Odiapua.com

ମାତୃଶକ୍ତିକୁ ସଶକ୍ତ କରିବ ସୁଭଦ୍ରା, ଭଦ୍ରକ ବ୍ଲକ୍‌ସ୍ତରୀୟ ସୁଭଦ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମ

ଭଦ୍ରକ, ୧୭ା୯ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରତିକ୍ଷୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ ଆଜିର ଦିନରେ ସରକାରଙ୍କ ଐତିହାସିକ ଯୋଜନା ସୁଭଦ୍ରାର ଶୁଭାରମ୍ଭ ଉତ୍ସବ ରାଜ୍ୟ ଓ ସମସ୍ତ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ବ୍ଲକ୍ ଓ ପୌରପାଳିକାର ମିଳିତ ଆନୁକୂଲ୍ୟରେ ଚରମ୍ପାସ୍ଥିତ ଅଗ୍ରସେନ ଭବନରେ ସୁଭଦ୍ରା ର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ଆଜିର ଦିନଟିକୁ ଐତିହାସିକ ଓ ଯୁଗାନ୍ତକାରୀ ଦିବସ ରୂପେ ବର୍ଣ୍ଣନା କରି ସୁଭଦ୍ରା ଯୋଜନା ମାଧ୍ୟମରେ ମା’ ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇପାରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ବରେଣ୍ୟ ଅତିଥି ଭାବେ ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ଏହି ଯୋଜନା ମା’ ମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଆଣିଦେଇଛି ଏବଂ ଏହି ଯୋଜନାରେ ପଂଜିକରଣ ପାଇଁ ଶେଷ ତାରିଖ ନଥିବାରୁ ବାକି ରହିଯାଇଥିବା ମା’ ମାନେ ଏବର୍ଷର କିସ୍ତି ପାଇବା ପାଇଁ ମାର୍ଚ୍ଚ ୨୫ ପୂର୍ବରୁ ପଂଜିକରଣ କରାଇନେବାକୁ କହିଥିଲେ। ଏହି ଦିନରୁ ଆରମ୍ଭ ହେଉଥିବା ସ୍ୱଚ୍ଛତା ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ଏହି ଅଭିଯାନରେ ବ୍ଲକ୍ ସ୍ପଷ୍ଟକୁ ବିଉଟି ସ୍ପଟ୍‌ରେ ପରିଣତ କରାଇପାରିଲେ ତାହା ହିଁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କପାଇଁ ସର୍ବଶ୍ରେଷ୍ଠ ଉପହାର ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ୍‌, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଭଦ୍ରକ ବିଡିଓ ସୀତାକାନ୍ତ ରାଉତ ଓ ଭଦ୍ରକ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଡିଏସ୍‌ଡବ୍ଲ୍ୟୁଓ ପୁଷ୍ପଲତା ପାତ୍ର ଓ ମହିଳା ସୁରକ୍ଷା ଅଧିକାରିଣୀ ଚନ୍ଦ୍ରା ସାହୁ ପ୍ରମୁଖ ମଧ୍ୟ ସୁଭଦ୍ରା ଯୋଜନାର ଜନକଲ୍ୟାଣକାରୀ ଦିଗ ଉପରେ ମତବ୍ୟକ୍ତ କରିଥିଲେ। ଭଦ୍ରକ ସିଡିପିଓ ରାଜଶ୍ରୀ ଗୋସ୍ୱାମୀ ମଂଚ ପରିଚାଳନା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ପିଡି ଡୁଡା ବ୍ରଜଗୋପାଳ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ୧ ହଜାରରୁ ଉର୍ଦ୍ଧ୍ୱ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଆଜି ଅପରାହ୍ନ ୧ଟା ସୁଦ୍ଧା ଭଦ୍ରକ ଜିଲାରୁ ୩ ଲକ୍ଷ ୩୫ ହଜାର ୪୯୩ ଜଣ ମହିଳା ସୁଭଦ୍ରା ଯୋଜନାରେ ପଂଜିକୃତ ହୋଇଛନ୍ତି।