Odiapua.com

ମାନସ ସ୍ୱାଇଁ ହତ୍ୟା ମାମଲାର ୪ର୍ଥ ସାକ୍ଷୀ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ ଓରଫ ସୋନିଙ୍କ କୋର୍ଟରେ ବୟାନ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ଚତୁର୍ଥ ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ ଓରଫ ସୋନି ଆଜି କୋର୍ଟରେ ଉପସ୍ଥିତ ରହି ତାଙ୍କ ବୟାନ ପ୍ରଦାନ କରିଛନ୍ତି । ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚ କରୁଥିବାବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ରାଉତ, ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ନିରଂଜନ ସେଠୀ ପ୍ରମୁଖ ଏବେ ଭଦ୍ରକ ଉପକାରାଗାରରେ ରହିଛନ୍ତି । ଏହି ସ୍ପର୍ଶକାତର ମାମଲାଟି ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ବିଚାରାଧୀନ ଅଛି । ଆଜି ୪ର୍ଥ ସାକ୍ଷୀଭାବେ କ୍ରାଇମବ୍ରାଞ୍ଚ ପକ୍ଷରୁ କେୟାର ଟେକର ସରୋଜିନୀ ସେଠଙ୍କ ବୟାନ ବେଳେ ସେ ନିଜ ପାଇଁ ଚାକିରୀ ଖୋଜି ନୟାଗଡ ରଣପୁର ଆସି ଭୁବନେଶ୍ୱର ଦୟାଲ ଆଶ୍ରମର ମାଲିକ ଶର୍ମିଷ୍ଠା ରାଉତଙ୍କ ଅଧୀନରେ ଚାକିରୀ କରିଥିଲେ ବୋଲି କହିଥିଲେ । ୨୦୨୨ ମସିହା ଜାନୁଆରୀ ୨୨ ରେ ଛୁଟିନେଇ ନିଜ ଘରକୁ ଯାଇଥିବା ସମୟରେ ଶର୍ମିଷ୍ଠାଙ୍କ ନିର୍ଦ୍ଦେଶ ମତେ ସେ ସେହିମାସ ୨୯ ତାରିଖରେ ଫେରିଆସିଥିଲେ । ତାଙ୍କ ଆଶ୍ରମ ଠାରୁ କିଛି ଦୂରରେ ଶର୍ମିଷ୍ଠାର ‘ସଂପୂର୍ଣ୍ଣ’ ନ୍ୟୁଜ୍ ୱେଲ୍ ଚେନାଲର କାର୍ଯ୍ୟାଳୟକୁ ସେ ଯାଆନ୍ତି । ସେଠାରେ ସେ ଶର୍ମିଷ୍ଠା, ଝୁନା ଭୋଇ, ନିରଂଜନ ସେଠୀ ଓ ଅନ୍ୟମାନଙ୍କୁ ଅନେକ ସମୟରେ ଦେଖିଥିବାର କହିଥିଲେ । ଏବଂ ଥରେ ସେ ସେଠାକୁ ଯାଇଥିବା ସମୟରେ ମାନସ ସ୍ୱାଇଁ ତାଙ୍କ କ୍ୟାମେରା ଚିଫ୍ କେମିନି ନଫେରେଇ ହଇରାଣ କରୁଛି, ସେ ବିଷୟରେ ସେମାନେ କଥାବାର୍ତ୍ତା ହେଉଥିବାର ଶୁଣିଥିଲେ । ପରଦିନ ଦୟାଲ ଆଶ୍ରମକୁ ସମସ୍ତେ ଆସି ମାନସ ସହ ଭିଡିଓ କଲ୍ କରି କଥା ହେବା ପରେ ସେ ଚାନ୍ଦବାଲି ଆସିଥିବାର କହି ତାକୁ ୧୦ ହଜାର ଟଙ୍କା ନଦେଲେ ସେ ଚିଫ୍ ଫେରାଇବ ନାହିଁ ବୋଲି କହିଥିଲା ।

