Odiapua.com

ମାଲେସିଆରେ ୫ ଶ୍ରମିକ ଫସିବା ଘଟଣା… ରଣପୁର ପୋଲିସ୍ ଦ୍ୱାରା ୪ ଅଟକ

ନୟାଗଡ ୨୨/୧୧ (ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ଅଂଚଳରୁ ବିଦେଶକୁ କାମ କରିବାକୁ ନେବା କହି ବେକାର ଯୁବକ ମାନଙ୍କଠାରୁ ଅର୍ଥ ଆଦାୟ କରି ଠକିବା ଘଟଣା ଲୋକ ଲୋଚନକୁ ଆସିଛି। ଏହି ଠକ ସଂସ୍ଥା ନୟାଗଡରେ ଏକ ଅଫିସ୍ ଖୋଲି ରଣପୁର ଅଂଚଳରୁ ପିଲା ପିଛା ୬୦ ରୁ ୬୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହେଉଛି। ରଣପୁର ବ୍ଲକ୍ ଡମସାହି ଗ୍ରାମ ପଂଚାୟତ ଲଡୁକେଶ ପ୍ରସାଦର ୫ ଜଣ ପିଲାଙ୍କୁ କୁଆଲାମ୍ପୁର ରେ ଏକ ସପିଙ୍ଗ୍ ମଲ୍ ରେ କାର୍ଯ୍ୟ କରିବା ପାଇଁ ନେଇଥିଲା। ସେଠାରେ ପିଲା ମାନଙ୍କୁ ସପିଙ୍ଗ୍ ମଲରେ କାର୍ଯ୍ୟ ନ କରାଇ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା ଏବଂ ସେମାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ପ୍ରଦାନ କରାଯିବା ଘଟଣା ସେହି ପିଲାମାନେ ନିଜ ଘରକୁ ଜଣାଇଛନ୍ତି। ତେଣୁ ପରିବାର ବର୍ଗ ଏଥିରେ ଭାଙ୍ଗି ପଡିଛନ୍ତି। ଏସମ୍ପର୍କେ ନୟାଗଡ ଜିଲ୍ଲାପାଳ ଓ ନୟାଗଡ ଶ୍ରମ ଅଧିକାରୀଙ୍କୁ ଜଣାଇଛନ୍ତି। ଏହି ଘଟଣା ଶୁଣିବା ପରେ ନୟାଗଡର ଏହି ଠକ ସଂସ୍ଥାର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ରବିନ୍ଦ୍ର ପାଢୀ ଫେରାର ହୋଇଥିବା ଜଣା ପଡିଛି। ଲଡୁକେଶ ପ୍ରସାଦର ବିଳାଶ ପ୍ରଧାନଙ୍କ ପୁଅ ଅରୁଣ ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ ଙ୍କ ପୁଅ ଲକ୍ଷ୍ମୀଧର ପ୍ରଧାନ, ଶରତ ବେହେରାଙ୍କ ପୁଅ ଆଲୋକ ବେହେରା, ରବିନ୍ଦ୍ର ବେହେରାଙ୍କ ପୁଅ କୁଶ ବେହେରାଙ୍କ ସହ ଡମ୍ବରୁଧର ସ୍ୱାଇଁ ମାଲେସିଆ କୁଆଲାଲାମ୍ପୁର ରେ ଫସିଥିବା ଜଣା ପଡିଛି। ସେହି ଠକ କମ୍ପାନୀର ଅନ୍ୟ ୪ ଜଣ କର୍ମଚାରୀଙ୍କୁ କିଛି ଯୁବକ ଆଣି ଅଟକ ରଖି ରଣପୁର ଥାନାରେ ଜିମା ଦେଇଥିବା ଜଣା ପଡିଛି। ରଣପୁର ଥାନା ଇନିସ୍ପେକ୍ଟର ସେହି ୪ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛନ୍ତି। ସେମାନଙ୍କ ପରିବାର ବର୍ଗ ପିଲାମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ରଣପୁର ଥାନା ଇନିସ୍ପେକ୍ଟର ରଶ୍ମିରଂଜନ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ତଦନ୍ତ ଚାଲିଛି ତଦନ୍ତ ଶେଷ ପରେ ଗଣ ମାଧ୍ୟମକୁ ସବିଶେଷ ସୂଚନା ପ୍ରଦାନ କରାଯିବ।