Odiapua.com

ମାନବ ସେବା ହିଁ ମାଧବ ସେବା : ସ୍ୱଚ୍ଛତା ହେଉଛି ପରମ ସେବା, ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ, ଗାନ୍ଧୀଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଭଦ୍ରକ ଜିଲ୍ଲା ପାଇଁ ଇଂଟରନେଟ୍ ସେବା ପ୍ରଦାନରେ ଲାଗିଥିବା ରୋକ୍ ଉଠିଲା

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱଚ୍ଛ ରଖିଲେ ଆମ ପରିବେଶ, ସୁସ୍ଥ ରହିବେ ସବୁ ମଣିଷ। ବାହ୍ୟ ପରିବେଶରେ ସ୍ୱଚ୍ଛତା ରକ୍ଷା ସହ ଅନ୍ତଃକରଣରେ ମଧ୍ୟ ସ୍ୱଚ୍ଛତା ବଜାୟ ରଖିବାର ଆବଶ୍ୟକତା ଅଛି। ଏହା ବଳରେ ହିଁ ନୀତି, ଆଦର୍ଶ, ସତ୍ୟାନୁରାଗ, ପରୋପକାରିତା, ଅହିଂସା ଭଳି ପରମ ମନ୍ତ୍ରକୁ ଆପଣେଇ ଜଣେ ନିଜକୁ ସୁନାଗରିକ ଭାବେ ଗଢ଼ି ସୁସ୍ଥସମାଜ ଓ ଉତମ ରାଷ୍ଟ୍ର ଗଠନରେ ସହାୟକ ହୋଇ ପାରିବ ଏବଂ ଗାନ୍ଧୀଜୀଙ୍କ ସ୍ୱପ୍ନର ଭାରତ ଗଠନ ହେବା ବିଳମ୍ବିତ ହେବନାହିଁ। ମନରେ ସ୍ୱଚ୍ଛତା ଆସିଲେ ପାରସ୍ପରିକ ସଦ୍‌ଭାବ, ସଂପ୍ରୀତି ସ୍ଥାପନ ପୂର୍ବକ ଉତମ ଭାଇଚାରା ସୃଷ୍ଟି ହୋଇପାରିବ, ଅଶାନ୍ତମୟ ପରିବେଶ ଆମ ଠୁ ଦୂରେଇ ଯିବ ବୋଲି ଭଦ୍ରକ ଜିଲ୍ଲା ସ୍ତରୀୟ ୧୫୫ତମ ଗାନ୍ଧୀ ଓ ୧୨୦ ତମ ଶାସ୍ତ୍ରୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବରେଣ୍ୟ ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ପବିତ୍ର ଗାନ୍ଧୀ ଜୟନ୍ତୀକୁ ଆନ୍ତର୍ଜାତିକ ଅହିଂସା ଦିବସ, ସ୍ୱଚ୍ଛତା ଦିବସ ରୂପେ ମଧ୍ୟ ଘୋଷଣା କରାଯାଇଥିବା ଉପରେ ଆଲୋକପାତ କରିବାକୁ ଯାଇ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ କିଛିଦିନ ତଳେ ଭଦ୍ରକ ଜିଲ୍ଲା ପାଇଁ ନିଷେଦ୍ଧ ଥିବା ଇଂଟରନେଟ୍ ସେବାକୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ପୂର୍ବରୁ ପ୍ରଦାନ କରାଯାଇ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କୁ ଯେଉଁ ଖୁସି ପ୍ରଦାନ କରାଯାଇଛି ତାହା ବଜାୟ ରଖିବା ପାଇଁ ଉତମ ବାତାବରଣ ସୃଷ୍ଟି ନିମନ୍ତେ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଭବନରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଯେନା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ଭଦ୍ରକ ଜିଲ୍ଲାକୁ ତିନିଦିନିଆ ଗସ୍ତରେ ଆସିଥିବା ସ୍ୱତନ୍ତ୍ର ଶାସନ ସଚିବ, ପଂଚାୟତରାଜ ତଥା ନିର୍ଦ୍ଦେଶିକା ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ଗୁହା ପୁନମ୍ ତାପସ କୁମାର, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସି.ଡ଼ି.ଓ. ସରୋଜ କୁମାର ଦତ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭୟ କୁମାର ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ଗାନ୍ଧୀବାଦ, ଗାନ୍ଧୀ ଦର୍ଶନର ତାତ୍ୱିକ ଆଲୋଚନା ରଖିବା ସହ ଗାନ୍ଧୀ ଜୀବନର ରୋଚକ ତଥ୍ୟ ପିଲାମାନଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଗାନ୍ଧୀ ଓ ଶାସ୍ତ୍ରୀ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂଘର କଳାକାର ମାନଙ୍କୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ୍‌ଙ୍କ ନେତୃତ୍ୱରେ ଗାନ୍ଧୀ ଭଜନ ବୈଷ୍ଣବ ଜନ ତୋ ଓ ରଘୁପତି ରାଘବ ରାଜାରାମ୍ ପରିବେଷଣ କରାଯାଇଥିଲା। ନିକଟରେ ଦେହାବସାନ ଘଟିଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ୟାମ ସୁନ୍ଦର ବେହେରାଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱଚ୍ଛତା ଅଭିଯାନର ୧୦ ବର୍ଷ ପୂର୍ତି ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନକୁ ସମ୍ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ୍ ମୁକ୍ତ କରାଯାଇଥିଲା। ସାଜସଜ୍ଜାରେ, ତୋଡ଼ାରେ ନଥିଲା ପ୍ଲାଷ୍ଟିକ୍ ଫୁଲ ନା ବେଲୁନ୍ ନା ଜରି, ନା ଥିଲା ପାନୀୟ ବୋତଲ, ନା ଥିଲା ପ୍ଲାଷ୍ଟିକ୍ ଫୋଲଡ଼ର ନା ପ୍ଲାଷ୍ଟିକ୍ ବ୍ୟାନର। ପ୍ରାକୃତିକ ଫୁଲ, କାଚ ଓ କାଗଜ ନିର୍ମିତ ଗ୍ଲାସରେ ପାନୀୟ ଜଳ ପ୍ରଦାନ, ମୂତିକାରେ ବିଘଟିତ ହୋଇ ପାରୁଥିବା କପଡ଼ାରେ ବ୍ୟାନର ଓ ଫୋଲଡ଼ର ଆଦି ବ୍ୟବହାର କରାଯାଇ ଉକ୍ତ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ କରାଯାଇଥିଲା।