ଏହାପରେ ସେମାନେ ତାକୁ କେମିତି ଚାନ୍ଦବାଲିରୁ ଉଠାଇ ଆଣିବେ, ଆଲୋଚନା କରି ଫେବୃୟାରୀ ମାସ ୭ ତାରିଖରେ ସେ ଶର୍ମିଷ୍ଠାଙ୍କ ଘରକୁ କାମ ପାଇଁ ଯାଇଥିବାବେଳେ ସେ ନଥିବାରୁ ତାଙ୍କ ଭାଉଜଙ୍କ ସହ କଥାହେବା ମଧ୍ୟରେ ଶର୍ମିଷ୍ଠା ଓ ଝୁନା ଭୋଇ ପହଞ୍ôଚଥିଲେ । ଶର୍ମିଷ୍ଠା ପଚାରିବାରୁ ଝୁନା ଭୋଇ ସେମାନେ ରାତି ଅନିଦ୍ରା ହୋଇ ମାନସକୁ ଖୋଜି ଆଣିଥିବାର କହିଥିଲା । ଫଳରେ ତାଙ୍କ ଭାଉଜ ମାନସକୁ ଦେଖିବା ପାଇଁ କହିବାରୁ ଝୁନା ଭିଡିଓ କଲ୍ କରି ମାନସ ଏକ କାର୍ ଭିତରେ ରାଜ ଓ ଅନ୍ୟ ୨ ଜଣଙ୍କ ସହ ବସିଥିବାର ଦେଖାଇଥିଲା । ଏହାପରେ ଦୟାଲ ଆଶ୍ରମକୁ ଫେରି ମାନସକୁ ସେଠାକୁ ନେଇଆସିଥିଲେ । ନେବା ସମୟରେ ମାନସକୁ ମାଡ ମାରିବା ସହ କଲର ଧରି ଘୋଷାରି ଘୋଷାରି ଆଶ୍ରମର ଉପର ଘରେ ପୁରେଇ ମାଡ ମାରିଥିଲେ । ତା ପକେଟରୁ ପର୍ସ ଓ ଏଟିଏମ୍‌କୁ ନେଇ ବାହାରୁ ଚାବି ପକାଇ ସମସ୍ତେ ପଳାଇଥିଲେ । ପୁନର୍ବାର ସନ୍ଧ୍ୟାରେ ସମସ୍ତେ ଆସି ମାନସକୁ ବାଉଁଶବାଡି ଓ ଏକ କାଠ ଫାଳିଆରେ ନିର୍ମମ ଭାବେ ପିଟିଥିଲେ । ସେତେବେଳେ ସରୋଜିନୀ ତଳ ତାଲାରେ ବସି ଟିଭି ଦେଖୁଥିଲେ । ମାନସର ଚିତ୍କାର ଓ ତାକୁ ମାଡ ମାରୁଥିବାର ଶବ୍ଦ ସେ ଶୁଣିଥିବାର ବୟାନରେ କହିଥିଲା । ତାହା ପରଦିନ ସକାଳୁ ସେ ମାନସ ରହୁଥିବା ରୁମ୍‌କୁ ଯାଇ ତାକୁ ଦେଖିବାକୁ ପାଇନଥିଲା । ଘର ଓଳାଇବା ପାଇଁ ଯାଇଥିବାରୁ ସେଠାରେ କିଛି ଭଂଗା ବାଉଁଶ ଓ କାଠ ଫାଳିଆ ପାଇଥିଲା । ମାନସ ନିଜର ଠିକଣା ଓ ତାକୁ ଉଦ୍ଧାର କରିବାକୁ ସହାୟତା କରିବା ପାଇଁ ନିଜ ହାତଲେଖା ଚିଠି ସେ ପାଇଥିଲା । ପରେ ସେ ସବୁକୁ ସେ ଶର୍ମିଷ୍ଠାକୁ କହିବାରୁ ଚିଠିଟିକୁ ଝରକା ବାହାରକୁ ସେ ଫିଙ୍ଗିଦେଇଥିଲା । ଦୁଇଦିନ ପରେ ମିଡିଆ ସେଠାରେ ପହଞ୍ôଚବାରୁ ସେ ମାନସ ମୃତ୍ୟୁବରଣ କରିଥିବା ବିଷୟ ଜାଣିଥିଲା । ତେବେ ଆଜି ସମୟ ଅଭାବରୁ ସରୋଜିନୀଙ୍କୁ ଅଭିଯୁକ୍ତମାନଙ୍କ ଓକିଲ ଜେରା କରିପାରିନଥିଲେ । ଆସନ୍ତା ଅଗଷ୍ଟ ମାସ ୨ ତାରିଖରେ ତାଙ୍କୁ ଜେରା କରାଯିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ସରକାରୀ ଓକିଲ ପ୍ରଦୀପ କୁମାର ସାମଲ ଗଣମାଧ୍ୟମକୁ କହିଛନ୍ତି ।