Odiapua.com

ମାଛ ଚୋରରୁ ସାଧୁ

ବିନା ପରିଶ୍ରମରେ ଭଲ ଖାଇବା, ଭଲ ପିନ୍ଧିବା, ଭଲ ଘର ଖଣ୍ଡେ କରିବା ଓ ସର୍ବୋପରି ଖୁସିରେ ରହିବା ପାଇଁ ଅନେକଙ୍କର ଅଭିଳାଷ। ଚୋରି କରିବା ପାପ ଅଟେ, ଚୋରଙ୍କ ସମ୍ପର୍କରେ ଆସିବା ଏମାନଙ୍କୁ ଶରଣ ଦେବା କିମ୍ବା ଏମାନଙ୍କୁ କୌଣସି କାର୍ଯ୍ୟରେ ସହାୟତା କରିବା ଏସବୁ ମଧ୍ୟ ପାପ ଅଟେ। ଚୋରି କରୁଥିବା ଲୋକଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ମଧ୍ୟ କାର୍ଯ୍ୟକାରୀ ହେଉଛି। କିନ୍ତୁ କିଛି ଲୋକ ଚୋରି କରିବାକୁ ପସନ୍ଦ କରିଥାନ୍ତି। ସମାଜରେ ଏମିତି ବି ଚୋର ଅଛନ୍ତି ସେମାନେ ପରିଵର୍ତନ ହୋଇ ଭଲ ମଣିଷ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରେରଣାପଦ କାହାଣୀ ଟିଏ।

ମାଛର ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇଁ ମାଛର ଉପାଦେୟତା ବିଷୟରେ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଜଣେ ଚୋର ଥିଲା, ମାଛ ଚୋରି କରିବା ତା’ର ଏକ ନିତିଦିନିଆ କାମ। ବେଳେବେଳେ ଏମିତି ହୁଏ ଯଦି ଅଧିକ ମାଛ ଚୋରି କରି ଆଣିଥାଏ ତେବେ ମାଛ ଖାଇବା ସହିତ ବଳକା ମାଛ ବିକ୍ରି କରି ଭଲ ରୋଜଗାର ବି କରେ। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଏମିତି ଗୋଟେ ଦିନ ଲୋକଟି ମାଛ ଚୋରି କରିବା ପାଇଁ ଯାଇଥାଏ। ଜାଲ ପକାଇବା ଶବ୍ଦ ଶୁଣି ପୋଖରୀର ମାଲିକ ଗ୍ରାମର କିଛି ଲୋକଙ୍କୁ ସାଙ୍ଗରେ ଧରି ପୋଖରୀ ନିକଟକୁ ଧାଇଁଲେ। ଏହା ଜାଣିପାରି ମାଛ ଧରୁଥିବା ଲୋକଟି ଚିନ୍ତା କଲା ଯଦି ଧରା ପଡ଼ିଯାଏ ତେବେ ବହୁତ ମାଡ ଖାଇବି ଓ ସବୁ ଆଡେ ପ୍ରଚାର ହୋଇଯିବ ଯେ ମୁଁ ଗୋଟେ ମାଛ ଚୋର। ତେଣୁ ସେ ଭୟରେ ଦୌଡିଲା, ରାତି ହୋଇଥିବା ଯୋଗୁ ନିକଟରେ ଥିବା ଏକ ଶ୍ମଶାନରେ ପାଉଁଶ ବୋଳି ହୋଇ ବାବାଙ୍କ ପରି ବସି ଧ୍ୟାନ କରିବାର ଅଭିନୟ କଲା। ସେପଟେ ପୋଖରୀ ମାଲିକ ଓ ଗାଁର ଲୋକମାନେ ଚୋରକୁ ଖୋଜି ଖୋଜି ଶ୍ମଶାନ ପାଖରେ ପହଞ୍ଚି ଦେଖିଲେ ଜଣେ ବାବା ଧ୍ୟାନରେ ବସିଛନ୍ତି। କିଛି ଲୋକ ଡରି ଯାଇ ଘରକୁ ପଳେଇଲେ ଓ ଆଉ କିଛି ଲୋକ ଭକ୍ତି ଭାବରେ ପ୍ରଣାମ କଲେ। ସେମାନେ ଜାଣିନଥିଲେ ଯେ ସେହି ମାଛ ଚୋର ହିଁ ମାଡ ଭୟରେ ଛଦ୍ମ ବେଶରେ ବାବା ହୋଇ ବସିଛି। ଗ୍ରାମ ସାରା ପ୍ରଚାର ହୋଇଗଲା ଯେ ବାବା ରାତି ସାରା ଶ୍ମଶାନରେ ଧ୍ୟାନ ଓ ଯୋଗରେ ମଗ୍ନ ଥିଲେ ତାଙ୍କୁ ଶୀତ କାକର କିଛି ସ୍ପର୍ଶ କରୁନି। ଶ୍ମଶାନରେ ଅନେକ ହିଂସ୍ରଜନ୍ତୁ ଅଛନ୍ତି କିନ୍ତୁ ବାବାଙ୍କର କିଛି କ୍ଷତି କରୁନାହାନ୍ତି। ତୁଣ୍ଡ ବାଇଦ ସହସ୍ର କୋଷ। ବାବାଙ୍କୁ ଦେଖିବା ପାଇଁ ଓ ଆଶୀର୍ବାଦ ପାଇବା ପାଇଁ ଲୋକମାନଙ୍କର ପ୍ରବଳ ଭିଡ ଲାଗିଲା। ସବୁ ଆଡୁ ଲୋକମାନେ ଆସିଲେ, କୀର୍ତ୍ତନ ଭଜନ ଆରମ୍ଭ ହୋଇଗଲା। ଭକ୍ତମାନେ ବାବାଙ୍କର ଗୁଣଗାନ କଲେ, ଝୁଣା ଧୂପରେ ମହକିତ ହୋଇ ସ୍ଥାନଟି ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଗଲା। କେହି କେହି ଆଶୀର୍ବାଦ ପାଇବା ପାଇଁ ବାବାଙ୍କ ଗୋଡତଳେ ଘଣ୍ଟା ଘଣ୍ଟା ଧରି ପଡି ରହିଲେ। ବାବା ରୂପକ ମାଛ ଚୋରଟି ସବୁ ଶୁଣୁଥାଏ ଓ ଦେଖୁଥାଏ। ହଠାତ୍ ତା’ମନରେ ମହତ ଭାବନା ଜାଗ୍ରତ ହେଲା। ସେ ଭାବିଲା ତା’ ଜୀବନରେ ସେ କେବେବି ଏପରି ସମ୍ମାନ ପାଇନଥିଲା, ଯଦି ସତରେ ସେ ବାବା ହୋଇଯାଆନ୍ତା ତା’ହେଲେ ଲୋକେ ତାଙ୍କୁ କେତେ ସମ୍ମାନ ନକରନ୍ତେ। ଏପରି ଭାବି ସେ ସତକୁ ସତ ବାବା ହୋଇଗଲେ ଓ ଜଞ୍ଜାଳରୁ ମୁକ୍ତି ପାଇଁ ଈଶ୍ୱରଙ୍କ ଗୁଣଗାନ କଲେ।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା