Odiapua.com

ମାତିଲେ ଲୁଟେରା, ଅଟୋରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ : ଅଧା ବାଟରୁ ମଟର ସାଇକେଲ ଉଦ୍ଧାର

ବାଲିଗୁଡା, ୨୦/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଚଳନ୍ତା ଅଟୋରୁ ଦୁଇ ଜଣ ଦୁର୍ବୁତ୍ତ ହୋଣ୍ଡା ୟୁନିକନ ବାଇକରେ ଆସି ଲୁଟିନେଲେ ୫୦ ହଜାର ଟଙ୍କା। ତାହା ପୁଣି ଶିକ୍ଷୟତ୍ରୀଙ୍କ ଠାରୁ। ଘଟଣା ଘଟିଛି, କ. ନୂଆଗାଁ ଥାନା ଅନ୍ତର୍ଗତ ଗୁଞ୍ଜିଗାଁ (ପାରଜୁବାଲି) ଛକ ନିକଟରେ। ସିର୍ତ୍ତିଗୁଡା ସ୍ଥିତ ସ୍ୱର୍ଣ୍ଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ବିଶ୍ୱାଳ ଛାତ୍ରଛାତ୍ରୀଙ୍କ ଏମଡିଏମ ବାବଦକୁ ୫୦ ହଜାର ଟଙ୍କା ନୂଆଗାଁ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଉଠାଇ ଏକ ଅଟୋ ଯୋଗେ ସ୍କୁଲ କୁ ଫେରୁଥିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ହୋଇଥିବା କିଛି ଦୁର୍ବୁତ୍ତ ବାଇକରେ ଆସି ଶିକ୍ଷୟତ୍ରୀ ଯାଉଥିବା ଚଳନ୍ତା ଅଟୋରୁ ଦୁର୍ବୁତ୍ତ ମାନେ ଟଙ୍କା ଥିବା ଭ୍ୟାନିଟ ବ୍ୟାଗଟିକୁ ଟାଣିନେଇ ୫୯ ନଂ ଜାତୀୟ ରାଜପଥ ଦେଇ କିରୀକୁଟି ଆଡକୁ ଫେରାର ହୋଇ ଚାଲିଯାଉଥିଲେ। ଦୁର୍ବୁତ୍ତ ମାନେ ଟଙ୍କାଲୁଟିନେବା ପରେ ଶିକ୍ଷୟତ୍ରି ଜଣକ ତାଙ୍କ ସ୍କୁଲର ସହକାରୀ ଶିକ୍ଷକ ମାନଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇବା ପରେ ଶିକ୍ଷକ ମାନେ କିରୀକୁଟିର କିଛି ଲୋକଙ୍କୁ ଫୋନ କରି ଦୁର୍ବୁତ୍ତ ମାନଙ୍କ ଗାଡିକୁ ଅଟକାଇବାକୁ ଅନୁରୋଧ କରିଥିଲେ। ଶିକ୍ଷକଙ୍କ ଅନୁରୋଧ କ୍ରମେ କିରୀକୁଟି ଗ୍ରାମବାସୀ କିରୀକୁଟି ଛକ ନିକଟରେ କାଠ ପକାଇ ରାସ୍ତାରେ ଜଗିରହିଥିଲେ। ହେଲେ ଦୁର୍ବୁତ୍ତ ମାନେ କାଠ ପକାଇବା ଦେଖି କିରୀକୁଟି ସ୍ଥିତ ପାଟଖଣ୍ଡା ଛକ ନିକଟରୁ ବୁଲାଇ ଲଭର୍ସ ପଏଣ୍ଟ(ଡଡୁବାଡ଼ା ନଦୀ) ଆଡକୁ ଚାଲିଯାଇଥିଲେ। ଲୋକମାନେ ଗୋଡ଼ାଇବା ଦେଖି ଦୁର୍ବୁତ୍ତ ଦୁଇଜଣ ଲଭର୍ସ ପଏଣ୍ଟରେ ବାଇକଟିକୁ ଛାଡି ଫେରାର ହୋଇଯାଇଥିଲେ। ଏହାପରେ କିଟିକୁଟି ଗ୍ରାମବାସୀ ବାଇକଟିକୁ ଗାଁ କୁ ଆଣିଥିଲେ। ଏହାପରେ ନୂଆଗାଁ ଥାନାର ଏସଆଇ ପ୍ରକାଶ ପ୍ରଧାନ ଗାଁରେ ପହଂଚି ବାଇକକୁ ଜବତ କରିବା ସହ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଏସଆଇ ପ୍ରକାଶ ପ୍ରଧାନ ସୂଚନା ଦେଇଥିଲେ। ଖବର ଲେଖାହେବା ସୁଦ୍ଧା ପୋଲିସ କାହାରିକୁ ଅଟକ କିମ୍ବା ଗିରଫ କରିନଥିବା ଜଣାପଡ଼ିଛି।