ଏହି ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରରେ ପ୍ରବନ୍ଧ, ବକ୍ତୃତା ଓ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସ୍ୱଚ୍ଛ ଭାରତ ଅଭିଯାନ ଆଧାରରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ଭଣ୍ଡାରିପୋଖରୀର ୫ ଟି ଓ ଧାମନଗର ବ୍ଲକ୍‌ର ୨ ଟି, ଭଦ୍ରକ ବ୍ଲକ୍‌ର ୧ଟି ସ୍ୱୟଂସହାୟକ ଗୋଷ୍ଠୀ ଓ ଭଦ୍ରକ ବ୍ଲକ୍‌ର ଦୁଇ ଜଣ ସରପଂଚଙ୍କୁ ପୁରସ୍କୃତ କରାଯାଇଥିଲା। ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ସରକାରୀ ଶିକ୍ଷକ ମନୋଜ କୁମାର ସାହୁ ଏ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ଚରଣ ବାରିକ୍‌, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ, ଶିକ୍ଷକ, ସାମ୍ବାଦିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ୩୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ଥିଲା। ଏଠାରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଅମର କୁମାର ପାଣିଗ୍ରାହୀ ଗୀତା, ଏକ୍ରାମ୍ ଖାଁ କୋରାନ୍‌, ମନୋଜ ସାହୁ ବାଇବେଲ ପାଠ କରିଥିଲେ। ଏହି ଦିବସ ଭିତିକ କାର୍ଯ୍ୟକ୍ରମରେ ପ୍ରତ୍ୟୁଷରୁ ରାମଧୂନ ପରିକ୍ରମା ସାଙ୍ଗକୁ, ପଦଯାତ୍ରାରେ ସ୍ୱତନ୍ତ୍ର ଶାସନ ସଚିବ, ଜିଲ୍ଲାପାଳ, ସି.ଡ଼ି.ଓ. ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବି.ଡ଼ି.ଓ. ସୀତାକାନ୍ତ ରାଉତ ପ୍ରମୁଖ ଭଦ୍ରକ ବ୍ଲକ, ଜିଲ୍ଲାସ୍କୁଲ, ମହତାବ କୋଠି, ଗାନ୍ଧି ପଡ଼ିଆରେ ଅବସ୍ଥିତ ଗାନ୍ଧିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲାସ୍କୁଲ, ଗାନ୍ଧୀ ଓଡ଼ିଶା ବାଳାଶ୍ରମର ପିଲାମାନେ ଆକର୍ଷଣୀୟ ବ୍ୟାଣ୍ଡର ବାଦନ ପଦଯାତ୍ରାକୁ ସରସ ସୁନ୍ଦର କରିଥିଲା। ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ଗାନ୍ଧି ପଡ଼ିଆରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମସ୍ତ ଅତିଥିଙ୍କ ସମେତ, ପି.ଡି.ଡୁଡ଼ା ବ୍ରଜଗୋପାଳ ଆଚାର୍ଯ୍ୟ, ଭଦ୍ରକ ପୌର ଅଧ୍ୟକ୍ଷା ଗୁଲମକ୍କୀ ଦଲ୍ଲୱାଜୀ ହବିବ୍‌, ସଂପୃକ୍ତ ସମସ୍ତ ଅଧିକାରୀ, ସଫେଇ କର୍ମଚାରୀ ବୃନ୍ଦଙ୍କ ଦ୍ୱାରା ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।