Odiapua.com

ମଦ ପିଇବାକୁ ଡାକି ନେଇ ପୂର୍ବ ଶତ୍ରୁତା ଯୋଗୁଁ ସାଙ୍ଗକୁ ହତ୍ୟା

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୫-୦୯ (ଓଡ଼ିଆ ପୁଅ) ମଦ ପିଇବାକୁ ଡାକି ନେଇ ଜୀବନରେ ମାରି ଦେଇଥିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କଂଟାବାଂଜି ଥାନା ହିଆଁଲ ଗ୍ରାମର କ୍ଷେତ୍ରୀ ସଗରିଆ(୫୫), ପିତା- ଦୁକାଲୁ ସଗରିଆଙ୍କୁ ସେହି ଗାଁର ବନଗୁଲା ଗଏଁତା(ବନ) ସୋମବାର ଦିନ ଗାଁରୁ ଡାକି ନେଇ କଂଟାବାଂଜି ସହରକୁ ଯାଇଥିଲା। ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପୂର୍ବରୁ ଶତ୍ରୁତା ଥିଲା। ଦୁହେଁ ସଂଧ୍ୟାରେ ନିଜ ଗାଁକୁ ଫେରିବା ମଧ୍ୟରେ ଗୋଳମାଳ ହୋଇ ବନଗୁଲା ଗଏଁତା ମରଣାନ୍ତକ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା କ୍ଷେତ୍ରୀକୁ କଂଟାବାଂଜିରୁ ଡାକ୍ତରଖାନାରୁ ବଲାଙ୍ଗିର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ଡାକ୍ତରଖାନାରେ ମଂଗଳବାର ଦିନ କ୍ଷେତ୍ରୀ ସଗରିଆଙ୍କ ମୃତ୍ୟୁ ଘଟିଛି। ମୃତକର ପରିବାର ଏ ସଂପର୍କରେ ଥାନାରେ ଏକ ଅଭିଯୋଗ ଦେଇଛନ୍ତି। କ୍ଷେତ୍ରୀର ମୃତ୍ୟୁ ଘଟଣା ପରେ କଂଟାବାଂଜି ପୋଲିସ ବନଗୁଲାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବୋଲି ପୋଲିସ ସୂଚନା ଦେଇଛି।