Odiapua.com

ମାମୁଁ ଘର ଆଉ ମା’ ଦେବକୀଙ୍କୁ ଛାଡି କୃଷ୍ଣ ମାଉସୀ ଯଶୋଦା ପାଖକୁ ବାହୁଡିଗଲେ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ଖୁବ୍ ଗୁରୁଗମ୍ଭୀର, ଭାବ ବିହ୍ୱଳ ତଥା ଶୋକାକୁଳ ଥିଲା। କାହିଁକି ନା ଜେଲ୍‌ର ଅନ୍ଧାରି କୋଠରୀ ଭିତରେ ଜନ୍ମିତ ମାତା ଦେବକୀ, ପିତା ବାସୁଦେବଙ୍କ ସହ ଆବଦ୍ଧ ଥିବା କୃଷ୍ଣ ଆଜି ଛାଡି ପାଳିତ ମା’ ଯଶୋଦାଙ୍କ ସହ ମାମୁଁ ଘରୁ ବାହୁଡି ଥିଲେ। ତା ପୁଣି ଜନ୍ମିତ ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ। ଆଇନ୍‌ର ବାଧ୍ୟବାଧ୍ୟକତାରେ ଆଉ ସରକାରୀ ନୀତିନିୟମ ସରହଦ ଭିତରେ। ଏଇ ବସୁଦେବ ପିତା ଓ ଦେବକୀ ମାତା ଆଉ କେହି ନୁହଁନ୍ତି ବରଂ ଭଦ୍ରକ ଜିଲା ତିହିଡି ଥାନା ଅଧୀନସ୍ଥ କୋହ୍ଲ ଗ୍ରାମର ଦେବେନ୍ଦ୍ର ପତି ଓ ତାଙ୍କ ପତ୍ନୀ ଇତିଶ୍ରୀ ପତି। ସେମାନଙ୍କ ନାବାଳକ ପୁଅ ଆୟୁଷ ପତି ମାତ୍ର ୨ ବର୍ଷର ଥିବାବେଳେ ତା ମାଆ ଓ ବାପା ତିନି ମାମୁଁ ଶୁକଦେବ, ଦାମୋଦର ଓ ନାରାୟଣ ସହ ଏହି କଂସ ରାଜାଙ୍କ ଅନ୍ଧାରି କୋଠରୀ ଭିତରକୁ ଆସିଥିଲା। ବିନା ଅପରାଧରେ ସେ ଏହା ଭିତରେ ତିନିବର୍ଷର ଜେଲ୍ ଦଣ୍ଡ ବି ଭୋଗି ସାରିଲାଣି। ତାର ଅପରାଧ ହେଲା ସେ ଜଣେ ହତ୍ୟା ଅଭିଯୁକ୍ତ ମାଆର କୋଳରେ ଜନ୍ମ ନେଇଛି। ଆଜି କିନ୍ତୁ ତାକୁ ମୁକୁଳେଇ ଦିଆଯାଇଛି, ଆଉ ନିଜର ମାଉସୀ ହାତରେ ଟେକି ଦେଇଛନ୍ତି ସରକାରୀ ଅଧିକାରୀମାନେ ନୀତି ନିୟମର କୁଢ କୁଢ ପୁସ୍ତକକୁ ତର୍ଜମା ପରେ। ଘଟଣାରୁ ପ୍ରକାଶ ଯେ ଗତ ୨୦୨୦ ମସିହା ଜାନୁଆରୀ ମାସ ୨୫ ତାରିଖରେ କୋହ୍ଲ ଗ୍ରାମର ସବିତା ସାହୁ ଅଭିଯୋଗ କରିଥିଲେ ଯେ ତାଙ୍କର ପୁତ୍ର ପ୍ରସନ୍ନକୁ କେହି ଦୃର୍ବୁତ୍ତ ଅପହରଣ କରିନେଇ ଅଟକ ରଖିଛି।

