ୍କା, ୧୫ଟି ସ୍ମାର୍ଟଫୋନ ଓ ପ୍ରାୟ ୬୦ହଜାର ଟଙ୍କା ମୂଲ୍ୟର ଫୋନ ସାମଗ୍ରୀ ଚୋରି ହୋଇଛି ବୋଲି ଓମ ପରିଧାନ ମାଲିକ ରାଜେନ୍ଦ୍ର ଶତପଥି, ଜୋତା ଦୋକାନ ମାଲିକ ନିରାକାର ବେଉରିଆ ଓ ମୋବାଇଲ ଦୋକାନ ମାଲିକ ଲଳିତ ନାୟକ ମିଳିତ ଭାବେ ଅଭିଯୋଗ କରିଛନ୍ତି । ସେହିପରି ଗ୍ରାହକ ସେବା କେନ୍ଦ୍ରର ସମ୍ମୁଖ ତାଲା ଭାଙ୍ଗି ଲାପଟପ, ହାଡଡିସ୍କ, କ୍ୟାମେରା ସହ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି ବୋଲି ପ୍ରଦୀପ ସାମଲ ଅଭିଯୋଗ କରିଛନ୍ତି । ଏହା ସହ ଚୋରମାନେ ଅଦୈତ ପରିଡା ଭେରାଇଟ ଷ୍ଟୋରର ଚାଳ କଣାକରି ଭିତରକୁ ପ୍ରବେଶ କରିଥିଲେ ।

ସିଲିଂ ଥିବାରୁ ଚୋରି କରିପାରିନଥିବା ଜଣାଯାଇଛି । ପୁଲିସ ପୂର୍ବାହ୍ନରେ ଅନୁଧ୍ୟାନ କରିବା ପରେ ଅପରାହ୍ନରେ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ଛାନଭିନ ଚଳାଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ଦୁଇଟି ଯାକ ଅଭିଯୋଗ ଉପରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୧୬ ଅଗଷ୍ଟ ୪ ତାରିଖ ରାତ୍ରରେ ସଟର ତାଡ଼ି ଚୋରମାନେ ଓମ ପରିଧାନରୁ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ନୂତନ ଡ୍ରେସ, ଲେନେଭୋ ଲାପଟପ୍‌, ସୋନି କ୍ୟାମେରା, ୨ଟି ଡେମୋ ମୋବାଇଲ, କୋଡିଏ ହଜାର ଟଙ୍କାର ବିଭିନ୍ନ ଟେଲି କମ୍ପାନୀର ଭାଉଚର ଓ ନଗଦ ୧୦ହଜାର ଟଙ୍କା ଚୋରି କରିନେଇଥିଲେ । ଏଥିନେଇ ୧୨୬/୧୬ ମାମଲା ଋଜୁ ହୋଇଥିଲା । ଅନୁରୂପ ଭାବେ ୨୦୧୪ ମସିହାରେ ରାଜେନ୍ଦ୍ରଙ୍କ ଭାଇ ଅନିଲଙ୍କ ଗୌରାଙ୍ଗ ବସ୍ତ୍ରାଳୟର ସଟର ତାଡ଼ି ପ୍ରାୟ ୩ଲକ୍ଷ ଟଙ୍କା ମୂଲ୍ୟର ଲୁଗାପଟା ଚୋରି ହୋଇଥିଲା । ଏଥିନେଇ ସେ ସମୟରେ ମାମଲା ଋଜୁ କରାଯାଇଥିଲା । ହେଲେ ଚୋର ଧରାଯାଇପାରି ନଥିଲା କିମ୍ବା ଚୋରି ସାମଗ୍ରୀ ଉଦ୍ଧାର କରାଯାଇପାରି ନଥିଲା । ଏବେ ପୁଣି ଥରେ ଚୋରି ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ରାତ୍ରକାଳୀନ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି କରାଯାଇଛି ।