Odiapua.com

ମାଣ୍ଡିଆ ଚାଷ ନାମରେ ବ୍ୟାପକ ହେରଫେର ଅଭିଯୋଗ

ହାଟଡ଼ିହି, ୧୬ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ମାଣ୍ଡିଆଚାଷ ନାମରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ବହୁ କମ ସଂଖ୍ୟକ ଚାଷୀ ଅଳ୍ପ ପରିମାଣର ଜମିରେ ମାଣ୍ଡିଆଚାଷ କରିଥିବାବେଳେ ଅଧିକ ପରିମାଣର ଦର୍ଶାଯାଇ ସରକାରୀ ଅନୁଦାନକୁ ହଡପ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ ହୋଇଛି । ପ୍ରତି ଚାଷୀମାନେ ଦୁଇପଟ ଧାଡିରୁଆ ଚାଷକଲେ ସେମାନଙ୍କୁ ହେକ୍ଟର ପିଛା ୫ହଜାର ଓ ଗୋଟିଏପଟ ଧାଡିରୁଆ ଚାଷକଲେ ସେମାନଙ୍କୁ ହେକ୍ଟର ପିଛା ୨୫ଶହ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି । ଗତବର୍ଷ ବ୍ଲକରେ ମାତ୍ର ଅଳ୍ପ କିଛି ଏକର ଜମିରେ ମାଣ୍ଡିଆ ଚାଷ ହୋଇଥିବାବେଳେ ସରକାରୀ ସ୍ତରରେ ୪୦ଟି ଗ୍ରାମରେ ୧୪୩ହେକ୍ଟର ଚାଷ ହୋଇଥିବା ଦର୍ଶାଯାଇ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଉଠାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଚଳିତବର୍ଷ ଆତୁରିକୋଣା, ବାଲିବରେଇ, ବାଙ୍ଗୋର, ବଣିଆପଙ୍କ, ବରାଙ୍ଗ, ବେରୁଣପଦି, ବିଦ୍ୟାଧରପୁର, ଦନେଇପୁର, ଧନୁର୍ଜୟପୁର, ଢ଼େଙ୍କା, ହଦଗଡ, ଜଡାବାଙ୍କ, ଜମ୍ଭୀରା, ଜନ୍ତାଳପଦି, ଝଣଝଣା, ଝୁଣାବାଡି, କାହାଳିଆଗଡିଆ, କାନପୁର, କଅଁଳେଇବାଲିପାଳ, କରଞ୍ଜବାଟି, ମଧୁବନ, ମଲ୍ଲିପସି, ମଉଦା, ମୟୁରନଚା, ନାହା, ମିଠିଗାଁ, ପଢ଼ିଆରିପଲ୍ଲୀ, ଫୁଲଝର, ପିତାନାଉ, ପୋଡାସିଙ୍ଗିଡି, ପୁରୁଣାପାଣି, ରାଇଘାଟି,. ସରଳାପସି, ସଙ୍ଗମ, ଢ଼େଙ୍କା, ସୋସୋ ଆଦି ୫୦ରୁ ଉର୍ଦ୍ଧ ଗ୍ରାମରେ ଚାଷ କରାଯାଇଥିବା ସ୍ୱେଚ୍ଛାସେବୀ ସଂଗଠନ ‘ତଦାସା’ ପକ୍ଷରୁ କୁହାଯାଇଛି । କିନ୍ତୁ କେଉଁ ଚାଷୀ କେତେ ପରିମାଣର ଜମିରେ ମାଣ୍ଡିଆ ଚାଷ କରିଛନ୍ତି ତାହାର କୌଣସି ହିସାବ ଦିଆଯାଉନିଁ । ବାରମ୍ବାର ତାଙ୍କ କାର୍ଯ୍ୟାଳୟକୁ ଯାଉଥିଲେବି ସେମାନେ ସୁଚନା ଦେବାରେ କୁଣ୍ଠା ପ୍ରକାଶ କରୁଛନ୍ତି । ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ବାରମ୍ବାର ସେମାନଙ୍କୁ ତାଲିକା ମାଗୁଛୁ କିନ୍ତୁ ସେମାନେ ଦେଉ ନଥିଲେ । ଗତ ଦୁଇଦିନ ତଳେ ଏକ ତାଲିକା ଦେଇଛନ୍ତି । ଯେଉଁଥିରେକି ୬୩୫ଜଣ ଚାଷୀ ୨୭୫.୩ ହେକ୍ଟର ମାଣ୍ଡିଆ ଚାଷ କରାଯାଇଥିବା ଦର୍ଶାଯାଇଛି । ମାଣ୍ଡିଆ ଅମଳ ପରେ ଆମେ ଏବେ ଏହି ତାଲିକା ଧରି କରିବୁ ବା କଣ ବୋଲି ସେ କହିଛନ୍ତି । ଜମିରେତ ମାଣ୍ଡିଆ ଚାଷ ନାହିଁ ଦେଖିବୁ ବା କଣ ବୋଲି ସେ କହିଛନ୍ତି । କୃଷି ଅଧିକାରୀଙ୍କ କହିବାନୁଯାଇ ସେମାନଙ୍କ ରିପୋର୍ଟ ଆଧାରରେ କୃଷି କର୍ମଚାରୀ ଓ କୃଷି ଅଧିକାରୀମାନେ ଚାଷଜମି ତଦାରଖ କରି ରିପୋର୍ଟ ଦେବାପରେ ଯାଇ ଚାଷୀ ମାନଙ୍କୁ ଅନୁଦାନ ଦିଆଯିବାର ବ୍ୟବସ୍ଥା ଅଛି । କିନ୍ତୁ ଆମେ ତ ଏବେ ତାଲିକା ପାଇଲୁ ତେଣୁ କାହାର କେତେ ଜମିରେ ମାଣ୍ଡଡିଆ ଚାଷ ହୋଇଥିଲା ଆମେ କିପରି ତାହାର ତଦାରଖ କରିବୁ ଓ କଣବା ରିପୋର୍ଟ ଦେବୁ ବୋଲି ଶ୍ରୀ ପାତ୍ର କହିଛନ୍ତି । ସେହିପରି ମାଣ୍ଡିଆ ଚାଷର ଦାୟିତ୍ୱ ବୁଝୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ତଦାଶା’ ର କର୍ତ୍ତୁପକ୍ଷ ଗୋପୀ ଶ୍ରୀଚନ୍ଦନଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେପରି କିଛି ଅନିୟମିତତା ହୋଇ ନାହିଁଁ ବୋଲି ସଫେଇ ଦେଇଛନ୍ତି । ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ମାଣ୍ଡିଆ ଚାଷ ଯୋଜନାରେ ବ୍ୟାପକ ହେରଫେରର ବହୁ ଗୁମର ଫିଟିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।