Odiapua.com

ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖାଇବା ନିଜକୁ ନିରୋଗ ରଖିବା, ଶ୍ରୀଅନ୍ନ ଅଭିଯାନ, ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳନରେ ଖାଦ୍ୟମେଳା ଓ ପ୍ରଦର୍ଶନୀ

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ଶ୍ରୀଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟ ସଚେତନତା ଆଧାରରେ ଶ୍ରୀଅନ୍ନ ଅଭିଯାନ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ ଜରିଆରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳନରେ ଖାଦ୍ୟମେଳା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚରମ୍ପାସ୍ଥିତ ମହାରାଜା ଅଗ୍ରସେନ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାସୁଦେପୁର ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲାପାଳ ଦିଲୀପ ରାଉତରାଏ, ଜିଲ୍ଲାପ୍ରାଣୀ ଚିକିତ୍ସାଧିକାରୀ ହୃଷିକେଶ ବେହେରା, କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଜଗଦୀଶ ପ୍ରସାଦ ବେହେରା, କୃଷିବିଜ୍ଞାନ କେନ୍ଦ୍ର, ରାଣୀତାଲ ର ବରିଷ୍ଠ କୃଷି ବୈଜ୍ଞାନିକ ସଞ୍ଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଶ୍ୱେତସାର, ପୁଷ୍ଟିସାର, କ୍ୟାଲସିୟମ ଓ ଭିଟାମିନ୍ ଯୁକ୍ତ ପାରମ୍ପରିକ ପ୍ରାକୃତିକ ଖାଦ୍ୟ ଭାବେ ମାଣ୍ଡିଆ ଅତ୍ୟନ୍ତ ସ୍ୱାସ୍ଥ୍ୟପ୍ରଦ। ମଧୁମେହ ରୋଗୀମାନଙ୍କ ପାଇଁ ଏହା ଯେମିତି ଉପାଦେୟ, ସୁସ୍ଥ ଓ ନିରୋଗ ରହିବା ପାଇଁ ଜଙ୍କ୍‌ଫୁଡ଼୍ ନୁହେଁ ମାଣ୍ଡିଆ ହିଁ ଏକ ଉତ୍କୃଷ୍ଠ ବିକଳ୍ପ। ମାଣ୍ଡିଆ ପ୍ରସ୍ତୁତି ହାଲୱା, ଚକୁଳି, କାକରା, ମଣ୍ଡାପିଠା, ଲଡ଼ୁ, ସରବତ, ଜାଉ, ବାମ୍ଫ ପିଠା, ବରା ଆଦି ବିଭିନ୍ନ ପ୍ରକାରର ସ୍ୱାଦ ଓ ଗୁଣବତା ଯୁକ୍ତ ଖ।।ଦ୍ୟ ସହ ଆଗାମୀ ପିଢ଼ିଙ୍କୁ ଅଭ୍ୟସ୍ତ କରାଇବାର ସମୟ ଆସିଛି। ଅଳ୍ପ ବର୍ଷା, ଅଳ୍ପଖର୍ଚ୍ଚ, ଅଳ୍ପ ପରିଶ୍ରମରେ ମାଣ୍ଡିଆ ଚାଷ ହୋଇପାରୁଥିବାରୁ ଏଭଳି ଏକ ପ୍ରମୁଖ ଖାଦ୍ୟଶସ୍ୟର ବହୁଳ ଉତ୍ପାଦନ ପାଇଁ ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପାଇଁ ମହିଳା ଗୋଷ୍ଠୀଙ୍କୁ ତାଲିମ୍ ଦେଇ ଉତ୍ସାହିତ କରିବା ସର୍ବୋପରି ପିଲା, ଯୁବଗୋଷ୍ଠୀଙ୍କୁ ମାଣ୍ଡିଆ ଖାଦ୍ୟ ବ୍ୟବହାର ସମ୍ବନ୍ଧରେ ସଚେତନ କରାଇବା, ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ। ମାଣ୍ଡିଆ କୁ କିପରି ଏବେ ଆନ୍ତଜାର୍ତିକ ଖ୍ୟାତି ଦିଆଯାଉଛି। ୨୦୨୩ ମସିହାକୁ ମିଳିତ ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ ରୂପେ ଘୋଷଣା କରାଯାଇଥିଲା।

