Odiapua.com

ମାଚ୍ୟୁରିଟି ଟଙ୍କା ପାଇଁ ସାହାରା ଇଣ୍ଡିଆ ଜମାକାରୀ ହତାଶ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହାରା ଇଣ୍ଡିଆ ଭଦ୍ରକ ଶାଖାରେ ଟଙ୍କା ଜମା ରଖିଥିବା ଜମାକାରୀ ଏବେ ଦୁଶ୍ଚିନ୍ତା ମଧ୍ୟରେ ଅଛନ୍ତି । କାରଣ ସହସ୍ରାଧିକ ଜମାକାରୀ ସାହାରା ଇଣ୍ଡିଆର ସ୍ୱିକୃତିପ୍ରାପ୍ତ ଏଜେଂଟଙ୍କ ଜରିଆରେ କୋଟି କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ, ଆର.ଡି., ଡେଲି ଡିପୋଜିଟ ଆକାରରେ ରଖିଥିଲେ । କିନ୍ତୁ ମାଚ୍ୟୁରିଟି ପରେ ମଧ୍ୟ ଜମାକରୀଙ୍କୁ ଠିକ ସମୟରେ ସେମାନଙ୍କ ଅର୍ଥ ଫେରସ୍ତ ଦିଆ ଯାଉ ନାହିଁ ବୋଲି ଅଭିରାମ ସ।।ହୁ, ସୋମନାଥ ସିଂ, ଗୀତାରାଣୀ ପାଣିଗ୍ରାହୀ, ଶ୍ରୀକାନ୍ତ ସାହୁ, କମରୁଦ୍ଦିନ ଖାନ, ବନିତା ସୁନାଙ୍କ ସମେତ ଶତାଧିକ ଜମାକାରୀ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ଅନୁଯାୟୀ ସାହାରା କର୍ତ୍ତୃପକ୍ଷ ଏଜେଣ୍ଟମାନଙ୍କୁ କରାୟତ କରି ଜମାକାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଏହି ପ୍ରତିଶ୍ରୁତି ବର୍ଷ ବର୍ଷ ଧରି ପାଳନ ହେଉ ନାହିଁ । ଫଳରେ ନିଜର ସଂଚିତ ଅର୍ଥରାଶୀ ନପାଇ ଜମାକରୀଙ୍କ ପରିବାର ଦୁର୍ଦ୍ଦଶା ମଧ୍ୟରେ ଏବେ ଗତି କରୁଛନ୍ତି । ଅପରପକ୍ଷେ ଟଙ୍କା ଦେବା ପରିବର୍ତେ ଧମକ ଚମକ ମଧ୍ୟ ଦିଆଯାଉଛି । ଗତ ୧ ତାରିଖ ଶତାଧିକ ଜମାକାରୀ ସାହାରା କାର୍ଯ୍ୟାଳୟରେ ତାଲା ପକାଇ ଭଦ୍ରକ ସହରାଂଚଳ ଥାନାରେ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ସାହାରା ଇିଣ୍ଡିଆର ଶାଖା ପ୍ରବନ୍ଧକ ଥାନାରେ ପହଂଚି ୧୫ ତାରିଖ ସୁଦ୍ଧା ଜମା ଟଙ୍କା ଫେରସ୍ତ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାବତ୍ ଟଙ୍କା ଫେରସ୍ତ ହୋଇ ନାହିଁଁ । ଏହାର ପ୍ରତିବାଦରେ ବହୁ ଜମାକାରୀ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି । ଏସପିଙ୍କ ନିର୍ଦ୍ଦେଶରେ ଏସଡିପିଓ ସାର୍ଥକ ରାୟ ସାହାରା ଶାଖା ପ୍ରବନ୍ଧକଙ୍କୁ ଡକାଇ ଏବିଷୟରେ ଆଲୋଚନା କରିଛନ୍ତି । ଆସନ୍ତା ଶନିବାର ଏସଡିପିଓଙ୍କ କାର୍ଯ୍ୟାଳୟରେ ଉଭୟ ସାହାରା କର୍ତ୍ତୃପକ୍ଷ ଓ ଜମାକାରୀଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି । ଏହା ସତ୍ୱେ ଯଦି ଜମା ଟଙ୍କା ଫେରାନଯାଏ, ତେବେ ଆସନ୍ତା ୭ ତାରିଖ ସାହାରା କାର୍ଯ୍ୟାଳୟରେ ତାଲା ପକାଯିବ ବୋଲି ଜମାକାରୀମାନେ ଚେତାବନୀ ଦେଇଛନ୍ତି ।