Odiapua.com

ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେବେ ୧୪ ଛାତ୍ରଛାତ୍ରୀ

ବାଲିଗୁଡା, ୧୮/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗତବର୍ଷ ମାଟ୍ରିକ ରେଜଲ୍ଟ ଖରାପକୁ ନେଇ କନ୍ଧମାଳ ଜିଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଚିନ୍ତାଜନକ ପରିସ୍ଥିତି ଉପୁଜିଥିବାବେଳେ ଚଳିତବର୍ଷ ଚୟନ କରି ଛାତ୍ରୀଛାତ୍ରଙ୍କୁ ବୋର୍ଡ଼ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌କରାଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।

ପ୍ରକାଶଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସୋନପୁର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷାରୁ ବଞ୍ଚିତ ଥିବା ୧୪ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତକରି ଜିଲା ପ୍ରଶାସନକୁ ଚିଠି ଲେଖିଛନ୍ତି। ଉକ୍ତ ବିଦ୍ୟାଳୟରେ ମୋଟ ୨୫ ଛାତ୍ରୀଛାତ୍ର ଦଶମରେ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଚଳିତ ବୋର୍ଡ଼ ପରୀକ୍ଷା ପାଇଁ ଫର୍ମ ପୂରଣ କରାଇ ଦିଆଯାଇନାହିଁ। ଏନେଇ ଅଭିଭାବକ ଏବଂ ଛାତ୍ରୀଛାତ୍ର ଜିଲାପାଳ ଡ.ବୃନ୍ଦା ଡିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କୁ ଏଥିପାଇଁ ଦାୟୀ କରିବା ସହ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଶିକ୍ଷକ ଏବଂ ଶିକ୍ଷା ବିଭାଗ ଖେଳୁଥିବା ଅଭିଭାବକ ତାଜୁସା ମଲ୍ଲିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁଅଙ୍କ ସମେତ ମୋଟ ୧୪ ଛାତ୍ରୀଛାତ୍ର ଚଳିତ ବର୍ଷ ବୋର୍ଡ଼ ପରୀକ୍ଷାରୁ ବଞ୍ଚିତ ହେବେ। ଜିଲାପାଳଙ୍କ ସମେତ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ମଧ୍ୟ ଡାକଯୋଗେ ଚିଠି ପଠାଇଛନ୍ତି।

ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ତାଙ୍କ ନିକଟରେ କୌଣସି ଅଭିଯୋଗ ପହଂଚି ନାହିଁ, ପାଇଲେ ତଦନ୍ତ କରିବେ। ଏନେଇ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ କହିଛନ୍ତି ଯେ, ୨୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧ଙ୍କୁ ବୋର୍ଡ଼ ପରୀକ୍ଷା ପାଇଁ ଚୟନ କରାଯାଇଛି l ଅନ୍ୟ ୧୪ ଜଣଙ୍କ ମଧ୍ୟରୁ ୩ ଜଣ ବିଦ୍ୟାଳୟକୁ ଆସୁ ନ ଥିବା ବେଳେ ଅନ୍ୟମାନେ ନିୟମିତ ବିଦ୍ୟାଳୟକୁ ଆସୁନାହାନ୍ତି। ଗତବର୍ଷ ମାଟ୍ରିକ୍‌ରେଜଲ୍ଟ ୫୦ ପ୍ରତିଶତରୁ ମଧ୍ୟ କମ୍‌ହୋଇଥିବାରୁ ଚଳିତବର୍ଷ ଭଲ ନମ୍ବର ରଖି ପାସ୍‌ସହ ହାର ବୃଦ୍ଧିରେ ଯେପରି ଛାତ୍ରୀଛାତ୍ର ସହାୟକ ହେବେ ସେମାନଙ୍କୁ ଚୟନ କରି ନିଆଯାଇଛି।