Odiapua.com

ମାଲକାନଗିରି ଜିଲ୍ଲାରେ ସହିଦ ଲକ୍ଷ୍ମଣ ନାୟକଙ୍କ ୭୬ତମ ବଳିଦାନ ଦିବସ ପାଳନ

ମାଲକାନଗିରି, ୨୯ା୩ (ଓଡିଆ ପୁଅ) ମାଲାକନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅମର ସହିଦ ବୀର ଲକ୍ଷ୍ମଣ ନାୟକଙ୍କ ୭୬ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ପୌର ପରିଷଦ ନଗର ଭବନଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ସମ୍ମାନିତ ଅତିଥି ଭାବେ ତହସିଲଦାର ତଥା ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ଏମ.ନିଳକଣ୍ଠ ନାଇଡୁ, ଭାସ୍କର ଚନ୍ଦ୍ର ବେହେରା, ଶିବ ପ୍ରସାଦ କିର୍ତନିୟା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ବାସ, ଲିଙ୍ଗରାଜ ପାଳଙ୍କ ସହିତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସହିଦ ଲକ୍ଷ୍ମଣ ନାୟକଙ୍କ ବୁମୁଖି ପ୍ରତିଭା ସଂପର୍କରେ କହି ସହୀଦଙ୍କ ସ୍ମୁତି ଚାରଣ କରିଥଲେ। ଅନୁରୂପ ଜିଲ୍ଲା ରିଜର୍ଭ ପୁଲିସ କାର୍ଯ୍ୟାଳୟ ପରିସରରେ ଅମର ସହୀଦ ବୀର ଲକ୍ଷ୍ମଣ ନାଏକଙ୍କ ୭୬ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ ଯୋଗଦେଇ ସହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରି ମାଲକାନଗିରି ମାଟିର ସନ୍ତାନ ବୀର ଲକ୍ଷ୍ମଣ ନାଏକ ଜାତିର ପିତା ଗାନ୍ଧିଜୀଙ୍କ ଅନୁଗାମି ହୋଇ ସେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ, ତାଙ୍କର ବଳିଦାନରେ ଏ ଦେଶ ଇଂରେଜ ସରକାରଙ୍କ ଠାରୁ ମୁକ୍ତହେଲା, ସେ ହସି ହସି ଦେଶପାଇଁ ଫାଶିଖୁଣ୍ଟରେ ଝୁଲିପଡିଲେ, ତାଙ୍କ ପରି ଜଣେ ସଂଗ୍ରାମୀ ଙ୍କୁ ଏ ଦେଶ ଏ ମାଟି ହରାଇ ଆଜି ତାଙ୍କୁ ଝୁରୁଛି, ତାଙ୍କ ନୀତି ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବା ଦରକାର ବୋଲି କହିଥଲେ। ଏହି ଅବସରରେ ରିଜର୍ଭ ପୁଲିସ ସବଇନିସପେକ୍ଟର ଡି.ସି. ସବର, ହାବିଲଦାର ଜି.ଏସ.ପଟନାୟକ, ପ୍ରହ୍ଲାଦ ସୀସା, ପଦ୍ମନ ସୀସା, ଘାଷିରାମ ମାଝୀ, ମଧୁଖିଲ, ମନୋଜ ଚାର୍କି ପ୍ରମୁଖ ଯୋଗଦେଇ ଅମର ସହିଦ ଲକ୍ଷ୍ମଣ ନାୟକ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥଲେ। ଜିଲ୍ଲା ସୂଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନୀୟା, ରଜଂନ ମହାନ୍ତି, ଜ୍ୟୋର୍ତିମୟୀ ଆଚାର୍ଯ୍ୟ ଏହି ଦୁଇଟି ସ୍ଥାନରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଠିକ ସେହିପରି ସହୀଦଙ୍କ ନିଜ ଗାଁ ତେନ୍ତୁଲିଗୁମ୍ମା ଓ ମାଥିଲି ଠାରେ ମଧ୍ୟ ସହିଦ ଲକ୍ଷ୍ମଣନାୟକଙ୍କ ବଳିଦାନ ଦିବସ ପାଳିତ ହୋଇ ଯାଇଛି।