Odiapua.com

ମାପଚୁପକୁ ନେଇ ଗାଁରେ ଗାଁରେ ଟେନସନ୍ : ମାଡି ବସୁଛନ୍ତି ଇଜିମାଇଲ୍ ଜାଗା, ସଂଘର୍ଷ ପରେ ଥାନାରେ ଭିଡ

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ୧୬ଟି ଥାନା ଅଂଚଳରେ ଜମିଜମା ବିବାଦ ଦ୍ରୁତଗତିରେ ବଢି ଚାଲିଥିବା ଜଣାଯାଇଛି । ଜିଲାର ଲୋକସଂଖ୍ୟା ୧୭ ଲକ୍ଷ ଧରିଥିଲା ବେଳେ ରାଜସ୍ୱ ଗ୍ରାମ ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ଲୋକଙ୍କ ଧନଜୀବନ ନିରାପତ୍ତା ପାଇଁ ନିୟୋଜିତ ଥିବା ପୁଲିସ୍ ସଂଖ୍ୟା ପର୍ଯ୍ୟାପ୍ତ ନଥିବାରୁ ବିଭିନ୍ନ ସ୍ଥାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଗ୍ରାମାଞ୍ଚଳରେ ଜମିଜମା ବିବାଦ ପ୍ରଶାସନ ପାଇଁ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି । ପୁଲିସ୍ ମଧ୍ୟ ଏହା ସ୍ୱୀକାର କରିଛି । ଅପରାଧ ନିୟନ୍ତ୍ରଣ କରିବା ପୁଲିସ୍‌ର ମୁଖ୍ୟ କାର୍ଯ୍ୟ ହୋଇଥିଲାବେଳେ ଜମିଜମା ବିବାଦ ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜମିଜମା ବିବାଦରେ ସ୍ଥାନୀୟ ରାଜନେତା ମୁଣ୍ଡ ପୁରାଇ ପରିସ୍ଥିତିକୁ ଅଧିକ ଜଟିଳ କରିଦେଉଥିବା ଜଣାଯାଇଛି । ପ୍ରାପ୍ତ ବିବରଣରୀରୁ ପ୍ରକାଶ ଯେ ଚାନ୍ଦବାଲି, ତିହିଡି, ଧାମନଗର, ଧୁଷୁରୀ, ଭଣ୍ଡାରିପୋଖରୀ, ବାସୁଦେବପୁର, ଆଗରପଡା, ନାୟକାଣୀଡିହି, ବନ୍ତ, ବାଂଶଡା, ଟାଉନ୍ ଥାନା ଓ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଆସୁଥିବା ଏତଲା ମଧ୍ୟରୁ ୮୦ ପ୍ରତିଶତ ମାମଲା ଜମିଜମା ସଂକ୍ରାନ୍ତୀୟ । ପରିସଂଖ୍ୟନଗତ ତଥ୍ୟରୁ ଜଣାଯାଇଛି ଯେ ଗତ ୨୦୦୦ ମସିହାରେ ଘଟିଥିବା ୨୦ଟି ହତ୍ୟାକାଣ୍ଡ ମଧ୍ୟରୁ ୫ଟି, ୨୦୦୧ ମସିହାରେ ହୋଇଥିବା ୨୩ ଟି ହତ୍ୟାକାଣ୍ଡ ମଧ୍ୟରୁ ୮ଟି, ୨୦୦୨ ରେ ଘଟିଥିବା ୨୬ ଟି ହତ୍ୟାକାଣ୍ଡ ମଧ୍ୟରୁ ୧୦ଟି ୨୦୦୩ ରେ ୬ଟି, ୨୦୦୪ ରେ ୫ଟି, ୨୦୦୫ ରେ ୩ଟି, ୨୦୦୬ ରେ ୭ଟି, ୨୦୦୮ ରେ ୧୦ ଟି, ୨୦୦୯ ରେ ୫ଟି, ୨୦୧୦ ରେ ୬ଟି, ୨୦୧୧ ରେ ୪ଟି, ୨୦୧୨ ରେ ୬ ଟି, ୨୦୧୩ ରେ ୫ ଟି, ୨୦୧୪ ରେ ୪ଟି, ୨୦୧୫ ରେ ୭ଟି ଏବଂ ୨୦୧୬ ରେ ୭ଟି ୨୦୧୭ ରେ ୫ଟି, ୨୦୧୮ ରେ ୨ ଟି ହତ୍ୟାକାଣ୍ଡ ଜମିଜମା ବିବାଦରୁ ହୋଇଯାଇଛି । ସେହିପରି ୨୦୦୦ ରୁ ୨୦୧୭ ହୋଇଥିବା ୮୫୪ ଟି ଗୋଷ୍ଠୀ ସଂଘର୍ଷ ରୁ ୪୨୨ ଟି ସଂଘର୍ଷ ଜମିଜମା ବିବାଦ ଓ ରାଜନୈତିକ ହସ୍ତକ୍ଷେପ କାରଣରୁ ଘଟିଥିବା ଜଣାପଡିଛି । ୨୦୧୯-୨୦ ବର୍ଷରେ ଡକାୟତି ଓ ଜମିଜମା ବିବାଦରୁ ହଣାକଟା ଓ ମୃତ୍ୟୁ ବେଶି ବୃଦ୍ଧି ପାଇଛି । ଏହି ପ୍ରତିନିଧି ଜିଲାର ୧୬ ଟି ଥାନାର ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ସେମାନେ କହିଥିଲେ ପ୍ରତିଦିନ ଥାନାକୁ ୧୦/୧୫ ଟି ଏତଲା ଆସିଥାଏ ।

