ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେଠୁ ରୌଦ୍ରତାପ ଆରମ୍ଭ ହେଲାଣି ଏହା ସାଙ୍ଗକୁ ବନ୍ତ ତହସିଲ ଅଧିନରେ ଥିବା ୨୫ଟି ପଞ୍ଚାୟତ ମଧ୍ୟରୁ ଏବେବି ମୁଖ୍ୟତଃ ଆଗରପଡ଼ା ଓ ତାର ଆଖପାଖ ଅଞ୍ଚଳ ଯଥା:-କାଣ୍ଡବା, ମହାନ୍ତିପଡ଼ା, ସାହୁପଡ଼ା, ଗୋପିନାଥପୁର, ଅଣିଜୋ ଆଦି ସାଳନ୍ଦି ନଦୀ କୂଳ ଗ୍ରାମର କୋଣ ଅନୁକୋଣରେ ଶହ ଶହ ଇଟାଭାଟି ଜଳୁଥିବାର ଦେଖିବାକୁ ମିଳୁଛି। ଏହି ବେଆଇନ ଇଟାଭାଟି ପୋଡ଼ି ଯୋଗୁ ବାୟୁମଣ୍ଡଳ ପ୍ରଦ୍ୟୁଷିତ ହେବା ସହ ଇଟାଭାଟିର ଧୂଆଁ ଓ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସ୍ୱାଭାବିକ୍। ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ। ତହସିଲଦାର ଓ ତାଙ୍କ କର୍ମଚାରୀ ଏହି ବିଷୟରେ ଅବଗତ ଥାଇ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଓ ପରୋକ୍ଷରେ ଇଟାଭାଟି ମାଲିକମାନଙ୍କୁ ସହଯୋଗ କରୁଥିବାର ଅଭିଯୋଗ ହେଉଛି। ଇଟା ପକାଇବା ପାଇଁ ନିୟମ କାନୁନ ପ୍ରଣୟନ କରାଯାଇଥିଲେ ସୁଦ୍ଧା କେବଳ ହାତ ଗଣତି କେତେକ ଇଟାଭାଟି ମାଲିକଙ୍କ ଠାରୁ ରୟାଲିଟି ଓ ଜରିମାନା ଆଦାୟ କରି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରୁଛନ୍ତି। ପ୍ରଶାସନ ପକ୍ଷରୁ ଚିମିନି ଭାଟି ଗୁଡ଼ିକୁ ବାର୍ଷିକ ଲିଜ ସୂତ୍ରରେ ଲାଇସେନ୍ସ ପ୍ରଦାନ କରାଯାଉଥିବା ବେଳେ ଏହି ସାଧାରଣ ଇଟାଭାଟି ପାଇଁ କୈାଣସି ସୁବିଧା ନାହିଁ। କେବଳ ରୟାଲିଟି ଓ ଫାଇନ ଆଦାୟ ବ୍ୟବସ୍ଥାରେ ପୋଡ଼ା ଚାଲିଛି ଶହ ଶହ ଇଟାଭାଟି।
ଏହି ଫାଇନ ବ୍ୟବସ୍ଥା ପୁଣି କେତେକ ହାତଗଣତି ମାଲିକଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ବେଳେ ଅନେକ ଇଟା ମାଫିଆମାନେ ଲକ୍ଷ ଲକ୍ଷ ଇଟା ପୋଡ଼ି ଚାଲିଥିଲେ ମଧ୍ୟ ଇଟାମାଫିଆ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତାହା ସରକାରୀ ରେକର୍ଡ଼ ଭୁକ୍ତ ହେଉନଥିବା ଅଭିଯୋଗ ହେଉଛି। ଯାହା ଫଳରେ କିଛି ପ୍ରଶାସନିକ ଅଧିକାରୀ ଓ ଇଟା ମାଫିଆମାନେ ଏହି ବ୍ୟବସ୍ଥାକୁ ଅପଣାଇ ମାଲେମାଲ ହେଉଥିବାର ଚର୍ଚ୍ଚା ହେଉଛି। ଅପର ପକ୍ଷରେ ବର୍ତ୍ତମାନ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନାରେ ଅନେକ ନୂତନ ଗୃହ ନିର୍ମାଣ ଚାଲିଥିବା ଯୋଗୁଁ ବହୁଳ ଭାବରେ ଇଟାର ଆବଶ୍ୟକତା ଦେଖା ଦେଇଛି। ଯାହାର ଫାଇଦା ନେଉଛନ୍ତି ଇଟା ମାଫିଆମାନେ। ସାଧାରଣ ବିପିଏଲ ଉପଭୋକ୍ତା କିମ୍ବା ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ହିତାଧିକାରୀମାନେ ବେଆଇନ ଇଟାଭାଟି ପୋଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଫାଇନ ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ ଭୟରେ ପଛଘୁଞ୍ଚା ଦେଉଥିବା ବେଳେ ଇଟାଭାଟି ମାଫିଆମାନେ ପ୍ରଶାସନିକ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ଜନ ବସତି ମଧ୍ୟରେ ଇଟାଭାଟି ପୋଡ଼ି ଚାଲିଛନ୍ତି ଏବଂ ଚଢାଦରରେ ଇଟା ଗୁଡ଼ିକୁ ବିକ୍ରି କରୁଛନ୍ତି। ଜନ ବସତି ନିକଟରେ ବହୁଳ ସଂଖ୍ୟାରେ ବେଆଇନ ଇଟାଭାଟି ନିର୍ମାଣ କରି ଚାଲୁଥିବାରୁ ବାୟୁମଣ୍ଡଳ ଉତ୍ତପ୍ତ ଓ ପ୍ରଦୂଷିତ ହେଉଛି। ଯାହା ଫଳରେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ସହ ଇଟାଭାଟିର ତାତିରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିବା ସୁନିଶ୍ଚିତ ହୋଇପଡ଼ିଛି। ତେଣୁ ଜରିମାନା ଆଦାୟରେ କାର୍ଯ୍ୟାନୁଷ୍ଠାନକୁ ସିମିତ ନରଖି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଉଚ୍ଚପଦସ୍ଥ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।