ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାରେ ଧଳା ଜହର ରୂପୀ ବ୍ରାଉନସୁଗାରର ଚେର ଏଭଳି ମାଡିଗଲାଣି ଯେ, ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ଏହାର ଶାଖା ଦେଖିବାକୁ ମିଳୁଛି। ଅପାରଗ ଅବକାରୀ ବିଭାଗ ଏହି ଚୋରା ବେପାରୀଙ୍କୁ ଧରିବାରେ କୋହଳ ମନୋଭାବ ପୋଷଣ କରିଥିବାବେଳେ ସେମାନଙ୍କ କାର୍ଯ୍ୟକୁ ପୁଲିସ୍ ବହୁ ସମୟରେ ସଫଳ କରୁଛି। ଏହିଭଳି ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବାବେଳେ ଗତକାଲି ଗୁଇନ୍ଦା ବିଭାଗର ସୂଚନା କ୍ରମେ ପୁରୁଣାବଜାର ଥାନାର ଏସଆଇ ଦୀପ୍ତିରେଖା ସ୍ୱାଇଁ ସଦଳବଳେ ଏମ୍ଭି ଚେକିଂ କରୁଥିବାବେଳେ ଭଦ୍ରକ ସହର ନିକଟସ୍ଥ ହଳଦିଡିହ ନାଥସାହି ନିକଟରେ ଏକ ଧଳା ମାରୁତି ସୁଇଫ୍ଟ କାର୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ଗାଡିଟି ପୁଲିସ୍କୁ ଚକ୍ମା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁରୁଣାବଜାର ଥାନା ପୁଲିସ୍ ଗାଡିଟିର ପିଛା କରି ଧରିଥିଲା। ଏବଂ ଯାଂଚ ସମୟରେ ଗାଡି ମଧ୍ୟରୁ ପଲିଥିନରେ ଥିବା ୧୫.୮ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ହୋଇଥିଲା। ସୁଦୂର ରାଜଧାନୀରୁ ଭଦ୍ରକକୁ ଏହି ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ବିଷୟ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଏବଂ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନେ ଭୁବନେଶ୍ୱରର ଖଣ୍ଡଗିରି ଅଂଚଳର ଯଦୁପୁର ଅଂଚଳର ବୋଲି ଜଣାପଡିଛି। ଏହି ଘଟଣାରେ ଭୁବନେଶ୍ୱର ଖଣ୍ଡଗିରି ଥାନା ବେଗୁନିଆ ଯଦୁପୁର ଗ୍ରାମର ସେକ୍ ଫିରୋଜର ପତ୍ନୀ ଅଜୱାରୀ ବିବି (୫୭), ସେକ୍ ଅବଦୁଲ ରହେମାନର ପୁତ୍ର ସେକ୍ ନାରୁଦ୍ଦିନ୍ (୫୪) ଓ ସେକ୍ ନୁରୁଦ୍ଦିନ୍ର ପତ୍ନୀ ସଂଜିଦା ବିବି (୪୦)କୁ ପୁଲିସ୍ ଗିରଫ କରି ସେମାନଙ୍କ ନିକଟରୁ ୪ଟି ମୋବାଇଲ୍ ସହ କାରଟିକୁ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁରୁଣାବଜାର ଥାନାରେ କେଶ୍ ନଂ୧୪୩/୨୫, ଦଫା ୨୧ (ବି)/୨୯ ଏନଡିପିଏସ୍ ଆକ୍ଟ ମାମଲା ରୁଜୁ ହୋଇ ଅଭିଯୁକ୍ତ ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।