Odiapua.com

ମାତୃତ୍ୱର ମହିମା ସାରସ୍ୱତ ସାଧନାର ସାଗର ସଂଗମ, ମନୋରମା ସ୍ମୃତିସଂସଦର ଦ୍ୱାଦଶ ବାର୍ଷିକ ଉତ୍ସବ, କବି ଶିଶିର ନାୟକଙ୍କୁ ‘ଲାଲମୋହନ ନାୟକ ସ୍ମାରକୀ ସମ୍ମାନ’

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ଗୃହିଣୀରୁ ମମତାମୟୀ ଜନନୀ ଏବଂ ଜଣେ ସଂସ୍କାରିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ୱର୍ଗତା ମନୋରମା ଦେବୀଙ୍କ ସ୍ମୃତିରେ ଆୟୋଜିତ ‘ମନୋରମା ସ୍ମୃତି ସଂସଦ’ର ୧୨ତମ ବାର୍ଷିକ ଉତ୍ସବ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପଠାରେ ବର୍ଣ୍ଣାଢ଼୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଟିର ଯଶସ୍ୱୀ କବି ଶିଶିର ନାୟକଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ଶିକ୍ଷାବିତ୍ ଲାଲମୋହନ ନାୟକ ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଛି। ସଂସଦର ଆବାହକ ତଥା ତ୍ୟାଗଭୂମିର ସଭାପତି ଅଜୟ ନାୟକ ଆବାହକତ୍ୱରେ ବିଶିଷ୍ଟ କଥାଶିଳ୍ପୀ ତଥା ସ୍ମୃତିସଂସଦ ସଭାପତି ଡକ୍ଟର ରାଧାବିନୋଦ ନାୟକଙ୍କ ସଭାପତିତ୍ୱ କରିଥିଲେ। ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଉକ୍ତ ମଂଚରେ ନିମନ୍ତ୍ରିତ ଅତିଥିମାନଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ସମ୍ମାନିତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ଉତରରେ କବି ଶ୍ରୀ ନାୟକ ଏହି ସମ୍ମାନ ତାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବର ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାଧ୍ୟାପକ ଦାମୋଦର ବେହେରା ‘ଓଡ଼ିଆ ସାହିତ୍ୟରେ ବୋଉ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଥିଲେ ଯେ, “ମାଆ କେବଳ ଏକ ଶବ୍ଦ ନୁହେଁ, ସେ ହେଉଛନ୍ତି ସକଳ ସୃଷ୍ଟିର ଆଦ୍ୟ ସ୍ପନ୍ଦନ। ଓଡ଼ିଆ ସାହିତ୍ୟରେ ମାତୃତ୍ୱର ଯେଉଁ ଚିତ୍ର ରହିଛି, ତାହା ବିଶ୍ୱ ସାହିତ୍ୟରେ ବିରଳ। ମାଆ ମନୋରମାଙ୍କ ତ୍ୟାଗପୂର୍ଣ୍ଣ ଜୀବନ ଆଜିର ସମାଜ ପାଇଁ ଏକ ଶ୍ରେଷ୍ଠ ଦର୍ଶନ ବୋଲି ସେ ଅଭିହିତ କରିଥିଲେ। ବରେଣ୍ୟ ଅତିଥି ଭାବେ ଓଡ଼ିଶାର ଖ୍ୟାତନାମା ଆଧ୍ୟାତ୍ମିକ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ବକ୍ତବ୍ୟରେ ମାଆଙ୍କ ସଂସ୍କାର ଓ ସାଂସ୍କୃତିକ ଚେତନା ଉପରେ ଗୁରୁତ୍ୱାରୋପ କରି ସ୍ୱର୍ଗତା ମନୋରମା ଦେବୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ମନମୋହନ ସଙ୍ଗୀତ ପରିଷଦ’ର ଶିଳ୍ପୀମାନେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିବା ବେଳେ କଣ୍ଠଶିଳ୍ପୀ ରାମନାରାୟଣ ମହାନ୍ତି ଏକ ଭାବପୂର୍ଣ୍ଣ ମାତୃସଙ୍ଗୀତ ଗାନକରି ଶ୍ରୋତାଙ୍କୁ ଅଭିଭୂତ କରିଥିଲେ। ମନୋରମାଙ୍କ କନ୍ୟା ସୁଲେଖିକା ସ୍ନେହଲତା ନାୟକ ମାନପତ୍ର ପାଠ କରିବା ସହିତ ମା’ଙ୍କ ସ୍ମୃତିରେ ଭାବପୂର୍ଣ୍ଣ ସଂଗୀତ ପରିବେଷଣ କରିଥିଲେ। ଅଧିବକ୍ତା ଗଦାଧର ବଳ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ସ୍ମୃତିସଂସଦ ସମ୍ପାଦକ ଡକ୍ଟର ଅଭୟ କୁମାର ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସମାରୋହରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବାଣୀକଲ୍ୟାଣ ମହାନ୍ତି, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, କବି ହୃଦାନନ୍ଦ ପାଣିଗ୍ରାହୀ, ନାଟ୍ୟକାର ସୁଧାଂଶୁ ନାୟକ, ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଇଂ. ଅଖିଳ କୁମାର ପାଢ଼ୀ, ଇଂ. ଅମ୍ବିକାବଲ୍ଲଭ ସ୍ୱାଇଁ, ଅମ୍ବିକା ବଲ୍ଲଭ ଦାସ, ଶିକ୍ଷାବିତ ଶାନ୍ତନୁ ରାଉତ, ସୁଧାକର ରାଉତ, ଭଗବାନ ନାୟକ, ରୂପକ ରାୟ, କୈଳାସ ବେହେରା, ନିରଞ୍ଜନ ବାରିକ୍‌, ଝରଣା ପଟ୍ଟନାୟକ, ଡ. ରାଧାରାଣୀ ମହାପାତ୍ର, ରଞ୍ଜିତା ସ୍ୱାଇଁ, ଜାନକୀ ପାଢ଼ୀ, ମନୋରମା ରାୟ, କଳ୍ପନା ଜେନା ଏବଂ କାନ୍ତିରଞ୍ଜିତା ନାୟକ ପ୍ରମୁଖ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଶୋକ ଦ୍ୱିବେଦୀ, ଶିବପ୍ରସାଦ ସତ୍ୟାନନ୍ଦ, ଗୌରାଙ୍ଗ ବାରିକ ଓ ଦେବେନ୍ଦ୍ରନାଥ ମହାଳିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ମନୋରମାଙ୍କ କନିଷ୍ଠ କନ୍ୟା ତଥା ପୂର୍ବତନ ତିହିଡ଼ି ବ୍ଲକ୍ ଚେୟାରମ୍ୟାନ ସୁଶ୍ରୀ ବିଦ୍ୟୁତଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।