ମାଣ୍ଡିଆ ଦିବସ ପାଳନରେ ଓଡ଼ିଶା ଆମଦେଶର ପ୍ରଥମ ରାଜ୍ୟ। ଭାରତୀୟ ସଂସ୍କୃତିର ଅବିଚ୍ଛେଦ ଅଙ୍ଗ ଯୋଗକୁ ଭୁଲି ଭୋଗ ପଛରେ ଗୋଡ଼ାଇ ଅଳ୍ପାୟୁ ହେଲାପରି ଆମର ନିଜର ପାରମ୍ପରିକ ପୁଷ୍ଟିବର୍ଦ୍ଧକ ଖାଦ୍ୟକୁ ଭୁଲି ପାଶ୍ଚାତ୍ୟ ସଭ୍ୟତା ଅନୁକରଣରେ ବିଦେଶୀ ଖାଦ୍ୟକୁ ଆଦରି ଆମ ପିଲାମାନଙ୍କ ପାଇଁ କୁପରିଣାମକୁ ନିମନ୍ତ୍ରଣ କରୁଛୁ। ଭୁଲି ଯାଉଛୁ ସୁସ୍ଥ ରହିବାକୁ ହେଲେ ଔଷଧ ଭଳି ଖାଇବାକୁ ହେବ, ନଚେତ୍ ଜୀବନସାରା ଖାଦ୍ୟ ଭଳି ଔଷଧ ଖାଇବାକୁ ହେବ। ଆଗ ସମୟରେ ଏତେ ଖାଦ୍ୟ ନଥିଲା ମାତ୍ର ଭୋକଥିଲା, ଏବେ ଖାଦ୍ୟ ର ପ୍ରାଚୁର୍ଯ୍ୟତା ଉପଲବ୍‌ଧ ମାତ୍ର ଭୋକ ନାହିଁ। ଏଣୁ ଦୈନନ୍ଦିନ ଖାଦ୍ୟାଭ୍ୟାସ ଓ ଜୀବନ ଶୈଳୀରେ ପରିବର୍ତନ ଅବଶ୍ୟମ୍ଭାବୀ ବୋଲି ଅତିଥିମାନେ ପରାମର୍ଶ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ କି ଭଦ୍ରକ ଜିଲ୍ଲାର କେବଳ ବନ୍ତ ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି। ସେହି ବ୍ଲକ୍‌ରେ ମଧ୍ୟ ମିଲେଟ ମିଶନ୍ ଟିଫିନ୍ ସେଂଟର ଅଛି ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକରେ ଏ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତି ଓ ବିସ୍ମୃତ ପାରମ୍ପରିକ ଖାଦ୍ୟ ପସରାକୁ ନେଇ ଖାଦ୍ୟମେଳା ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ୧ମ, ୨ୟ ଓ ୩ୟ ଏସ୍‌.ଏଚ୍‌.ଜିଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଆୟୋଜିତ କ୍ୱିଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ମାଣ୍ଡିଆ ଚାଷୀ ଭାବେ ଆଡ଼ିଆ ଗ୍ରା.ପ. ବନ୍ତର ଅଭିମନ୍ୟୁ ଆଇଚଙ୍କୁ ଏବଂ ମାଣ୍ଡିଆ ଓ ବିଭିନ୍ନ ବିହନ ରକ୍ଷଣା ଦିଗରେ ଶ୍ରେଷ୍ଠ ଚାଷୀଭାବେ କାଦବରାଙ୍ଗ ଗ୍ରା.ପ.ର ଚନ୍ଦ୍ରଶେଖର ମଣ୍ଡଳଙ୍କୁ ମଧ୍ୟ ମଂଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଖାଦ୍ୟମେଳାରେ ରତ୍ନେଶ୍ୱର ଏସ୍‌.ଏଚ୍‌.ଜି., ଚାନ୍ଦବାଲି ୧ମ, ବିଶ୍ୱେଶ୍ୱର ଏସ୍‌.ଏଚ୍‌.ଜି. ଭଣ୍ଡାରିପୋଖରୀ ୨ୟ ଓ ସ୍ୱସ୍ତି ଏସ୍‌.ଏଚ୍‌.ଜି ଧାମନଗର ୩ୟ ସ୍ଥାନ ଅଧିକାର କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଅଧିକାରୀ ଅନୁରାଧା ପଣ୍ଡା ମଂଚ ପରିଚାଳନା କରିଥିଲେ। କୃଷି ଜିଲ୍ଲା ଅଧିକାରୀ ଶଶୀଭୂଷଣ ମହାପାତ୍ର, ଗଣେଶ ଚନ୍ଦ୍ର ମାଝୀ, ସହକାରୀ ନିର୍ଦ୍ଦେଶକ କୃଷି, ବିଶ୍ୱରଞ୍ଜନ ରାଉତ, ସହକାରୀ କୃଷି ଅଧିକାରୀ ସତ୍ୟଜିତ୍ ସେଠୀ, ପ୍ରାକ୍ତନ ଜିଲ୍ଲା ସହକାରୀ ନିର୍ଦ୍ଦେଶକ କୃଷି ଶ୍ରୀଧର ଦାସ ପ୍ରମୁଖ ଆନୁଷଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ।