Odiapua.com

ମାଲବାହି ରେଳ ଧକ୍କା ଦେଲା ହାତୀ ପଲକୁ, ଏକ ମାଈ ହାତୀ ସହ ୨ ଛୁଆ ଗୁରୁତର

ଯୋଡା, ୧୯ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବନବିଭାଗର ଖାମଖିଆଲ ନୀତି ଯୋଗୁଁ ଚମ୍ପୁଆ ରେଞ୍ଜରୁ ହାତୀ ପଲ ନିପାତ ହେବାକୁ ବସିଲେଣି। ବାରମ୍ବାର ରେଳ ଧାରଣାରେ ଦୁର୍ଘଟଣା ଘଟି ହାତୀ ମୃତ୍ୟୁ ଘଟୁଥିବା ବେଳେ ବନବିଭାଗ ପକ୍ଷରୁ ଏଥିପାଇଁ କୌଣସି ପ୍ରତିକାର କରାଯାଇପାରୁନାହିଁ। ଫଳରେ ଗୁରୁବାର ସନ୍ଧ୍ୟାରେ ବାଂଶପାଣି ବେହେରା ହାଟିଂ ନିକଟ ରେଳ ଧାରଣାରେ ଏକ ୨୨ ଟିକିଆ ହାତୀ ପଲ ରେଳଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଏକ ଲୁହାପଥର ବୋଝେଇ ରେଳ ଧକ୍କା ଦେଇଥିଲା। ଏହି ଧକ୍କାଟି ଏତେ ତୀବ୍ରତର ଥିଲା ଯେ, କେତେକ ହାତୀ ରେଳ ଧାରଣା ଉପରୁ ଏଣେତେଣେ ଛିଟିକି ହୋଇପଡିଥିଲେ। ତେବେ ଗୋଟିଏ ମାଈ ହାତୀ ଏବଂ ୨ ଛୁଆ ହାତୀ ଗୁରୁତର ଅବସ୍ଥାରେ ରେଳ ଧାରଣା ଉପରେ ପଡିଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ଅନ୍ୟ ହାତୀମାନେ ଜଗି ରହିଥିବା ବେଳେ ଏହି ଦୁର୍ଘଟଣାରେ କୌଣସି ହାତୀ ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡିନାହିଁ। ଘଟଣା ପରେ ଏହି ହାତୀ ପଲ ହିଂସ୍ର ହୋଇ ଉଠିଥିବା ବେଳେ ଘଟଣାରେ ଘଟଣା ସ୍ଥଳକୁ କେହି ପସି ପାରିନାହାନ୍ତି। ଏପରି ବନବିଭାଗ ମଧ୍ୟ ଅନ୍ଧାରରେ ରହିଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ହାତୀ ପଲ ଏହି ଆହତ ହାତୀ ମାନଙ୍କୁ ଜଗି ରହିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଠିକ୍ ସେହି ସ୍ଥାନରେ ଅନେକ ଗୁଡିଏ ହାତୀ ଦୁର୍ଘଟଣାରେ ମୃତାହତ ହୋଇଥିବା ବେଳେ ଉକ୍ତ ସ୍ଥାନକୁ ବନବିଭାଗ ହସ୍ତି ଚଳ ପ୍ରଚଳ ସ୍ଥାନ ଭାବେ ଚିହ୍ନଟ କରି ବ୍ୟାରିକେଟ ଦେବାର ବ୍ୟବସ୍ଥା ଅଦ୍ୟବଧି କରିନାହାନ୍ତି। ଏହି ୨୨ ଟିକିଆ ହାତୀ ପଲ ଦୀର୍ଘ ଏକ ସପ୍ତାହ ଧରି ନିକଟସ୍ଥ ଜଙ୍ଗଲରେ ଡେରା ପକାଇଥିବା ବେଳେ ବନବିଭାଗ ସେମାନଙ୍କ ପ୍ରତି ନିଘାନଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ପରିବେଶବିତ୍‌ମାନେ ନିିନ୍ଦା କରିଛନ୍ତି। ସୂଚନାରୁ ଜଣାପଡିଛି ଚମ୍ପୁଆ ରେଞ୍ଜ ଯୋଡା ସେକସନ ଅନ୍ତର୍ଗତ ଘଟଣା ଠାରୁ ଅନତି ଦୂରରେ ବିଚାକୁଣ୍ଡି ଜଙ୍ଗଲରେ ଏହି ହାତୀ ପଲ ୧୩ ତାରିଖ ଠାରୁ ଜଙ୍ଗଲ ଭିତରେ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଖଣି ଓ ଉଗ୍ର ଶିଳ୍ପାୟନ ଯୋଗୁଁ ବ୍ୟାପକ ଜଙ୍ଗଲ ଅବକ୍ଷେୟ ଫଳରେ ଖାଦ୍ୟଭାବ ଦେଖାଦେଇଥିବାରୁ ଏହି ହାତୀ ପଲ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା। କେତେକ ଖଣିରେ ସେମାନଙ୍କ ଚଳପ୍ରଚଳ ସ୍ଥାନକୁ ଅବରୋଧ କରାଯାଇ ଖଣି ଖନନ କରାଯାଉଥିବାରୁ ସେମାନେ ଜନବସତୀ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଏଥିରେ ବନବିଭାଗର ଖାମଖିଆଲ ନୀତି ଏହି ଦୁର୍ଘଟଣାର ମୁଳ କାରଣ ବୋଲି ଜଣାପଡିଛି।