Odiapua.com

ମାଟି ମାଫିଆଙ୍କ ରାଜ, ନୀରବରେ ଖଣି ବିଭାଗ

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧୂଷୁରୀ ଅଂଚଳରେ ଧାନ କଟା ସରିବା ମାତ୍ରେ ମାଟି ଓ ବାଲି ମାଫିଆଙ୍କ ରାଜ ଆରମ୍ଭ ହୋଇ ଯାଏ। ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଧୂଷୁରୀ ଥାନା ଅଂଚଳ ରେ ବିଭିନ୍ନ ଗ୍ରାମୀଣ ଅଂଚଳ ଯଥା ଧୂଷୁରୀ, ବେତାଳିଗାଁ, ହସନାବାଦ, ସାହସପୁର, ରଇପୁର, ନଦିଗାଁ ଅଂଚଳରେ,ବେଆଇନ୍ ଭାବରେ ଜେସିବି ଦ୍ୱାରା ମାଟି ଉଠାଇ ବିକ୍ରି କରାଯାଉଛି। ଏଥି ପ୍ରତି ରାଜସ୍ୱ ବିଭାଗ ସମ୍ପୂର୍ଣ ଆଖି ବୁଜି ଦେଇଥିବା ଭଳି ଜଣାପଡ଼ୁଛି। ପ୍ରତି ଦିନ ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ମାଟି ବୋହିବା ବେଳେ ଏକ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛନ୍ତି। ନିଜ ନିଜ ଭିତରେ କିଏ ଅଧିକ ଟ୍ରିପ କରି ପାରିବ ସେଥିପାଇଁ ପ୍ରତିଯୋଗିତା କରି ରାସ୍ତା ଉପରେ ଭୟଙ୍କର ଶବ୍ଦ କରି ଟ୍ରାକ୍ଟର ଚଳାଉଛନ୍ତି ଯାହା ଫଳରେ ଅନ୍ୟଯାତାୟାତ କରୁଥିବା ଅନ୍ୟ ଗାଡ଼ି, ସାଇକେଲ, ମୋଟର ସାଇକେଲ ଏମିତିକି ପାଦରେ ଚାଲୁଥିବା ବ୍ୟକ୍ତି ମାନେ ଭୟଭୀତ ହେବା ସହିତ ବିପଦରେ ପଡ଼ୁଛନ୍ତି। ସ୍କୁଲ୍‌, କଲେଜ୍ କୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଭୟ ପାଉଛନ୍ତି। ଦୃତ ଗତିରେ ଟ୍ରାକ୍ଟର ଚଳାଉ ଥିବାରୁ ଗ୍ରାମୀଣ ରାସ୍ତା ରେ ଭାଇବ୍ରସନ୍ ସୃଷ୍ଟି ହୋଇ ରାସ୍ତା ଗୁଡିକ ଅଳ୍ପ ଦିନରେ ନଷ୍ଟ ହେଉଛି, ଟ୍ରାକ୍ଟର ରେ ମାଟି ବୋହି ନେଉଥିବା ବେଳେ ରାସ୍ତାରେ ମାଟି ପଡ଼ି ମଧ୍ୟ ବିପଦ ସୃଷ୍ଟି ହେଉଛି। ଏହି ଅନଭିଜ୍ଞ ଟ୍ରାକ୍ଟର ଚାଳକ ମାନଙ୍କ ର କୌଣସି ବିଧିବଦ୍ଧ ତାଲିମ୍ ନଥିବା ବେଳେ ଏମାନଙ୍କର କୌଣସି ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନାହିଁ। ଏସବୁ ପ୍ରତି ପ୍ରଶାସନ ଆଦୌ ସଚେତନ ନାହିଁ। ବେପରୱା ବେଫିକର ଭାବେ ମାଫିଆ ମାନେ ମନଇଚ୍ଛା