Odiapua.com

ମାତ୍ରାଧିକ ଆତ୍ମନିର୍ଭରଶିଳ ବୁଡ଼ାଇପାରେ ୨୪ ବର୍ଷର ସାମ୍ରାଜ୍ୟ

ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଲୋକାର୍ପଣ ପରେ ଓଡ଼ିଶା ବିଜେପି ଅତ୍ୟନ୍ତ ଉତ୍ସାହିତ। ସାରା ଓଡ଼ିଶାରେ ଏହି ଦିନଟିକୁ ଧାର୍ମିକ ଚେତନାରେ ପାଳନ କରାଯାଇଛି। ସମଗ୍ର ଦେଶ ମଧ୍ୟ ଉତ୍ସବମୁଖର। ଏହାର ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେଡ଼ି ଓ ବିଜେପି ପ୍ରାଣମୁର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଦୁଇ ଦଳର ଅଭିମୁଖ୍ୟରୁ ଏହା ସ୍ପଷ୍ଟ ଜଣା ପଡୁଛି। ମାତ୍ର ଅତ୍ୟଧିକ ଆତ୍ମବିଶ୍ୱାସ ଅନେକ ସମୟରେ ଘାତକ ସାବ୍ୟସ୍ତ ହୋଇଥାଏ ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଜେଡ଼ି ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାରେ ଶାସନ କରୁଛି। ନବୀନ ପଟନାୟକ ଲଗାତାର ପାଞ୍ଚ ପାଳି ମୁଖ୍ୟମନ୍ତ୍ରୀ ହେଇ ସାରିଲେଣି। ଗୋଟିଏ ଆଞ୍ଚଳିକ ଦଳ ହିସାବରେ ଲୋକପ୍ରିୟତାର ଶୀର୍ଷରେ ଆଜି ପହଂଚିଛି ବିଜୁ ଜନତା ଦଳ। ୨୦୨୪ ନିର୍ବାଚନ ପରିସ୍ଥିତି କିନ୍ତୁ ଭିନ୍ନ ଆଡକୁ ଗତି କରୁଛି। ରାଜ୍ୟ ବିଜେପି ଏଥର ଗଡ଼ ଛାଡ଼ିବା ଲକ୍ଷ୍ୟରେ ନାହିଁ। ଏଥର ଶେଷ ସୁଯୋଗ। ରାଜ୍ୟ କଂଗ୍ରେସ ମଧ୍ୟ ସୁଯୋଗ ହାତ ଛଡା ଲକ୍ଷ୍ୟରେ ନାହିଁ। ପୂର୍ବ ନିର୍ବାଚନ ସମୂହରେ ବିଜେଡ଼ି ଏକ ତରଫା ଛକା ଓ ଚୌକା ମାରି ନିର୍ବାଚନ ଜିତିଆସିଛି। ଏଥର ପରିସ୍ଥିତି ଭିନ୍ନ। ଦଳ ଭିତରେ ଅସନ୍ତୋଷ ଚରମ ସୀମାରେ। ପ୍ରତି ନିର୍ବାଚନ ମଣ୍ଡଳୀରେ ୧୦ ରୁ ଅଧିକ ଆଶାୟୀ। ବିଜେଡ଼ି ହିଁ ବିଜେଡ଼ିର ପରମ ଶତ୍ରୁ ଓ ବିଜେଡ଼ି ହିଁ ବିଜେଡ଼ିକୁ ହରାଇବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି। ଦଳର ନାମକୁ ମାତ୍ର ମଙ୍ଗ ଧରିଥିବା କିଛି ନେତା କଥା ଛଳରେ ଟିକଟ ମଧ୍ୟ ବାଣ୍ଟି ସାରିଲେଣି ବୋଲି ଶୁଣିବାକୁ ମିଳୁଛି। ଯୋଉ ନେତା ସେମାନଙ୍କ ପାଖକୁ ଯାଉଛନ୍ତି, ତମ ଟିକଟ କନଫରମ ବୋଲି କହୁଛନ୍ତି। ପୁରୁଣା ନେତା ଆସନ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ୩/୪/୫ ଥର ବିଧାୟକ ଓ ସାଂସଦ ହେଇସାରିଲେଣି। ତଥାପି ନୂଆ ନେତାଙ୍କୁ ବାଟ ଛାଡ଼ିବା ପାଇଁ ରାଜି ନୁହନ୍ତି। ଏପରିକି ନିଜ ସନ୍ତାନମାନଙ୍କୁ ଭି ରାସ୍ତା ଛାଡ଼ିବାକୁ ରାଜି ନୁହନ୍ତି। ଏପରି ସ୍ଥଳେ ଟିକଟ ବଣ୍ଟନରେ ଘୋର ଅବ୍ୟବସ୍ଥାର ଆଶଙ୍କା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇପାରେ। ଦଳର କିଛି ନେତା ଯିଏ ୩/୪ ଥର ବିଧାୟକ ଓ ମନ୍ତ୍ରୀ ହେଇ ସାରିଲେଣି ଏବେ ପୁଣି କେମିତି ବିଧାୟକ ଓ ମନ୍ତ୍ରୀ ହେବେ ସେ ଚକ୍କର ଆରମ୍ଭ କରିସାରିଲେଣି। ଆତ୍ମବିଶ୍ୱାସ ଏତେ ପରିମାଣରେ ବଢ଼ି ଯାଇଛିଯେ ଦଳର ଭବିଷ୍ୟତକୁ ଭି ଅଣଦେଖା କରିଚାଲିଛନ୍ତି ଏହି ନେତା। ଆପଣା ବଞ୍ଚିଲେ ବାପାର ନାଁ ସ୍ଲୋଗାନରେ ଚାଲିଛି ଦଳ ବୋଲି ଭିତରି ସୂତ୍ରରୁ ଜଣା ପଡ଼ିଛି।

ଇତିହାସ ସାକ୍ଷୀ ଅଛି। ଏପରି ଚିନ୍ତାଧାରା ଅନେକ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ବିଶେଷ କରି ଆଞ୍ଚଳିକ ଦଳମାନଙ୍କ ପାଇଁ। ତେଣୁ ନିର୍ବାଚନ ଆଉ ଦିନ କେତୁଟା ରହିଲା। ବିଜେଡ଼ି କି ରଣନୀତି ପ୍ରସ୍ତୁତ କରୁଛି ତାହା ଏବେ ଦଳ ଓ ଦଳ ବାହାରେ ଆଲୋଚନାର ବିଷୟ।

ପ୍ରିୟ ରଞ୍ଜନ ସାହୁ