Odiapua.com

ମାଧପୁରକୁ ମାଧବ ଭରସା …, ଅଣଖାସାହି ନଟିଆପୋଲରୁ ଧାନଖଣିଆ ରାସ୍ତା ବେହାଲ, ମୋହନ ସରକାର ଦୃଷ୍ଟି ଦେବେକି!

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ମାଧପୁର ଗ୍ରାମପଂଚାୟତକୁ ମାଧବ ହିଁ ଭରସା ବୋଲି ଲୋକେ କହୁଛନ୍ତି । କାହିଁକିନା ଅଣଖାସାହି ନଟିଆ ପୋଲ ଠାରୁ ଧାନଖଣିଆ ରାସ୍ତାଟି ଏବେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ପ୍ରତ୍ୟେକଦିନ ୨ ଗୋଟି ଗ୍ରାମର ଲୋକେ ଚଳପ୍ରଚଳ ହୁଅନ୍ତି, ୨୫ ବର୍ଷର ବିଜେଡି ସରକାର ସମୟରେ ରାସ୍ତାର କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ନୂଆ ମୋହନ ସରକାର ଏବେ ଗ୍ରାମବାସୀଙ୍କ ଦୁଃଖକୁ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ କରିବେ ବୋଲି ଆଶା ବାନ୍ଧିଛନ୍ତି ସମସ୍ତେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତା ଦେଇ ଅଣଖାସାହି ପ୍ରାଇମେରୀ ସ୍କୁଲ ସହିତ ମଧୁପୁର ଜୟମଙ୍ଗଳା ୟୁପି ସ୍କୁଲକୁ ପ୍ରତ୍ୟେକଦିନ ୨ ଖଣ୍ଡ ଗ୍ରାମର ପିଲାମାନେ ପାଠ ପଢିବା ପାଇଁ ଯିବାଆସିବା କରନ୍ତି । କିନ୍ତୁ ବର୍ଷାଦିନ ଆସିଲେ ପିଲାମାନଙ୍କର ରାସ୍ତା କଥା ମନେପଡିଲେ ଭୟରେ ଜ୍ୱର ଆସେ । କାହିଁକିନା ଛୋଟ ଛୋଟ ପିଲାମାନେ କାଦୁଅ ରାସ୍ତାରେ ଯିବାପାଇଁ ଡରନ୍ତି । ଖାଲି ସେତିକି ନୁହେଁ ବର୍ଷାଦିନରେ ଜରୁରୀକାଳୀନ ଆମ୍ବୁଲାନ୍ସ, ଦମକଳ ଗାଡିଟିଏ ମଧ୍ୟ ଯିବାଆସିବା କରିପାରେନାହିଁ । ତେଣୁ ନୂଆ ମୋହନ ସରକାରଙ୍କୁ ଏହି ରାସ୍ତା କାର୍ଯ୍ୟ ତୁରନ୍ତ କରିବା ପାଇଁ ଗ୍ରାମବାସୀମାନେ ଗୁହାରି କରିଛନ୍ତି ।