 

 

ସେଥିମଧ୍ୟରୁ ୫/୬ ଟି ମାମଲା ଜମିରେ ହୁଡା, ବାଡିରେ ବାଡଦେବା, ନଡିଆ ବିଛାଇବା, ଜମି ଦଲିଲ ଓ ଏପରିକି ବାପପୁଅ ମଧ୍ୟରେ ଜମିବାଡି ଭାଗବଣ୍ଟା ମାମଲା ଆସୁଛି ବୋଲି ଥାନାଧିକାରୀମାନେ ପ୍ରକାଶ କରିଛନ୍ତି । ଏହି ଯେ ଜମିଜମା ବିବାଦରେ ପୁଲିସ୍‌ର କୌଣସି ଭୂମିକା ନଥିଲେ ମଧ୍ୟ ଜନସାଧାରଣ କୋର୍ଟକୁ ଯାଇ ବିଳମ୍ବିତ ନ୍ୟାୟ ପାଇବା ଅପେକ୍ଷା ଥାନାରେ ଆଶୁ ଫଇସଲା କରାଇବାକୁ ଶ୍ରେୟ ମନେ କରୁଛନ୍ତି । ଜମିଜମା ସଂକ୍ରାନ୍ତରେ ପ୍ରାୟ ୬୦୦ ମାମଲା ବର୍ଷକୁ ଜିଲାର ୧୬ ଟି ଥାନା ଓ ୨୧ ଟି ଫାଣ୍ଡିକୁ ଆସିଥାଏ । ଇଜିମାଇଲ୍ ଜମି, ଘରଡିହ, ଭାଗବଣ୍ଟାରୁ ଜମିରେ ଗଛ କାଟିବା, ନିଅଁ ଖୋଳିବା ଓ ଭାଇ ଭାଇ ମଧ୍ୟରେ ବିବାଦ ସଂପର୍କରେ ଏହି ମାମଲା ଥାନାକୁ ଆସିଥାଏ ବୋଲି ଜଣାଯାଇଛି । ଏକ ସର୍ବେକ୍ଷଣ ଅନୁଯାୟୀ ଜମିଜମା ବିବାଦକୁ ନେଇ ଯେଉଁ ଗଣ୍ଡଗୋଳ ଉପୁଜୁଛି ତାର ମୁଖ୍ୟ କାରଣ ହେଲା ତହସିଲ କିରାଣୀ, ଚକବନ୍ଦୀ କିରାଣୀ ଓ ଅମିନମାନେ ଜମିମାପ ଓ ଚିହ୍ନଟରେ ଅନିୟମିତତା ପୂର୍ଣ୍ଣ କାର୍ଯ୍ୟ କରିବା ଫଳରେ ଜମି ଜମା ସଂକୁଚିତ କରାଯିବା, ଅନ୍ୟନାମରେ ପ୍ଲଟ୍ କରାଇ ଦେବା ଆଦି ଅନିୟମିତତା କାର୍ଯ୍ୟ ଯୋଗୁଁ ବିବାଦ ସୃଷ୍ଟି ହେଉଥିବା ଜଣାଯାଇଛି । ବ୍ୟାପକ ଜନ ସଚେତନତା ଓ ଭାଇଚାରା ପଣିଆ ଦ୍ୱାରା ଜମିଜମା ବିବାଦ ଯୋଗୁଁ ସୃଷ୍ଟି ହେଉଥିବା ଗଣ୍ଡଗୋଳ ପରିସ୍ଥିତିର ନିରାକରଣ କରାଯାଇ ପାରିବ ବୋଲି ପୁଲିସ୍ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀ ମତ ପ୍ରକାଶ କରିଛନ୍ତି ।