ତାର କୌଣସି ଖୋଜ ଖୋବର ସେ ପାଉନାହାଁନ୍ତି। ଏହି ଅଭିଯୋଗ ଭିତ୍ତରେ ତିହିଡି ପୁଲିସ୍ ସେତେବେଳେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପ୍ରାୟ ଦେଢମାସ ପରେ ଜାଣିବାକୁ ପାଇଥିଲା ତାଙ୍କ ପଡୋଶୀ ଇତିଶ୍ରୀ ସହ ପ୍ରସନ୍ନର ଅନୈତିକ ସଂପର୍କ ଥିଲା। ତେଣୁ ପୁଲିସ୍ ସନ୍ଦେହରେ ଇତିଶ୍ରୀକୁ ଥାନାକୁ ଆଣି ପଚରା ଉଚୁରା କରିବାବେଳେ ସେ ସ୍ୱୀକାର କରିଥିଲା ଯେ ତାର ପ୍ରସନ୍ନ ସହ ଅନୈତିକ ସଂପର୍କ ଧରାପଡିଯିବା ପରେ ସ୍ୱାମୀ ଦେବେନ୍ଦ୍ର ନିକଟସ୍ଥ ବାମନବିନ୍ଧା ଗ୍ରାମର ନିଜର ଶଳା ଶୁକଦେବ ପାଢୀ ସହ ମିଶି ଯୋଜନାବଦ୍ଧ ଭାବରେ ପ୍ରସନ୍ନକୁ ଘରକୁ ଡାକି ହତ୍ୟା କରିଥିଲେ ଓ ତାର ମୃତଦେହକୁ ହଟେଇ ପ୍ରମାଣ ନଷ୍ଟ କରିବା ପାଇଁ ଅନ୍ୟ ଦୁଇ ଶଳା ଦାମୋଦର ଓ ନାରାୟଣର ସହାୟତା ନେଇ ନିକଟସ୍ଥ ରେଳଧାରଣା ନିକଟରେ ଏକ ନିଛାଟିଆ ସ୍ଥାନରେ ପୋତି ପକାଇଥିଲେ। ତିହିଡି ପୁଲିସ୍ ଥାନା କେଶ୍ ନଂ ୭୪/୨୦, ଦଫା ୩୦୨, ୨୦୧ ରେ ମାମଲା ରୁଜୁ କରି ଗତ ତା ୧୩.୦୩.୨୦୨୦ ରିଖରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ ଆୟୁଷ ମାତ୍ର ଦେଢବର୍ଷର ଶିଶୁ ଥିବାର ମାଆ ସହ ସେହି ଦିନରୁ ଜେଲ୍‌ର ଚାରିକାନ୍ଥ ଭିତରେ ଅଟକ ଥିଲା। ମାତ୍ର ତାର ପାଠପଢା ବୟସ ଉପନୀତ ହେବାରୁ ତା ଭବିଷ୍ୟତ ହିତ ଦୃଷ୍ଟିରୁ ଜେଲ୍ ଅଧୀକ୍ଷକ ଋଷିନାଥ ନାୟକ, ଜିଲା ଶିଶୁ ମଙ୍ଗଳ ଅଧିକାରୀ, ଜିଲା ଜଜ୍‌, ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ତଥା ଜିଲାପାଳଙ୍କୁ ଏ ନେଇ ଅବଗତ କରାଇ ଆସୁଥିଲେ।

କିଛିଦିନର ଆଇନ୍‌ର ବିଧିବ୍ୟବସ୍ଥାର ତର୍ଜମା ପରେ ଗତକାଲି ଜିଲା ଶିଶୁ ମଙ୍ଗଳ ଅଧିକାରୀ ସୁଦର୍ଶନ ବାରିକଙ୍କ ସମେତ ସଭ୍ୟ ସଂଗୀତା ଗିରି, ସ୍ମୃତିରେଖା ମହାନ୍ତି, ସତ୍ୟସୁନ୍ଦର ପୁହାଣ ପ୍ରମୁଖ ଉପସ୍ଥିତ ରହି ଆୟୁଷକୁ ମା’ ଇତିଶ୍ରୀ ପାଖରୁ ଆଣି ତିହିଡି ଥାନା ସିନ୍ଦୋଳ ଗ୍ରାମର ମଉସା ନିରଞ୍ଜନ ପାଣି ଓ ମାଉସୀ ରଶ୍ମିପ୍ରଭା ପାଣିଙ୍କ ହାତରେ ଟେକି ଦେଇଥିଲେ। ଆୟୁଷ ଇତିମଧ୍ୟରେ ମା ନିକଟରୁ ସିନା ସନ୍ତନପାନ ଛାଡି ଦେଇଛି। ମାତ୍ର ଜେଲ୍ ଅନ୍ତେବାସୀ ତଥା ଜେଲ୍ କର୍ମଚାରୀଙ୍କ ପାଖରେ ସେହି ନଟଖଟିଆ ଅଝଟିଆ କପଟିଆ ମନ ମୋହନିଆ କୃଷ୍ଣଙ୍କ ପରି ପାଳିତ ହେଉଥିଲା। ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ତାର ସବୁ ପ୍ରକାର ଖାଦ୍ୟପେୟ ଜେଲ୍ ଅଧୀକ୍ଷକ ଯୋଗାଇ ଆସୁଥିଲେ। ମହିଳା ବନ୍ଦୀମାନଙ୍କ ପାଇଁ ସେ ଥିଳା ସେଇ ଅଝଟିଆ କୃଷ୍ଣ, ଆଉ ସେମାନେ ଥିଲେ ଗୋପାଙ୍ଗନା ପରି। ସମସ୍ତଙ୍କର ପ୍ରିୟ ଶ୍ରୀକୃଷ୍ଣ ସିନା ଗୋପପୁର ଛାଡି ହସ୍ତିନାପୁର ଚାଲିଗଲେ, ମାତ୍ର କୁଢ କୁଢ ଶୋକ ମଧ୍ୟରେ ଜେଲ୍ ଅନ୍ତେବାସୀ, କର୍ମଚାରୀମାନଙ୍କୁ ଛାଡି ଚାଲିଗଲେ। ଏମିତି ଏକ ଶୋକାକୁଳ ପରିବେଶ ମଧ୍ୟରେ ଜେଲ୍ କର୍ମଚାରୀ ତଥା ସହକାରୀ ଜେଲ୍ ଅଧୀକ୍ଷକ ଅଂଜନ କୁମାର ପଣ୍ଡା, ଉପ ସହକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଲୋତକ ପୂର୍ଣ୍ଣ ନୟନରେ ଆୟୁଷକୁ ବିଦାୟ ଦେଇଥିଲେ।