ସେମାନଙ୍କ ର ଚୋରା ମାଟି ଚାଲାଣ କରିଚାଲିଛନ୍ତି। ଏ ପଟେ ସାଧାରଣ ଲୋକ ହଇରାଣ ହରକତ ହୋଇ ଅସନ୍ତୋଷ ବ୍ୟକ୍ତ କରୁ ଥିଲେ ବି ଭୟରେ କିଛି କରି ପାରୁନାହାନ୍ତି କି କହି ପାରୁ ନାହାଁନ୍ତି। କାରଣ ଏହି କାରବାର ରେ ଲିପ୍ତ ବ୍ୟକ୍ତି ମାନେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି ମାନଙ୍କ ବାହୁ ଛାୟା ତଳେ ରହି ଏପରି ଅନୈତିକ କାର୍ଯ୍ୟ କରିଚାଲିଛନ୍ତି। ଖଣି ବିଭାଗ କୁ ହାତରେ ରଖି ଏପରି କାର୍ଯ୍ୟ ହେଉଥିବାର ଅଭିଯୋଗ ହେଉଚି।ଧୂଷୁରୀ ଅଞ୍ଚଳରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଯଥା ବୈତରଣୀ,କୋଚିଳା,ଗେଙ୍ଗୁଟି, ରେବ, କପାଳି ଇତ୍ୟାଦିର ଅବବାହିକା ରୁ ଖୁଲମ ଖୋଲା ମାଟି ଓ ବାଲି ଚାଲାଣ ଚକୁଥିଲେବି ପ୍ରଶାସନ ପାଖରେ ଏହାର ଖବର ନାହିଁ। ପ୍ରଚଣ୍ଡ ଶବ୍ଦ ରେ ଏତେ ପ୍ରଦୂଷଣ ହେଉଛି ଖରାବେଳେ ରାତିରେ ଘରେ ରହିବା ଶୋଇବା କଷ୍ଟକର ହେବା ସହିତ ହାର୍ଟ ଓ ଉଚ୍ଚ ରକ୍ତଚାପ ରୋଗୀ ମାନେ ଏହି ଟ୍ରାକ୍ଟର ଚାଳକ ମାନଙ୍କ ପାଇଁ ଯନ୍ତ୍ରଣା ପାଉଛନ୍ତି। ଏଥି ନେଇ ପ୍ରଚଣ୍ଡ ଜନ ଅସନ୍ତୋଷ ଦେଖା ଦେଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ ଗୁରୁତ୍ୱ ଦେଇ ବେଫିକର ମାଟି ଓ ବାଲି ଚାଲାଣ କୁ ରୋକିବା ସହିତ ଏହି ଟ୍ରାକ୍ଟର ଚାଳକ ମାନଙ୍କ ର ଡ୍ରାଇଭିଂ ବୈଧତା କୁ ଯାଂଚ କରାଯାଉ। ଦୃତ ଗତି ଟ୍ରାକ୍ଟର ଚଳାଇ ଶବ୍ଦ ପ୍ରଦୂଷଣ ସହିତ ଅନ୍ୟ ମାନଙ୍କୁ ହଇରାଣ କରୁଥିବା ଡ୍ରାଇଭର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଚି। ନତୁବା ପ୍ରତି ଗାଆଁ ରେ ଆନ୍ଦୋଳନ ସହିତ ଏହି ମାଟି ମାଫିଆ ମାନଙ୍କୁ ବିରୋଧ କରାଯିବ ବୋଲି ସାଧାରଣ ଲୋକ ପ୍ରକାଶ କରିଛନ୍ତି। ଭଦ୍ରକ ଖଣି ଅଧିକାରୀ ଅନିଲ ଦାସ ଙ୍କୁ ପଚାରିବାରୁ ସେ କହିଲେ ଯିଏ ଧରା ପଡ଼ୁଛନ୍ତି ତାଙ୍କ ଠୁ ଜୋରିମାନା ଆଦାୟ କରାଯାଉ ଅଛି। ଯେ ବି ଆମ ନଜର କୁ ଆସିବ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।